ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଶିଳ୍ପ ପ୍ରତିଷ୍ଠାନମାନେ ସ୍ଥାନୀୟ ଲୋକଙ୍କୁ ଚାକିରି ଦେଉନାହାନ୍ତି। ବିଧାନସଭାରେ ଏଭଳି ଏକ ଅଭିଯୋଗ କରିଛନ୍ତି ବିଧାୟକ। ବୁଧବାର ଦିନ ବିଧାନସଭାରେ ଦଳ ମତ ନିର୍ବିଶେଷରେ ବିଧାୟକମାନେ ଏହି ପ୍ରସଙ୍ଗ ଉଠାଇଛନ୍ତି। ବିଶେଷ କରି ଯୁବକମାନେ ଏଥିରୁ ବଞ୍ଚିତ ହେଉଛନ୍ତି ବୋଲି ସେମାନେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ଶୂନ୍ୟ କାଳରେ ଏହି ପ୍ରସଙ୍ଗ ଉଠିଥିଲା। ଉଭୟ ଶାସକ ଓ ବିରୋଧି ଦଳର ସଭ୍ୟମାନେ କହିଲେ ଯେ, ଶିଳ୍ପ ସଂସ୍ଥାଗୁଡ଼ିକରେ ସ୍ଥାନୀୟ ଲୋକଙ୍କୁ ୯୦ ପ୍ରତିଶତ କୁଶଳୀ/ଅଣକୁଶଳୀ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଥିଲେ ହେଁ ସେମାନେ ଏହି ସରକାରୀ ଆଦେଶକୁ ପାଳନ କରୁନାହାନ୍ତି।

ଶାସକ ଦଳର ସଭ୍ୟମାନେ କହିଲେ, ‘‘କେନ୍ଦ୍ର ସରକାରଙ୍କ ସଂସ୍ଥା ମହାନଦୀ କୋଲ ଫିଲଡ୍ସ ବି ଏହି ନିୟମକୁ ଉଲ୍ଲଙ୍ଘନ କରୁଛି। ରାଜ୍ୟ ସରକାରଙ୍କ ଥଇଥାନ ନୀତି ଅନୁସାରେ ସ୍ଥାନୀୟ ଲୋକଙ୍କ ପାଇଁ ବିଭିନ୍ନ ପ୍ରକାରର ନିଯୁକ୍ତି ସୁବିଧା ସୁଯୋଗ ରହିବା କଥା। କିନ୍ତୁ ଏମ୍‌ସିଏଲ ଏହା ମାନୁନାହିଁ।’’

ବ୍ରଜରାଜନଗର ବିଧାୟକ ଓ ପୂର୍ବତନ ବାଚସ୍ପତି କିଶୋର ମହାନ୍ତି ପ୍ରସଙ୍ଗ ଉଠାଇ କହିଲେ ଯେ, ନଭେମ୍ବର ୨୪ ତାରିଖରେ ଏମ୍‌ସିଏଲ ପକ୍ଷରୁ ଯେଉଁ ୨୩୭୩ ବ୍ୟକ୍ତିଙ୍କୁ ନିଯୁକ୍ତି ଦିଆଯାଇଥିଲା ସେମାନଙ୍କ ମଧ୍ୟରୁ ରାଜ୍ୟରୁ କେବଳ ଦଶ ପ୍ରତିଶତ ଏଥିରେ ନିଯୁକ୍ତି ପାଇଛନ୍ତି। ଯେଉଁମାନେ ଏମ୍‌ସିଏଲ ପାଇଁ ଜମି ହରାଇଥିଲେ ସେମାନଙ୍କ କଥା ବି ବିଚାରକୁ ନିଆଯାଇ ନାହିଁ। ରାଜ୍ୟ ସରକାରଙ୍କ ପୁନର୍ବାସ ନୀତି ଅନୁଯାୟୀ, ନିଯୁକ୍ତିରେ ସ୍ଥାନୀୟ ଲୋକଙ୍କୁ ଅଗ୍ରାଧିକାର ଦିଆଯାଉ ବୋଲି କିଶୋର ମହାନ୍ତି ଗୃହରେ କହିଛନ୍ତି।

Comment