ଓଡ଼ିଶାଲାଇଭ୍‌ ବ୍ୟୁରୋ

ଫେବ୍ରୁଆରି ୫ରୁ ଖଣ୍ଡଗିରି ଯାତ୍ରା ମହାସମର। ଲୋକଙ୍କୁ ଆକର୍ଷିତ କରୁଛି ବିଭିନ୍ନ ପାର୍ଟିର ମନଛୁଆଁ ହୋର୍ଡିଂ।

ଆରମ୍ଭ ହୋଇଛି ଖଣ୍ଡଗିରି କୁମ୍ଭମେଳା। ଏହି ମେଳା ୬ ତାରିଖ ଯାଏଁ ଚାଲିବ। ତେବେ ଫେବ୍ରୁଆରି ୫ରୁ ଆରମ୍ଭ ହେବ ଯାତ୍ରା ମହାସମର। ଏଥର ୬ଟି ପେଣ୍ଡାଲରେ ୧୨ଟି ପାର୍ଟି ବିଭିନ୍ନ ପର୍ଯ୍ୟାୟରେ ଯାତ୍ରା ପରିବେଷଣ କରିବେ। ଏଥିପାଇଁ ବିଭିନ୍ନ ପେଣ୍ଡାଲ ପ୍ରସ୍ତୁତ ହୋଇ ରହିଛି।

ଯାତ୍ରାପ୍ରେମୀକୁ ଆକର୍ଷିତ କରିବା ପାଇଁ ଖଣ୍ଡଗିରି ଛକରେ ବିଭିନ୍ନ ପାର୍ଟିର ପୋଷ୍ଟର ଲାଗିଲାଣି। କେଉଁ ଯାତ୍ରା ପାର୍ଟିର ଏଥର କ’ଣ ମୁଖ୍ୟ ଆକର୍ଷଣ ରହିଛି ତାହା ବଡ ବଡ଼ ହୋର୍ଡିଂରୁ ହିଁ ଜଣାପଡୁଛି। ଏପଟେ ଯାତ୍ରା ମହାସମର ପାଇଁ ବିଭିନ୍ନ ମଞ୍ଚରେ ବାଉଁଶ ବନ୍ଧା ଚାଲିଛି।

ଘାଟିକିଆ ସନାତନ ସେବା ସଦନ ମଞ୍ଚରେ ପର୍ଯ୍ୟାୟକ୍ରମେ କୋଣାର୍କ, ଇନ୍ଦ୍ରଭୂବନ ଓ ଧଉଳି ଗଣନାଟ୍ୟ ଯାତ୍ରା ପରିବେଷଣ କରିବେ। ସେହିପରି ଡକ୍ଟର ହରେକୃଷ୍ଣ ମହତାବ ସାଂସ୍କୃତିକ ପରିଷଦ ମଞ୍ଚରେ ମାୟାନଗରୀ, ତୁଳସୀ ଗଣନାଟ୍ୟ ଓ ସ୍ୱର୍ଣ୍ଣମହଲ ଯାତ୍ରା ପରିବେଷଣ କରିବେ।

ଇନ୍ଦିରା ସାଂସ୍କୃତିକ ପରିଷଦ ମଞ୍ଚରେ ସ୍ୱପ୍ନ ମହଲ ଓ ରଙ୍ଗମହଲ ଯାତ୍ରା ପରିବେଷଣ କରିବେ। ଜୟଦୁର୍ଗା ସାଂସ୍କୃତିକ ପରିଷଦ ମଞ୍ଚରେ ଅପେରା ସୂର୍ଯ୍ୟ ମନ୍ଦିର, ଖଣ୍ଡଗିରି ସାଂସ୍କୃତିକ ପରିଷଦରେ ରାଜଧାନୀ ଅପେରା ଯାତ୍ରା ପରିବେଷଣ କରିବେ।

ଏଥର ଜାଗା ଅଭାବରୁ ବାରଭୁଜା ଯାତ୍ରା କମିଟି ଯାତ୍ରା ପରିବେଷଣରୁ ଓହରି ଯାଇଛି।

Comment