ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ ଜନତା ପାର୍ଟି ଅନୁସୂଚିତ ଜାତି ମୋର୍ଚ୍ଚା ପକ୍ଷରୁ ମଙ୍ଗଳବାର ୭୦ତମ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଜେପି ଓଡ଼ିଶା ରାଜ୍ୟ କାର୍ଯ୍ୟାଳୟରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜେପିର ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ରାଜ୍ୟ ସଂପାଦକ ଦିଲୀପ ମଲ୍ଲିକ, ରାଜ୍ୟ ଉପସଭାପତି ସମୀର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ଭାରତର ସମ୍ବିଧାନ ବିଶ୍ୱର ସବୁଠୁ ବଡ଼ ଲିଖିତ ସମ୍ବିଧାନ ଏବଂ ସାରା ବିଶ୍ୱରେ ଗୁରୁତ୍ୱ ବହନ କରେ। ଭାରତର ସମ୍ବିଧାନର ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ରହିଥିବା ରାଜ୍ୟ ବିଜେପି ପକ୍ଷରୁ କୁହାଯାଇଥିଲା।

ଏହି ଅବସରରେ ରାଜ୍ୟ ସଂପାଦକ ଦିଲୀପ ମଲ୍ଲିକ କହିଥିଲେ, “ଆଗାମୀ ପିଢ଼ିକୁ ଆମ ସମ୍ବିଧାନ ବାବଦରେ ଅଧିକରୁ ଅଧିକ ଜ୍ଞାନବନ୍ତ କରିବା ସମ୍ବିଧାନ ଦିବସ ପାଳନର ଉଦ୍ଦେଶ୍ୟ।”

“ଭାରତର ସମସ୍ତ ନାଗରିକଙ୍କ ସମାନ ଅଧିକାର। ଅନୁସୂଚିତ ଜାତି, ଜନଜାତି, ସଂଖ୍ୟାଲଘୁ, ମହିଳା କିଭଳି ମୌଳିକ ଅଧିକାରରୁ ବଞ୍ଚିତ ନହେବେ ତାହାକୁ ସମ୍ବିଧାନରେ ଆମ୍ବେଦକର ସ୍ଥାନିତ କରିଛନ୍ତି” ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ।

ସେହିପରି ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଥିଲେ, “ମହିଳାମାନଙ୍କୁ ସଶକ୍ତିକରଣ କରିବା, ପରିବହନଠାରୁ ଆରମ୍ଭ କରି ଉଦ୍ୟୋଗ କ୍ଷେତ୍ରରେ ମହିଳାମାନଙ୍କୁ ଅଗ୍ରାଧୀକର ଦେବା ଆମ୍ବେଦକରଙ୍କ ସ୍ୱପ୍ନ ଥିଲା। ଏହାକୁ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।”

୧୯୪୬ ମସିହା ଡିସେମ୍ବର ୬ରେ ସମ୍ବିଧାନ ସଭାର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା। ସେହିପରି ଡିସେମ୍ବର ୯ରୁ ସମ୍ବିଧାନ ସଭା ତା’ର କାର୍ଯ୍ୟ ଆରମ୍ଭ କରିଥିଲା। ଡ୍ରାଫ୍ଟିଙ୍ଗ କମିଟିର ଅଧ୍ୟକ୍ଷ ଡକ୍ଟର ବି ଆର୍ ଆମ୍ବେଦକର ୨ ବର୍ଷ ୧୧ମାସ ୧୮ ଦିନ ଧରି ଭାରତୀୟ ସମ୍ବିଧାନକୁ ଲେଖିଥିଲେ। ୧୯୪୯ମସିହା ନଭେମ୍ବର ୨୬ରେ ଏହାକୁ ରାଷ୍ଟ୍ରକୁ ସମର୍ପିତ କରାଯାଇଥିଲା। ୨୦୧୫ ମସିହାରୁ ଏହି ଦିନକୁ ସାରା ଦେଶରେ ସମ୍ବିଧାନ ଦିବସ ଭାବେ ପାଳନ କରାଯାଉଛି।

ଏହି କାର୍ଯ୍ୟକ୍ରମରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ସୁଶାନ୍ତ ମଲିକ, ପୂର୍ବତନ ସାଂସଦ ବିଭୂ ପ୍ରସାଦ ତରାଇ, ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ବସନ୍ତ କୁମାର ନାଏକ, ବିଶ୍ୱଜିତ୍ ତନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।

Comment