ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଡ଼ଦିନରେ ସିକ୍ରେଟ ସାନ୍ତା ହୋଇ ଦିବ୍ୟାଙ୍ଗ ପିଲାଙ୍କୁ ଖୁସି ବାଣ୍ଟିଲେ ଓଲିଉଡ ଅଭିନେତା ଆକାଶ ଦାସନାୟକ।

ଜୀବନରେ ସ୍ୱପ୍ନ ନଥିଲେ ସେ କି ଜୀବନ? ସ୍ୱପ୍ନ ବଡ଼ ନଦେଖିଲେ ଜୀବନରେ ବଡ଼ ସଫଳତା ଆସିବ ବା କେଉଁଠୁ?  ଜଣଙ୍କର ଶାରୀରିକ, ମାନସିକ, ଶିକ୍ଷାଗତ ଯୋଗ୍ୟତା ଏବଂ ଦକ୍ଷତା ଯାହାବି ହେଉ ନା କାହିଁକି ଜୀବନରେ କିଛି କରିବାକୁ ହେଲେ ପ୍ରଥମେ ସ୍ୱପ୍ନ ଦେଖିବା ଦରକାର, କାରଣ ସ୍ୱପ୍ନ ଦେଖିଲେ ସିନା ତାକୁ ସଫଳ କରିବାକୁ ଜଣେ ଉପାୟ ଖୋଜିବ ଏବଂ ତାହା ସଫଳତା ଦିଗରେ ଆଗକୁ ନେବ। ବଡ଼ଦିନରେ ଓଲିଉଡ ଅଭିନେତା ଆକାଶ ଦାସନାୟକ ଦିବ୍ୟାଙ୍ଗ ପିଲାଙ୍କୁ ଏମିତି ଏକ ସୁନ୍ଦର ବାର୍ତ୍ତା ଦେଇଛନ୍ତି।

ବଡ଼ଦିନରେ ସାମାଜିକ ଅନୁଷ୍ଠାନ ‘ଉଡ୍ର’ ପକ୍ଷରୁ ଭୁବନେଶ୍ୱର ପଳାସପଲ୍ଲୀରେ ଏକ ମୂକ ବଧିର ସ୍କୁଲରେ ‘ବଡ଼ଦିନ-ବଡ଼ ସ୍ୱପ୍ନ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଆକାଶ ସିକ୍ରେଟ ସାନ୍ତା ହୋଇ କୁନି କୁନି ପିଲାଙ୍କୁ ଉପହାର ଦେଇ ତାଙ୍କ ସ୍ୱପ୍ନ ଦେଖିବାକୁ ବାର୍ତ୍ତା ଦେଇଥିଲେ।

ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଥିଲା କୁନି କୁନି ମୂକ ବଧିର ପିଲାଙ୍କ ଓଠରେ ଟିକେ ହସ ଫୁଟାଇବା। ଯେତେବେଳେ ପିଲାମାନେ ଜାଣିବାକୁ ପାଇଲେ ତାଙ୍କ ନିକଟରେ ଥିବା ସିକ୍ରେଟ ସାନ୍ତା ଜଣକ ଅଭିନେତା ଆକାଶ ସେତେବେଳେ ସେମାନଙ୍କ ମୁହଁରେ ଖୁସି ପ୍ରତିଫଳିତ ହୋଇଥିଲା।

‘‘ଶାରୀରିକ ଅକ୍ଷମତା, ଅକ୍ଷମତା ନୁହେଁ, ଯଦି ଜଣେ ବଡ଼ସ୍ୱପ୍ନ ଦେଖି ପାରିବ ଓ ସେହି ସ୍ୱପ୍ନ ପ୍ରତି ବିଶ୍ୱାସ ଥିବ ତେବେ କୌଣସି ଶାରୀରିକ ଅକ୍ଷମତା ତାଙ୍କୁ ସଫଳତାରୁ ବିଚ୍ୟୁତ କରିପାରିବନି’’, ପିଲାଙ୍କୁ ଏହି ବାର୍ତ୍ତା ଦେଇଥିଲେ ଆକାଶ।

ଏହି କାର୍ଯ୍ୟକ୍ରମ ପିଲାଙ୍କୁ ବଡ଼ସ୍ୱପ୍ନ ଦେଖିବାକୁ ପ୍ରେରଣା ଯୋଗା ଯାଇଥିଲା। ଏଥିରେ ଉଡ୍ର ଟିମ୍‌ର ସମସ୍ତ ସଦସ୍ୟ ଯୋଗ ଦେଇଥିଲେ। ଆଗାମୀ ଦିନରେ ମଧ୍ୟ ଉଡ୍ର ଏହିଭଳି କାର୍ଯ୍ୟକ୍ରମର ଆୟୋଜନ କରିବ ବୋଲି ଉଡ୍ରର ସଂପାଦକ ଶୁଭ୍ରଜ୍ୟୋତି ଦାସନାୟକ କହିଛନ୍ତି।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ଓଡ଼ିଶାଲାଇଭ୍ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/CVnm7kqfRNR7lVKLRqEnsA

Comment