ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜାନୁଆରି ୩ରୁ ରାଜ୍ୟର ବିଭିନ୍ନ ବନଖଣ୍ଡ, ଜଳାଶୟରେ ରାଜ୍ୟ ସରକାରଙ୍କ ଦ୍ୱାରା ପକ୍ଷୀ ଗଣନା ଆରମ୍ଭ ହୋଇଛି। ଏହିକ୍ରମରେ ମଙ୍ଗଳବାର କେନ୍ଦ୍ରାପଡ଼ା ଭିତରକନିକା ଅଞ୍ଚଳରେ ବିଭିନ୍ନ ଜଳଭଣ୍ଡାରରେ ପକ୍ଷୀ ଗଣନା ହୋଇଛି। ଏଥର ଭିତରକନିକାରେ ୧ ଲକ୍ଷ ୧୮ ହଜାର ୩୨୬ଟି ପକ୍ଷୀଙ୍କ ସମାଗମ ହୋଇଛି।

ଏହି ଗଣନାରେ ବମ୍ବେ ନାଚୁରାଲ ହିଷ୍ଟ୍ରି ଅଫ ସୋସାଇଟର ବିଶିଷ୍ଟ ପକ୍ଷୀ ବିଶାରଦ ଡକ୍ଟର ପି ବାଲଚନ୍ଦ୍ରନ ଓ ଡକ୍ଟର ଶିବ ପରିଡ଼ା ଆଦି ବିଶିଷ୍ଟ ପକ୍ଷୀ ବିଶାରଦମାନେ ସାମିଲ ହୋଇଥିଲେ। ୧୬ଟି ଦଳରେ ୫୮ ଜଣ ପକ୍ଷୀ ବିଶାରଦ ଓ ବନ କର୍ମଚାରୀ ଏହି ଗଣନା ଶେଷ କରିଛନ୍ତି। ଗତକାଲି ସକାଳ ୬ଟା ୩୦ରୁ ଜଳାଶୟଗୁଡିକରେ ଗଣନା ଆରମ୍ଭ କରାଯାଇଥିଲା। ଅତ୍ୟାଧୁନିକ କ୍ୟାମେରା ବାଇନାକୁଲାର ଯୋଗେ ପକ୍ଷୀଙ୍କୁ ଦେଖି ଚିହ୍ନଟ ଓ ଗଣନା କରାଯାଇଥିବା ରାଜନଗର ବନଖଣ୍ଡ ଅଧିକାରୀ ବିକାଶ ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

ଭିତରକନିକା ଜାତୀୟ ଉଦ୍ୟାନରେ ଚଳିତବର୍ଷ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଚଳିତବର୍ଷ ୧ ଲକ୍ଷ ୧୮ ହଜାର ୩୨୬ଟି ପକ୍ଷୀ ଏଠାକୁ ଆସିଥିବା ବେଳେ ଗତବର୍ଷ ଏମାନଙ୍କର ସଂଖ୍ୟା ରହିଥିଲା ୧ ଲକ୍ଷ ୯ ହଜାର ୫୯। ସେହିପରି ଗତଥର ୭୪ ପ୍ରଜାତିର ପକ୍ଷୀ ଆସିଥିବାବେଳେ ଏଥର ୧୦୫ ପ୍ରଜାତିର ପକ୍ଷୀ ଭିତରକନିକା ଆସିଛନ୍ତି।

ଚଳିତ ବର୍ଷ ଭିତରକନିକାର ସାତଭାୟା ଅଞ୍ଚଳରେ କମନ ପୋଚାର୍ଟ ନାମକ ୧୧ଟି ବିରଳ ପକ୍ଷୀ ଦେଖା ଯାଇଛନ୍ତି। ଏମାନେ ସାଧାରଣତଃ ଋଷିଆ ଓ ସାଇବେରିଆ ଅଞ୍ଚଳରେ ଦେଖା ଯାଆନ୍ତି। ଏହି ବିଦେଶୀ ପକ୍ଷୀମାନଙ୍କ ମଧ୍ୟରେ ନର୍ଦ୍ଦନ ପ୍ରିଣ୍ଟେଲ ନାମକ ଏକ ପ୍ରଜାତିର ପକ୍ଷୀ ସର୍ବାଧିକ ୩୨ ହଜାର ୫୮୧ ବୋଲି ରାଜନଗର ବନଖଣ୍ଡ ଅଧିକାରୀ ବିକାଶ ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

ପ୍ରତିବର୍ଷ ଏହି ଦିନେ ବନ ବିଭାଗ ଭିତରକନିକା ଓ ଏହାର ଆଖପାଖ ଅଞ୍ଚଳରେ ଏମାନଙ୍କର ଗଣନା କରିଥାନ୍ତି। ଗତ ସୋମବାରଠାରୁ ରାଜନଗର ବନବିଭାଗ ଏହି ଗଣନା ଆରମ୍ଭ କରି ମଙ୍ଗଳବାର ଶେଷ କରିଛି। ପକ୍ଷୀଙ୍କ ସଂରକ୍ଷଣ, ପ୍ରଜାତି ଚିହ୍ନଟ ଓ ଗତିବିଧି ଜାଣିବା ପାଇଁ ଏହି ଗଣନା କରାଯାଇଛି। ଭିତରକନିକା ଅଭୟାରଣ୍ୟ ସମେତ ରାଜନଗର, ଗହିରମଥା, କନିକା, କୁଜଙ୍ଗ, ମହାକାଳପଡ଼ା ଆଦି ୫ଟି ବନାଞ୍ଚଳରେ ପକ୍ଷୀ ଗଣନା କରାଯାଇଛି।

Comment