ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଲୋକସେବା ଭବନରେ ନବୀନଙ୍କୁ ଧର୍ମେନ୍ଦ୍ର ଭେଟି ରାଜ୍ୟରେ ଇସ୍ପାତ ଶିଳ୍ପର ବିକାଶ ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ଭେଟ୍‌ଘାଟ୍‌ ସରକାରୀ ବୋଲି କୁହାଯାଉଥିବା ବେଳେ ଏହା ପଛରେ ରାଜନୀତିର ବାସ୍ନା ବାରିଛନ୍ତି ରାଜନୀତି ପଣ୍ଡିତ। କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ଚାଣକ୍ୟ କୁହାଯାଉଥିବା ଅମିତ ଶାହଙ୍କ ଭୁବନେଶ୍ୱର ଗସ୍ତର ଦିନକ ପୂର୍ବରୁ ନବୀନ-ଧର୍ମେନ୍ଦ୍ର ଭେଟ୍‌ଘାଟ୍‌ ରାଜନୀତି କରିଡରରେ ଆଲୋଡନ ସୃଷ୍ଟି କରିଛି।

ଆସନ୍ତାକାଲି ଅମିତ ଶାହ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଲୋକସେବା ଭବନରେ ଅନୁଷ୍ଠିତ ହେବାକୁ ଥିବା ପୂର୍ବାଞ୍ଚଳ ଜୋନାଲ କାଉନସିଲ୍‌ ବୈଠକରେ ସେ ଯୋଗଦେବେ। ଏହି ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଯୋଗ ଦେବେ। ଏହାପରେ ଶାହ ଜନତା ମଇଦାନରେ ସିଏଏ ସଚେତନତା ରାଲିରେ ଉଦବୋଧନ ଦେବେ। ଏହା ପୂର୍ବରୁ ଧର୍ମେନ୍ଦ୍ର-ନବୀନ ଭେଟ୍‌ଘାଟ୍‌କୁ ନେଇ ଚର୍ଚ୍ଚା ଲାଗି ରହିଛି।

ନବୀନ-ଧର୍ମେନ୍ଦ୍ର ଭେଟ୍‌ଘାଟ୍‌ କିଛି ନୂଆ କଥା ନୁହେଁ। ନବୀନ ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ଯେତେବେଳେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ ଦିଲ୍ଲୀ ଯାଇଥିଲେ ସେତେବେଳେ ଓଡ଼ିଶା ଭବନରେ ନବୀନଙ୍କୁ ସାକ୍ଷାତ କରିଥିଲେ ଧର୍ମେନ୍ଦ୍ର। ଏହି ଭେଟ୍‌ଘାଟ୍‌କୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା। ଏହା ନବୀନ ଓ ଧର୍ମେନ୍ଦ୍ରଙ୍କ ଭିତରେ ପ୍ରଥମ ଭେଟ୍‌ଘାଟ୍‌ ବୋଲି କୁହାଯାଉଥିଲା।

୨୦୧୯ ନିର୍ବାଚନ ପୂର୍ବରୁ ଧର୍ମେନ୍ଦ୍ର ବିଭିନ୍ନ ପ୍ରସଙ୍ଗରେ ନବୀନ ଏବଂ ବିଜେଡିକୁ ଘେରୁଥିଲେ। କଥା କଥାକେ ନବୀନଙ୍କୁ ଟାର୍ଗେଟ କରି ରାଜନୀତି ପାଣିପାଗକୁ ସରଗରମ କରୁଥିଲେ। ଏପରିକି କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଧର୍ମେନ୍ଦ୍ରଙ୍କୁ ଖୋଲା ବିତର୍କ ପାଇଁ ନବୀନଙ୍କୁ ଆହ୍ୱାନ ଦେଉଥିଲେ। ହେଲେ ନିର୍ବାଚନ ପରେ ପାଣିପାଗ ବଦଳି ଯାଇଥିଲା। ଯେଉଁ ଧର୍ମେନ୍ଦ୍ର ନବୀନଙ୍କୁ ଘେରୁଥିଲେ ସେ ତାଙ୍କୁ ସାକ୍ଷାତ କରିବା ନିଶ୍ଚିତ ଭାବେ ରାଜନୀତିକ ଦୃଷ୍ଟିକୋଣରୁ ଚର୍ଚ୍ଚାର ବିଷୟ ବୋଲି କୁହାଯାଉଛି।

ଅନ୍ୟପକ୍ଷରେ ଶାହ ଆସନ୍ତାକାଲି ସିଏଏ ସମ୍ପର୍କରେ ଓଡ଼ିଶାବାସୀଙ୍କୁ ଉଦ୍‌ବୋଧନ ଦେବେ। ଏପଟେ ସିଏଏକୁ ବିଜେଡି ସମର୍ଥନ କରିଛି। ହେଲେ ଏନ୍‌ଆର୍‌ସିକୁ ବିରୋଧ କରୁଛି। ଏଣୁ ଶାହ କାଲି କ’ଣ କହିବେ ଏବଂ ବିଜେଡି ଏହାର କ’ଣ ଜବାବ ଦେବ ତାକୁ ହିଁ ସମସ୍ତେ ଅପେକ୍ଷା କରିଥିବା ବେଳେ ଧର୍ମେନ୍ଦ୍ରଙ୍କ ସାକ୍ଷାତ ଅନେକ ଚର୍ଚ୍ଚା ସୃଷ୍ଟି କରିଛି।

Comment