ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏଣିକି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କର ଲୋଗୋ ବ୍ୟବହୃତ ହେବ। ଏନେଇ ବିଧାନସଭାରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଘୋଷଣା କରିଛନ୍ତି।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ଓଡ଼ିଶାର ଲୋଗୋ ପ୍ରତ୍ୟାହାର କରିବା ପ୍ରସଙ୍ଗକୁ ନେଇ ଦୀର୍ଘ ଦିନ ଧରି ବିଜେଡି ବିଜେପି ମଧ୍ୟରେ ଟଣାଓଟରା ଚାଲିଥିଲା। ବୁଧବାର ବିଜେପି ଦଳର ବିଧାୟକମାନେ ମନ୍ତ୍ରୀ ମିଛ କହୁଛନ୍ତି କହି ଗୃହ ତ୍ୟାଗ କରିଥିଲେ।

ପ୍ରତାପ ଜେନା ଗୃହରେ ବିଧାୟକମାନଙ୍କ ପ୍ରଶ୍ନର ଉତ୍ତର ରଖି କହିଥିଲେ ଯେ ଆବାସ ତାଲିକାରୁ ଯେଉଁ ଯୋଗ୍ୟ ହିତାଧିକାରୀମାନେ ବାଦ୍‌ ପଡ଼ିଛନ୍ତି, ସେମାନେ ଆଉ ଗୋଟିଏ ସୁଯୋଗ ପାଇବେ। ସେମାନଙ୍କ ଆବେଦନକୁ ଯାଞ୍ଚ କରିବା ପରେ ସରକାର ଆବଶ୍ୟକ ପଦକ୍ଷେପ ନେବେ।

ମନ୍ତ୍ରୀ କହିଥିଲେ ଯେ ଯେଉଁମାନେ ପୂର୍ବରୁ ଘର ପାଇଛନ୍ତି କିନ୍ତୁ ଘର ସମ୍ପୂର୍ଣ୍ଣ ହୋଇପାରିନି, ସେମାନଙ୍କୁ ନୂଆ ତାଲିକାରେ ସାମିଲ କରାଯାଇପାରିବ। ସେ କ୍ଷେତ୍ରରେ ସଂପୃକ୍ତ ହିତାଧିକାରୀ ପୂର୍ବରୁ ନେଇଥିବା ଅର୍ଥ ଫେରସ୍ତ ଦେବା ପରେ ସରକାର ନୂଆ ତାଲିକାରେ ତାଙ୍କ ନାମ ଯୋଡ଼ିପାରିବେ।

ଭୂମିହୀନଙ୍କୁ ଅଗ୍ରାଧିକାର ଭିତ୍ତିରେ ଜାଗା ଓ ଘର ବଣ୍ଟନ କରିବା ଲାଗି ସରକାରଙ୍କ ପ୍ରାଥମିକତା ରହିଥିବା ମନ୍ତ୍ରୀ କହିଥିଲେ।

ଓଡ଼ିଶାରେ ଏବେ ସୁଦ୍ଧା ୩ଲକ୍ଷ ୬୦ ହଜାର ବିଜୁ ପକ୍କାଘର ନିର୍ମାଣ ହୋଇଥିବା ମନ୍ତ୍ରୀ କହିଥିଲେ।

ପୂର୍ବରୁ ବିଧାନସଭାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଥିବା ଲୋଗୋ ନେଇ ଶାସକ ବିରୋଧୀ ମଧ୍ୟରେ ହୋହାଲ୍ଲା ହୋଇଥିଲା। ଆବାସ ଯୋଜନାରେ ବିଜୁଙ୍କ ଲୋଗୋ ଲାଗି ପାରିବ ନାହିଁ ବୋଲି ବିରୋଧୀ କହିଥିଲେ।

ସରକାରଙ୍କ ପକ୍ଷରୁ କୁହାଯାଇଥିଲା ଯେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଅଂଶଧନ ୬୦: ୪୦ ରହିଛି।

LEAVE A REPLY

Please enter your comment!
Please enter your name here