ଓଡ଼ିଶାଲାଇଭ୍‌ ବ୍ୟୁରୋ

ଧନୁଯାତ୍ରାରେ ସଂଚାର ହିଁ ମନୋରଞ୍ଜନର ପ୍ରମୁଖ ମାଧ୍ୟମ ଥିଲା।

(ବରଗଡ଼ରୁ ଏସ୍‌ ବଦ୍ରିପ୍ରସାଦ): ବରଗଡ଼ ଧନୁଯାତ୍ରା ସହ ସଂଚାର କଳାର ଅଭିନ୍ନ ସଂପର୍କ ରହିଛି। ପୂର୍ବରୁ ଟେଲିଭିଜନ ଓ ସିନେମା ଭଳି କୌଣସି ମନୋରଂଜନ କାର୍ଯ୍ୟକ୍ରମ ନଥିବାରୁ ପ୍ରାରମ୍ଭିକ ସମୟରେ ଧନୁଯାତ୍ରାରେ ସଂଚାର ହିଁ ମନୋରଞ୍ଜନର ପ୍ରମୁଖ ମାଧ୍ୟମ ଥିଲା। ସଂଚାର ଏକମାତ୍ର କଳା ଯେଉଁଥିରେ କଳାକାର ନିଜେ ଗୀତ ଗାଆନ୍ତି, ବାଜା ବଜାନ୍ତି ଓ ନୃତ୍ୟ ମଧ୍ୟ କରନ୍ତି। ସଂଚାର କଳାରେ ମୃଦଙ୍ଗ ବାଦ୍ୟର ତାଳେ ତାଳେ ଗୀତ ପ୍ରସ୍ତୁତ କରାଯିବା ସହ ନୃତ୍ୟ ମଧ୍ୟ ପ୍ରଦର୍ଶନ କରାଯାଇଥାଏ। ଏପରି କଳା ସାରା ପୃଥିବୀରେ ବିରଳ।

ଧନୁଯାତ୍ରା ଆରମ୍ଭରେ ସ୍ଥାନୀୟ ହାଟପଦାଠାରେ ସଂଚାର କଳା ପରିବେଷଣ କରାଯାଉଥିଲା। ଧନୁଯାତ୍ରା ଆରମ୍ଭରୁ ମନୋବଧ ଭାଟ୍ ନାମକ ଜଣେ କଳାକାର ଦୀର୍ଘ ଚାରି ଦଶନ୍ଧି ଧରି ଏହି କଳା ଅନ୍ୟ କଳାକାରମାନଙ୍କ ସହ ପ୍ରଦର୍ଶନ କରିଥିଲେ। ତାଙ୍କୁ ବାଦ୍ ଦେଇ ଦୁର୍ବାଦଳ ଦାଶ, ନୀଳମଣି କୈବର୍ତ୍ତ, ବିଦ୍ୟାଧର, ଅଭିମନ୍ୟୁ କୁମ୍ଭାର, ଦୟାନିଧି ତିଅର, ଗଜପତି ପଶାୟତ, ମାୟାଧର ଧୋବା, କୁନୁ ମାହାର, ପର୍ଶୁରାମ ଝର୍ , ବିପିନ ସେଠ , ଚତୁର୍ଭୁଜ ମିଶ୍ର, ରାଧାକାନ୍ତ ବାରିକ, ଚନ୍ଦ୍ରମା, ବାବାଜୀ ଶତପଥୀ, ସନ୍ତୋଷ ସେଠ, ଆଦି, ବୈକୁଣ୍ଠ ଦୁଆନ, ପବିତ୍ର କର, ବିଶାଖା ରଣା, ମୁକ୍ତି ଓ ରାଧା ଏହା ପ୍ରଦର୍ଶନ କରିଥିଲେ।

ପରିବର୍ତ୍ତୀ ସମୟରେ ଅଲେଖ ସାହୁ, କ୍ଷମାନିଧି ସାହୁଙ୍କ ସହ ଆହୁରି ବହୁ କଳାକାର ମଧ୍ୟ ସଂଚାରକୁ ଆଗକୁ ନେଇଛନ୍ତି। ବାହକ ଗାହାକ ପରମ୍ପରାରେ ମୁଖ୍ୟ କଳାକାରଙ୍କ ସହିତ ଦୁଇ ଜଣ ପାଳିଆ ମଧ୍ୟ ଥାଆନ୍ତି। ୧୯୮୯ ମସିହାରେ ଅନ୍ତର୍ଜାତୀୟସ୍ତରରେ ଜାପାନରେ ମଧ୍ୟ ଏହା ପ୍ରଦର୍ଶିତ ହୋଇଥିଲା। ଧନୁଯାତ୍ରାର ତତ୍କାଳୀନ ଆୟୋଜକ କୁନୁ ରଥ ସତୁରି ଦଶକରେ ଏହି କଳାରେ ନିଜେ କଳାକାର ହୋଇ ନଥିଲେ ମଧ୍ୟ ଅଗାଧ ଜ୍ଞାନ ରଖୁଥିବା ଶିକ୍ଷାବିତ ସ୍ୱର୍ଗତ ପ୍ରସନ୍ନ ଦାଶଙ୍କ ସହ ବରଗଡ଼ରେ ପ୍ରଥମ ଥର ପାଇଁ ସଂଚାର କଳାକାର ସମ୍ମିଳନୀ ଆୟୋଜନ କରାଯାଇଥିଲା।

ବର୍ତ୍ତମାନ ମଧ୍ୟ ସେହି ପରମ୍ପରାକୁ ବଜାୟ ରଖାଯାଇ ସେହି ସ୍ଥାନରେ ଧନୁଯାତ୍ରାର ଶୁଭସ୍ତମ୍ଭ ସ୍ଥାପନ କରାଯାଉଛି। ଯଦିଓ ବର୍ତ୍ତମାନ ସଂଚାର ଦେଖିବା ଲୋକଙ୍କ ସଂଖ୍ୟା ହ୍ରାସ ପାଇଛି ତଥାପି ଏହା ଧନୁଯାତ୍ରାର ଅବିଛେଦ୍ୟ ଅଙ୍ଗ ଭାବରେ ରହିଆସିଛି। ପଚାଶ ଦଶକରୁ ଓଡ଼ିଶା ଓ ତତ୍କାଳୀନ ମଧ୍ୟପ୍ରଦେଶର କଳାକାର ବରଗଡ଼ ଆସି ସଂଚାର କଳା ପ୍ରଦର୍ଶନ କରୁଛନ୍ତି। ଯଦିଓ ଆଧୁନିକ ମନୋରଞ୍ଜନ ବ୍ୟବସ୍ଥାର ଉନ୍ନତି ଏହାକୁ ଦେଖିବା ପାଇଁ ଦର୍ଶକଙ୍କ ଭିଡ ଜମୁ ନାହିଁ ତଥାପି ଧନୁଯାତ୍ରା ଇତିହାସରେ ସଂଚାରର ସହଭାଗିତା ସବୁଦିନ ରହିଥିବ।

Comment