ଓଡ଼ିଶାଲାଇଭ୍ ବ୍ୟୁରୋ

ଫ୍ଲୋର୍ ଟେଷ୍ଟରେ ପାସ୍ ହେଲେ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ। ମହାରାଷ୍ଟ୍ର ବିଧାନସଭାରେ ଆଜି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେଙ୍କ ବହୁମତ ପରୀକ୍ଷା ଥିଲା। ଠାକ୍ରେ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ତାଙ୍କ ସପକ୍ଷରେ ମୋଟ୍ ୧୬୯ ଜଣ ବିଧାୟକ ନିଜର ସମର୍ଥନ ଜଣାଇଛନ୍ତି।
ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଶନିବାର ବିଧାନସଭାର ଫ୍ଲୋର୍ ଟେଷ୍ଟ୍ ପାଇଁ ସ୍ୱତନ୍ତ୍ର ଅଧିବେଶନ ଡକାଇଥିଲେ। ଏହି ଅଧିବେଶନରେ ଉଦ୍ଧବଙ୍କୁ ବହୁମତ ସାବ୍ୟସ୍ତ କରିବାର ଥିଲା। ଏହା ପୂର୍ବରୁ ବିଜେପି ବିଧାୟକମାନେ କକ୍ଷ ତ୍ୟାଗ କରିଦେଇଥିଲେ। ପରେ ଆରମ୍ଭ ହୋଇଥିଲା ଫ୍ଲୋର୍ ଟେଷ୍ଟ୍।
ଫ୍ଲୋର୍ ଟେଷ୍ଟରେ ଉଦ୍ଧବଙ୍କ ସପକ୍ଷରେ ୧୬୯ ଭୋଟ୍ ପଡ଼ିଥିବାବେଳେ ବିପକ୍ଷରେ ଗୋଟିଏ ବି ଭୋଟ୍ ପଡ଼ିନି। ଉଦ୍ଧବଙ୍କୁ ଶିବସେନା, ଏନସିପି ଓ କଂଗ୍ରେସର ବିଧାୟକମାନେ ସମର୍ଥନ ଜଣାଇଥିଲେ। ତେବେ ଗୃହରେ ଉପସ୍ଥିତ ରହି ଚାରିଜଣ ବିଧାୟକ କାହାକୁ ବି ଭୋଟ୍ ଦେଇନଥିବା ସୂଚନା ମିଳିଛି।
ଏଆଇଏମ୍ଆଇଏମ୍ ଏବଂ ଉଦ୍ଧବଙ୍କ ସାନ ଭାଇ ରାଜ୍ ଠାକ୍ରେଙ୍କ ମହାରାଷ୍ଟ୍ର ନବ ନିର୍ମାଣ ସେନାର ବିଧାୟକମାନେ ଉଦ୍ଧବଙ୍କୁ ସମର୍ଥନ ଜଣାଇନାହାନ୍ତି।
ସୂଚନାଯୋଗ୍ୟ, ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀ ଉଦ୍ଧବଙ୍କୁ ବିଧାନସଭାରେ ବହୁମତ ସାବ୍ୟସ୍ତ କରିବାକୁ ଡିସେମ୍ବର ୨ ତାରିଖର ଶେଷ ତାରିଖ ଦେଇଥିଲେ। ଏହାର ଦୁଇ ଦିନ ପୂର୍ବରୁ ଉଦ୍ଧବ ବିଧାନସଭାରେ ନିଜର ବହୁମତ ସାବ୍ୟସ୍ତ କରିଛନ୍ତି।


















