ଓଡ଼ିଶାଲାଇଭ୍ ବ୍ୟୁରୋ

“ନାଗରିକତା ସଂଶୋଧନ ବିଲକୁ ନେଇ ଆସାମର ଭାଇ ଭଉଣୀମାନେ ଚିନ୍ତିତ ହୁଅନ୍ତୁ ନାହିଁ। ଏହି ବିଲ ଦ୍ୱାରା ସେମାନଙ୍କର ନାଗରିକତା ଓ ପରିଚୟ ଅକ୍ଷୁର୍ଣ୍ଣ ରହିବ”, କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
ନାଗରିକତା ସଂଶୋଧନ ବିଲକୁ ନେଇ ଉତ୍ତର- ପୂର୍ବ ରାଜ୍ୟରେ ଅଶାନ୍ତି ଲାଗିରହିଛି। ଆସାମ, ମଣିପୁର, ତ୍ରିପୁରା ଭଳି ରାଜ୍ୟରେ ବିଭିନ୍ନ ସଙ୍ଗଠନମାନେ ରାଜରାସ୍ତାକୁ ଓହ୍ଲାଇ ଏହାକୁ ବିରୋଧ କରିବାରେ ଲାଗିଛନ୍ତି। ଏପରିକି କେତେକ ସ୍ଥାନରେ ଜଳାପୋଡ଼ା ମଧ୍ୟ ଦେଖିବାକୁ ମିଳିଛି। ବୁଧବାରଠୁ ଗୌହାଟୀରେ କର୍ଫ୍ୟୁ ଜାରି କରାଯାଇଛି ଏବଂ ଆସାମରେ ଗତକାଲିଠାରୁ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ମଧ୍ୟ ବାତିଲ୍ କରିଦିଆଯାଇଛି। ରାଜ୍ୟରେ ବ୍ୟାପକ ହିଂସାଯୋଗୁ ଗୁରୁବାର ଗୌହାଟୀ ଓ ଦିବ୍ରୁଗଡ଼ରେ ବିମାନ ଉଡ଼ାଣକୁ ମଧ୍ୟ ବାତିଲ୍ କରିଦିଆଯାଇଛି।ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପ୍ରଶାସନ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବିଭିନ୍ନ ଅଞ୍ଚଳରେ ବ୍ୟାପକ ଭାବେ ସୁରକ୍ଷାକର୍ମୀମାନଙ୍କୁ ମୁତୟନ କରାଯାଇଛି। ଏହାସହ ଆଉ ୫ ହଜାର ଅର୍ଦ୍ଧ-ସାମରିକ ବାହିନୀଙ୍କୁ ଉତ୍ତର-ପୂର୍ବ ରାଜ୍ୟକୁ ପଠାଯାଇଛି।  ବୁଧବାର ଲୋକସଭା ପରେ ରାଜ୍ୟସଭାରେ ନାଗରିକ ସଂଶୋଧନ ବିଲ ପାସ୍ ହୋଇଯାଇଛି। ଏହାକୁ ନେଇ ଉତ୍ତର-ପୂର୍ବ ଲୋକମାନେ ଜୋରସୋରରେ ବିରୋଧ କରୁଛନ୍ତି। ଏହି ବିଲ ଦ୍ୱାରା ପଡ଼ୋଶୀ ମୁସଲିମ୍ ବହୁଳ ରାଜ୍ୟର ଅଣହିନ୍ଦୁ ଶରଣାର୍ଥୀମାନେ ଭାରତର ନାଗରିକତା ପାଇପାରିବେ। ତେବେ ଏହାଦ୍ୱାରା ଉତ୍ତର ପୂର୍ବଞ୍ଚଳ ଲୋକମାନଙ୍କର ମୌଳିକ ଅଧିକାର କ୍ଷୁର୍ଣ୍ଣ ହେବ ବୋଲି କୁହାଯାଉଛି।

Comment