ଓଡ଼ିଶାଲାଇଭ୍‌ ବ୍ୟୁରୋ

ନବରଙ୍ଗପୁରରେ ଏକ ବିଲ ମଝିରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର। ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ପରିବାର।

ନବରଙ୍ଗପୁର: ପୁଣି ଲଜ୍ଜା। ଜଣେ ନିରୀହ ନାବାଳିକାକୁ ଦୁଷ୍କର୍ମ ପରେ ତଣ୍ଟି ଚିପି ହତ୍ୟା କରିଛନ୍ତି ଯୌନ ପିପାସୁ। ଏଭଳି ସାଂଘାତିକ ଅଭିଯୋଗ ଆସିଛି ନବରଙ୍ଗପୁର କୋଷାଗୁମୁଡ଼ା ଅଞ୍ଚଳରୁ। ଏନେଇ ଅଭିଯୋଗ ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ସହାୟତାରେ ଛାନ୍‌ଭିନ୍‌ ଆରମ୍ଭ କରିଛି। ହେଲେ ଏଯାଏଁ ଅପରାଧୀ ଧରାପଡ଼ିନାହିଁ।

ମୃତ ପୀଡ଼ିତାଙ୍କ ବାପା ଓ ବଡ଼ ଭଉଣୀ ବାହାର ରାଜ୍ୟରେ ରହି ଦାଦନ କାମ କରନ୍ତି। ଏଠାରେ ପୀଡ଼ିତା ତାଙ୍କ ଜେଜେ ମା ଓ ଦିବ୍ୟାଙ୍କ ସାନ ଭାଇ ସହ ରୁହନ୍ତି। ଶୁକ୍ରବାର ଥିଲା ଦିଆଳି ପର୍ବ। ଏହି ପର୍ବ ପାଇଁ ଗାଁରେ ଉତ୍ସବର ମାହୋଲ ଥିଲା। ମୃତ ପୀଡ଼ିତା ସନ୍ଧ୍ୟା ୭ଟାରେ ରୋଷେଇ ସାରି ବିଲକୁ ଶୌଚ ହେବା ପାଇଁ ଯାଇ ଆଉ ଫେରି ନଥିଲେ। ପରିବାର ଲୋକ ବହୁ ଖୋଜା ଖୋଜି କରିଥିଲେ ମଧ୍ୟ ପାଇ ନଥିଲେ।

ଶନିବାର ସକାଳେ ଘରଠାରୁ ୫୦୦ ମିଟର ଦୂରରେ ବିଲ ଭିତରେ ପୀଡ଼ିତାଙ୍କ ମୃତଦେହ ପଡ଼ିଥିଲା। ପରେ ଗାଁ ଲୋକ ପୀଡ଼ିତଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପୀଡ଼ିତାଙ୍କ ପରିବାର ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଚିହ୍ନିଥିଲେ।

ମୃତଦେହ ପାଖରେ ହଳେ ଚପଲ ଓ କିଛି ଦୂରରେ ଦୁଇଟି ଜିନ୍ସ ପ୍ୟାଣ୍ଟ ପଡ଼ିଥିବା ଦେଖାଯାଇଥିଲା। ପୀଡ଼ିତାଙ୍କୁ କେହି ଦୁଷ୍କର୍ମ ପରେ ତଣ୍ଟି ଚିପି ହତ୍ୟା କରିଥିବା ଗାଁ ଲୋକ ଅଭିଯୋଗ କରିଥିଲେ। ଏହି ଘଟଣା ପରେ ସେଠାରେ ଉତ୍ତେଜନା ଦେଖାଯାଇଥିଲା। ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

Comment