ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କନ୍ୟା ସନ୍ତାନ ଜନ୍ମ ଦେବାର ୪ଘଣ୍ଟା ପୂର୍ବରୁ କରୋନା ପରୀକ୍ଷା କିଟ୍ ପ୍ରସ୍ତୁତ କଲେ ଡାକ୍ତର ମୀନଲ ଦଖାଓ୍ଵେ। ସମ୍ବେଦନଶୀଳ ମୁହୂର୍ତ୍ତରେ ନିଜ ସ୍ଵାସ୍ଥ୍ୟ କଥା ଚିନ୍ତା ନକରି କରୋନା ପରୀକ୍ଷା କିଟ୍ ପ୍ରସ୍ତୁତିରେ ଲାଗି ପଡ଼ିଥିଲେ।

କରୋନା ପରୀକ୍ଷା ପାଇଁ ସ୍ଵଦେଶୀ କିଟ୍ ପ୍ରସ୍ତୁତ କଲେ ଭାରତୀୟ ଭାଇରୋଲୋଜିଷ୍ଟ ଡାକ୍ତର ମୀନଲ ଦଖାଓ୍ଵେ। ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ମହିଳା ଜଣକ ଏକ କନ୍ୟା ସନ୍ତାନକୁ ଜନ୍ମ ଦେବାର କିଛି ସମୟ ପୂର୍ବରୁ ହିଁ କରୋନା ପରୀକ୍ଷା କିଟ ପ୍ରସ୍ତୁତ କରି ପ୍ରୋଜେକ୍ଟ ଟିମକୁ ହସ୍ତାନ୍ତର କରିଥିଲେ। ପୁଣେସ୍ଥିତ ମାଇ ଲ୍ୟାବ୍ ଡିସ୍କୋଭେରୀ ନାମକ ଏକ ଡାକ୍ତରୀ ଗବେଷଣାଗାରରେ ଏହି କିଟ ପ୍ରସ୍ତୁତ ହୋଇଛି।

ଫେବ୍ରୁଆରି ମାସରେ ମାଇ ଲ୍ୟାବ୍ ଡିସ୍କୋଭେରୀ ପକ୍ଷରୁ ଏହି କିଟ୍ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଏନେଇ ମାଇ ଲ୍ୟାବ୍ ପକ୍ଷରୁ ଏକ ଟିମର ଗଠନ ହୋଇଥିଲା। ଏହି ଟିମର ନେତୃତ୍ଵ ନେଇଥିଲେ ମୀନଲ ଦଖାଓ୍ଵେ। ସେତେବେଳେ ସେ ୮ମାସର ଗର୍ଭବତୀ ରହିଥିଲେ। ତେବେ ଏଭଳି ଏକ ସମ୍ବେଦନଶୀଳ ମୁହୂର୍ତ୍ତରେ ନିଜ ସ୍ଵାସ୍ଥ୍ୟ କଥା ଚିନ୍ତା ନକରି କରୋନା କିଟ୍ ପ୍ରସ୍ତୁତିରେ ଲାଗି ପଡ଼ିଥିଲେ।

ମାଇ ଲ୍ୟାବ ଡିସ୍କୋଭେରି ପକ୍ଷରୁ ଏହି କିଟର ନାମ ପାଥୋ ଡିଟେକ୍ଟ ରଖାଯାଇଛି। ପୂର୍ବରୁ କରୋନା ଭାଇରସ ପରୀକ୍ଷା ପାଇଁ ଯେଉଁ କିଟର ବ୍ୟବହାର କରାଯାଉଥିଲା ସେଥିରେ କରୋନା ଫଳାଫଳ ଆସିବାକୁ ପ୍ରାୟ ୬ରୁ ୭ଘଣ୍ଟା ସମୟ ଲାଗୁଥିଲା। ତେବେ ପାଥୋ ଡିଟେକ୍ଟ କିଟ୍ ସାହାଯ୍ୟରେ ମାତ୍ର ୨ରୁ ୩ଘଣ୍ଟା ମଧ୍ୟରେ କରୋନା ପରୀକ୍ଷା ଫଳାଫଳ ମିଳି ପାରିବ।

ପୂର୍ବରୁ ଆମେରିକା ଏବଂ ୟୁରୋପରୁ ଆସୁଥିବା କରୋନା କିଟରେ ପରୀକ୍ଷା ହେଉଥିଲା। ଏଥିପାଇଁ ପ୍ରାୟ ୪,୫୦୦ଟଙ୍କା ଖର୍ଚ୍ଚ ହେଉଥିଲା। କିନ୍ତୁ ପାଥୋ ଡିଟେକ୍ଟରେ ମାତ୍ର ୧୨୦୦ ଟଙ୍କା ଖର୍ଚ୍ଚ ହେବ। ଏହାସହ ଗୋଟିଏ ପାଥୋ ଡିଟେକ୍ଟରେ ୧୦୦ଜଣଙ୍କ ନମୁନା ପରୀକ୍ଷା ହୋଇପାରିବ। ଏହାର ଅର୍ଥ ଗୋଟିଏ ନମୁନା ପରୀକ୍ଷା ପାଇଁ ଖର୍ଚ୍ଚ ହେବ ମାତ୍ର ୧୦୦ଟଙ୍କା। ଆମେରିକା ଏବଂ ୟୁରୋପରୁ ଆସୁଥିବା କରୋନା କିଟରେ କେବଳ ଗୋଟିଏ ନମୁନା ପରୀକ୍ଷା ହୋଇ ପାରୁଥିଲା।

ମାର୍ଚ୍ଚ ୧୮ ତାରିଖରେ ଯୁଦ୍ଧକାଳୀନ ପରିସ୍ଥିତିରେ ପାଥୋ ଡିଟେକ୍ଟ କିଟ୍ ପ୍ରସ୍ତୁତ କରିଥିଲେ ମୀନଲ। ପରେ ଏହାକୁ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ ଅଫ ଭାଇରୋଲୋଜୀକୁ ପରୀକ୍ଷା ପାଇଁ ପଠାଯାଇଥିଲା। ସେଠାରୁ ସ୍ଵୀକୃତି ମିଳିବା ପରେ ସେ ଏହି କିଟ୍ ବିକ୍ରି ଅନୁମତି ପାଇବା ପାଇଁ କେନ୍ଦ୍ରୀୟ ଔଷଧ ମାନ ନିୟନ୍ତ୍ରଣ ସଂଗଠନକୁ ପଠାଇଥିଲେ। ସେଠାରୁ ମଧ୍ୟ ଏହି କିଟ୍ ବିକ୍ରି କରିବାକୁ ଅନୁମତି ମଳିଥିଲା। ଏବେ ଇଣ୍ଡିଆନ୍ କାଉନସିଲ୍ ଫର୍ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଏହି କିଟ୍‌ ବ୍ୟବହାର ପାଇଁ ଅନୁମତି ଦେଇଛି।

ପ୍ରାଥମିକ ପର୍ଯ୍ୟାୟରେ ୧୫୦ଟି ପାଥୋ ଡିଟେକ୍ଟ କିଟ୍ ପ୍ରସ୍ତୁତ କରାଯାଇଛି। ଏହି କିଟ ପୁଣେ, ମୁମ୍ୱାଇ, ଗୋଆ ଏବଂ ବେଙ୍ଗାଲୁରୁକୁ ପଠାଯାଇଛି।

ମାଇ ଲ୍ୟାବ ଡିସ୍କୋଭେରିର ଡାକ୍ତର ଗୌତମ ଓ୍ୱାଙ୍ଖେଡେ କହିଛନ୍ତି ଯେ, ପାଥୋ କିଟ ପାଇଁ ଲ୍ୟାବର ସମସ୍ତ କର୍ମଚାରୀ ପ୍ରସ୍ତୁତ ଅଛନ୍ତି। ଦରକାର ପଡ଼ିଲେ ୨ ଲକ୍ଷ କିଟ୍ ତିଆରି କରାଯିବ। ସୋମାବର ସୁଦ୍ଧା ପାଥୋ ଡିଟେକ୍ଟ ସପ୍ଲାଇ ଆରମ୍ଭ କରାଯିବ।

ମାଇ ଲ୍ୟାବ ପକ୍ଷରୁ ପୂର୍ବରୁ ଏଚଆଇଭି, ହେପାଟାଇଟିସ ବି ଏବଂ ସି ଓ ଅନ୍ୟାନ୍ୟ ରୋଗ ପରୀକ୍ଷା ପାଇଁ କିଟ୍ ପ୍ରସ୍ତୁତ କରିଛି। ଏହି କିଟଗୁଡ଼ିକ ସଫଳ ପରୀକ୍ଷା ମଧ୍ୟ ହୋଇ ପାରୁଛି।

Comment