ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶିଶୁ ଜନ୍ମକୁ ଛାଡ଼ି ଅନ୍ୟ ରୋଗର ଘରୋଇ ଚିକିତ୍ସା ଓଡ଼ିଶାରେ ବ୍ୟୟବହୁଳ। ଏହିଭଳି ଏକ ତଥ୍ୟ ଏବେ ଆସିଛି। ସରକାରୀ ହସ୍ପିଟାଲ ତୁଳନାରେ ଘରୋଇ ହସ୍ପିଟାଲ ଖର୍ଚ୍ଚ ପ୍ରାୟ ଛଅ ଗୁଣ ଅଧିକ। ଜାତୀୟ ସାମ୍ପୁଲ ସର୍ଭେରୁ ଏହା ଜଣାପଡ଼ିଛି। ଜୁଲାଇ ୨୦୧୭ରୁ ଜୁନ ୨୦୧୮ ମଧ୍ୟରେ କରାଯାଇଥିବା ଏନଏସଏସର ୭୫ତମ ରାଉଣ୍ଡ ଫଳ ଅନୁସାରେ ରାଜ୍ୟରେ ଘରୋଇ ଚିକିତ୍ସା ପାଇଁ ରୋଗୀଙ୍କୁ ପ୍ରଚୁର ଖର୍ଚ୍ଚ କରିବାକୁ ପଡ଼ୁଛି। ସ୍ୱାସ୍ଥ୍ୟ କ୍ଷେତ୍ରରେ ହାରାହାରି ଖର୍ଚ୍ଚର ପରିଣାମ ଶୀର୍ଷକ ଅନୁଧ୍ୟାନ କହୁଛି ଯେ, ଯଦି ଆପଣ ସରକାରୀ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି ଆପଣଙ୍କୁ ୫୨୮୩ ଟଙ୍କା ଖର୍ଚ୍ଚ କରିବାକୁ ହେବ। ଯଦି ଏହି ଚିକିତ୍ସା ଘରୋଇ ହସ୍ପିଟାଲରେ ହେଉଛି ଆପଣ ୩୦୯୪୭ ଟଙ୍କା ଖର୍ଚ୍ଚ କରିବେ।

ଏହି ସର୍ଭେ ଅନୁଯାୟୀ ଗ୍ରାମାଞ୍ଚଳ ସରକାରୀ ହସ୍ପିଟାଲ ଖର୍ଚ୍ଚ ୫୦୯୮ ହୋଇଥିବା ବେଳେ ସହରାଞ୍ଚଳରେ ଏହା ୬୬୯୮ ଟଙ୍କା। ଘରୋଇ ହସ୍ପିଟାଲ ଖର୍ଚ୍ଚ ଗ୍ରାମାଞ୍ଚଳରେ ୨୯୯୭୪ ଟଙ୍କା ହୋଇଥିବା ବେଳେ ସହରାଞ୍ଚଳରେ ଘରୋଇ ହସ୍ପିଟାଲ ଖର୍ଚ୍ଚ ୩୩୯୩୫ ଟଙ୍କା।

ଜାତୀୟ ସାମ୍ପୁଲ ସର୍ଭେ ଅନୁଯାୟୀ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଚିକିତ୍ସା ଖର୍ଚ୍ଚର ସିଂହ ଭାଗ ଯାଇଥାଏ ଔଷଧ କିଣାରେ। ଯଦି ଶତକଡା ହିସାବରେ ଆମେ ଦେଖିବା ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଚିକିତ୍ସା ଖର୍ଚ୍ଚ କିଛି ଏହିଭଳି :

ଔଷଧ – ୪୪ %

ପ୍ୟାକେଜ ଆଇଟମ – ୨୬ %

ବିଭିନ୍ନ ପରୀକ୍ଷା – ୧୭ %

ଡାକ୍ତର ଫି – ୧୩ %

Comment