ଓଡ଼ିଶାଲାଇଭ୍‌ ବ୍ୟୁରୋ

ନବରଙ୍ଗପୁର କୋଷାଗୁମୁଡ଼ା ନାବାଳିକା ଗଣ ଦୁଷ୍କର୍ମ ଓ ହତ୍ୟା ଘଟଣାର ୨୦ ଦିନ ପରେ ପୋଲିସକୁ ମିଳିଛି ସଫଳତା। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ପୋଲିସ। ଏହାସହ ନାବାଳିକାକୁ ଦୁଷ୍କର୍ମ ହୋଇନଥିବା ପୋଲିସ କହିଛି। ପ୍ରେମ ଜନିତ କାରଣରୁ ନାବାଳିକାକୁ ହତ୍ୟା କରାଯାଇଥିବା ସାମ୍ଵାଦିକ ସମ୍ମିଳନୀରେ ପୋଲିସ ସ୍ପଷ୍ଟ କରିଛି।

ଏହି ଘଟଣାରେ ସଂପୃକ୍ତ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ। ଜଣେ ଅଭିଯୁକ୍ତ କୋରାପୁଟ ଜିଲ୍ଲା କୋଟପାଡ଼ ଥାନା ଅନ୍ତର୍ଗତ ପଖନା ଗୁଡା ଗାଁର ଖାଡି ଭତରା ଓ ଅନ୍ୟ ଜଣେ ଗୁମଣ୍ଡଳୀ ଗାଁର ବଳି ମାଝୀ। ଖାଡି ଭତରା ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଥିଲା। ଖାଡ଼ି ଭତରାର ବିବାହ ପ୍ରସ୍ତାବକୁ ନାବାଳିକା ମନା କରିଦେବା ସହ ସମସ୍ତଙ୍କ ସମ୍ମୁଖରେ ଚାପୁଡ଼ା ମାରିଥିଲା ନାବାଳିକା।

ଏଥିରେ ପ୍ରତିଶୋଧ ପରାୟଣ ହୋଇ ଖାଡ଼ି ଭତରା ଗୁମଣ୍ଡଳୀ ଗାଁର ବଳି ମାଝୀ ସହଯୋଗରେ ନାବାଳିକାଙ୍କୁ ହତ୍ୟା କରିଥିବା ନବରଙ୍ଗପୁର ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଏଥିସହ ପୋଷ୍ଟ ମୋର୍ଟମ ରିପୋର୍ଟ ଅନୁଯାୟୀ ନାବାଳିକା ସହ ଦୁଷ୍କର୍ମ ହୋଇନଥିବା ଏସପି ନିତିନ କୁଶଲକର କହିଛନ୍ତି। ଆସନ୍ତାକାଲି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯିବ ଓ ମାମଲାର ଅଧିକ ତଦନ୍ତ ଜାରି ରହିବ ବୋଲି ଏସପି ନିତିନ କୁସଲକର ସୂଚନା ଦେଇଛନ୍ତି।

ଏହି ଘଟର ତଦନ୍ତ ପାଇଁ ସମୁଦାୟ ତିନୋଟି ଟିମ ଗଠନ କରାଯାଇଥିଲା। ୨୫ ରୁ ୩୦ ଜଣ ପୋଲିସ ଅଫିସର ଏହି ତଦନ୍ତ ଦାୟିତ୍ୱରେ ରହିଥିଲେ।

ଡିସେମ୍ବର ୧୩ରୁ ନାବାଳିକା ଜଣକ ନିଖୋଜ ଥିଲେ। ଘରଠାରୁ ୩୦୦ ମିଟର ଦୂରରେ ଏକ ଧାନ କ୍ଷେତରେ ପୀଡ଼ିତାଙ୍କ ମୃତଦେହ ଠାବ କରିଥିଲେ ପରିବାର ଲୋକ। ଦୁଇଟି ଜିନ୍‌ ପ୍ୟାଣ୍ଟ ଏବଂ ହଳେ ଚପଲ ଘଟଣାସ୍ଥଳରୁ ମିଳିଥିଲା। ଏହାକୁ ନେଇ ପରିବାର ଲୋକ ପୀଡ଼ିତାଙ୍କୁ ଦୁଷ୍କର୍ମ ସହ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଥିଲେ।

Comment