ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ଜଣେ ଯୁବକଙ୍କୁ ଅପହରଣ କରି ୧୦ ଲକ୍ଷ ଟଙ୍କା ଦାବି କରିବା ଘଟଣାରେ ଅପହରଣକାରୀ ଗ୍ୟାଙ୍ଗର ୬ ଜଣକୁ ରାୟଗଡ଼ା ପୋଲିସ ଗିରଫ କରିଛି। ଏହି ଅପରାଧୀଙ୍କ ମଧ୍ୟରେ ୩ ଜଣ ନାବାଳକ ସାମିଲ ଅଛନ୍ତି।

ଗତ ୧୯ ତାରିଖରେ ସୁବର୍ଣ୍ଣପୁର ଜିଲ୍ଲା ରାମପୁର ଗ୍ରାମର ପଞ୍ଚାନନ ପୂଜାରୀଙ୍କ ୧୯ ବର୍ଷର ପୁଅ ବିଭୂତି ପୂଜାରୀ ଏଲ୍‌ପି – ଧାନବାଦ ଟ୍ରେନ ଯୋଗେ ବିଶାଖାପାଟଣମ୍‌ରୁ ଟିଟିଲାଗଡ଼ ଯାଉଥିଲେ। ରାୟଗଡ଼ା ପାଖ ଲାଡା ଷ୍ଟେସନ ନିକଟରେ କିଛି ଲୋକ ତାଙ୍କୁ ଅପହରଣ କରି ନେଇଥିଲେ।

ବିଭୂତିକୁ ବାରିଝୋଲା ଜଙ୍ଗଲ ଭିତରେ ରଖି ଅପହରଣକାରୀମାନେ ତାଙ୍କ ବାପାଙ୍କୁ ଫୋନ୍‌ କରି ୧୦ ଲକ୍ଷ ଟଙ୍କା ଦାବି କରିଥିଲେ। ଏହାସହ କହିଥିଲେ ଟଙ୍କା ନ ଦେଲେ ପୁଅକୁ ହତ୍ୟା କରି ତା’ର ଶବକୁ ପାର୍ଶଲ କରି ପଠାଇ ଦେବେ। ଏନେଇ ଅପହୃତ ଯୁବକଙ୍କ ପିତା ରାୟଗଡ଼ା ଥାନାରେ ଏତଲା ଦେଇଥିଲେ। ଏହି ଘଟଣାରେ ପୋଲିସ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୬ ଜଣଙ୍କୁ ଗିରଫ କରିଛି।

ଅପହରଣକାରୀମାନଙ୍କ ପାଖରୁ ଗୋଟେ ମାଉଜର, ଦୁଇଟି ଗୁଳି, ଟାଙ୍ଗିଆ, ଖଣ୍ଡା ପ୍ରଭୃତି ମାରଣାସ୍ତ୍ର ଜବତ ହେବା ସହ ଗୋଟିଏ ବୋଲେରୋ, ଅଟୋ ଓ ଦୁଇଟି ବାଇକ ଜବତ କରିଛି। ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୫ ଜଣ ଫେରାର ଥିବା ବେଳେ ପୋଲିସ ଏମାନଙ୍କୁ ଖୋଜୁଛି। ଅପହୃତ ଯୁବକଙ୍କୁ ସମ୍ପୂର୍ଣ୍ଣ ଅକ୍ଷତ ଅବସ୍ଥାରେ ଉଦ୍ଧାର କରି ପରିବାରଙ୍କୁ ଜିମା ଦେଇଥିବା ଏସପି ସର୍ବଣା ବିବେକ.ଏମ୍ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

Comment