ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱର-କଟକ କମିସନରେଟ୍ ପୋଲିସ ଜାନୁଆରି ୨ ତାରିଖରେ ନିଜର ଦ୍ୱାଦଶତମ ପ୍ରତିଷ୍ଠା ଦିବସ ପାଳନ କରିଛି। ଏଥିପାଇଁ ଭୁବନେଶ୍ୱର ସପ୍ତମ ବାଟାଲିୟନ ପୋଲିସ ପଡ଼ିଆରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।

ପ୍ରତିଷ୍ଠା ଦିବସର ପରେଡରେ ପୋଲିସ୍ ମହାନିର୍ଦ୍ଦେଶକ ଅଭୟ, ପୋଲିସ କମିସନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ ଅଭିବାଦନ ଗ୍ରହଣ କରିଛନ୍ତି।

ପ୍ରତିଷ୍ଠା ଦିବସ ଅବସରରେ ପୋଲିସ କମିସନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ ଲୋକଙ୍କୁ ଉଦବୋଧନ ଦେଇ ସମବେଦନା, ସହାନୁଭୂତି ଓ ବୃତ୍ତିଗତ ଦକ୍ଷତା କମିସନରେଟ୍ ପୋଲିସର ୩ ନୂଆ ମନ୍ତ୍ର ବୋଲି କହିଛନ୍ତି।

‘‘୧୧ ବର୍ଷ ମଧ୍ୟରେ କମିସନରେଟ ପୋଲିସ ଜନମାନସରେ ଏକ ନିଆରା ପରିଚୟ ସଷ୍ଟି କରିଛି। ଦକ୍ଷତାର ସହ କାର୍ଯ୍ୟ କରି ଜନସାଧାରଣଙ୍କ ଆସ୍ଥାଭାଜନ ହୋଇପାରିଛି। ଆମ କର୍ମଚାରୀମାନେ ଖରା, ବର୍ଷା, ଶୀତ କାକର ଦିନ ରାତି ଉଦ୍ୟମ କରି ଲୋକଙ୍କୁ ସେବା ପ୍ରଦାନ କରିଛନ୍ତି’’, କହିଛନ୍ତି ସୁଧାଂଶୁ ଷଡ଼ଙ୍ଗୀ।

ଏହି ଅବସରରେ ନିଷ୍ଠା ଓ ଦକ୍ଷତାର ସହ କର୍ତ୍ତବ୍ୟ ସମ୍ପାଦନ କରି ଯେଉଁ ପୋଲିସ କର୍ମଚାରୀମାନେ କମିସନରେଟ୍ ପୋଲିସର ମାନ ଉଚ୍ଚ କରିଛନ୍ତି ସେମାନଙ୍କୁ ପୁରସ୍କୃତ କରାଯାଇଛି।

ପରମ୍ପରା ଅନୁଯାୟୀ ଏହି ପରେଡରେ କମିସନରେଟ୍ ପୋଲିସ ଅଧୀନରେ ଆସୁଥିବା ବିଭିନ୍ନ ବିଭାଗର ଅଧିକାରୀ ଏବଂ ପୋଲିସ୍ ବଳ ଯୋଗ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ସବୁଠୁ ଚିତ୍ତକର୍ଷକ ଥିଲା ଯବାନମାନଙ୍କ ପରେଡ।  ପୋଲିସ ବ୍ୟାଣ୍ଡର ତାଳେ ତାଳେ ଯବାନଙ୍କ ପରେଡ୍ ବେଶ୍ ଲୋକମାନଙ୍କୁ ଆକର୍ଷିତ କରିଛି।

ପ୍ରଥମ ଥର ପାଇଁ ଲୋକମାନେ ଏହି କାର୍ଯ୍ୟକ୍ରମର ସିଧାପ୍ରସାରଣ କମିସନରେଟ ପୋଲିସର ଟୁଇଟର ହ୍ୟାଣ୍ଡେଲ ଓ ଫେସବୁକ୍‌ ପେଜରେ ଦେଖିଛନ୍ତି। ଏଥିରେ ଓଡ଼ିଶାର ଅଗ୍ରଣୀ କ୍ରିଏଟିଭ୍‌ ଡିଜିଟାଲ ଏଜେନ୍ସି ଓଏଲ୍‌ ଡିଜିଟାଲ ସେବା ପ୍ରଦାନ କରିଛି।

Comment