ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏପ୍ରିଲ ୧୪ରୁ ଭୁବନେଶ୍ୱରରେ ଚିହ୍ନଟ ହୋଇ ନାହାନ୍ତି ନୂଆ କରୋନା ଆକ୍ରାନ୍ତ।

ଭୁବନେଶ୍ୱରର ସ୍ଥିତି ସୁଧୁରୁଛି। ଗତ ୮ ଦିନ ହେଲା ନୂଆ କରୋନା ଆକ୍ରାନ୍ତ ଭୁବନେଶ୍ୱରରୁ ଚିହ୍ନଟ ହୋଇ ନାହାନ୍ତି। ସଟ୍‌ଡାଉନ୍‌ ବେଳେ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଇଥିବାରୁ ଏହା ସମ୍ଭବ ହୋଇଛି। ଏଣୁ କଟକ ଓ ଭୁବନେଶ୍ୱରରେ ଯେଉଁଭଳି ୪୮ ଘଣ୍ଟିଆ ସଟ୍‌ଡାଉନ୍‌ ଘୋଷଣା ହୋଇଥିଲା ତାହା ଯାଜପୁର, ଭଦ୍ରକ ଏବଂ ବାଲେଶ୍ୱରରେ ଲାଗୁ ହେବ ବୋଲି ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଘୋଷଣା କରିଛନ୍ତି।

ଏପ୍ରିଲ ୩ ତାରିଖରେ ଭୁବନେଶ୍ୱରରେ ୫ କରୋନା ଆକ୍ରାନ୍ତ ଥିଲେ। ହେଲେ ଏହିଦିନ ହିଁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଥିଲା। ୫ରୁ ୧୫ ହୋଇଥିଲା ଆକ୍ରାନ୍ତଙ୍କ ସଂଖ୍ୟା। ୫ ତାରିଖରେ ଆକ୍ରାନ୍ତଙ୍କ ସଂଖ୍ୟା ୧୮ ଛୁଇଁଥିଲା।

ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରୁ ରାଜ୍ୟ ସରକାର ଭୁବନେଶ୍ୱରରେ ୪୮ ଘଣ୍ଟିଆ ସଟ୍‌ଡାଉନ୍‌ ଘୋଷଣା କରିଥିଲେ। ୩ ତାରିଖ ରାତି ୮ଟାରୁ ୫ ତାରିଖ ଯାଏଁ ସଟ୍‌ଡାଉନ୍‌ ରହିଥିଲା ଭୁବନେଶ୍ୱର। ଦୋକାନ ବଜାର ବନ୍ଦ ରହିଥିଲା। କିଛି ନିର୍ଦ୍ଦିଷ୍ଟ ଔଷଧ ଦୋକାନ ଖୋଲା ରହିଥିଲା।

ସଟ୍‌ଡାଉନ୍‌ ବେଳେ ଭୁବନେଶ୍ୱରରେ କଣ୍ଟାକ୍ଟ ଟ୍ରେସିଂ କରାଯାଇଥିଲା। ପ୍ରଶାସନିକ କଳ ଏଥିରେ ଲାଗିପଡ଼ିଥିଲା। ଫଳରେ ଭୁବନେଶ୍ୱରରେ ଗତ ୧୪ ତାରିଖରୁ ଆଉ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇ ନଥିବା ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି।

୧୮ ତାରିଖ ଯାଏଁ ଆକ୍ରାନ୍ତଙ୍କ ସଂଖ୍ୟା ୬୧ରେ ଥିଲା। ହେଲେ ଏହାପରେ ରାଜ୍ୟରେ ପଜିଟିଭ୍‌ କେସ୍‌ ବଢ଼ି ଚାଲିଛି। ଗତ ୫ ଦିନରେ ୩୪ଟି ନୂଆ କେସ୍‌ ଆସିଛି। ସେଥିମଧ୍ୟରୁ ଗୋଟିଏ ସୁନ୍ଦରଗଡ଼ର ହୋଇଥିବା ବେଳେ ଆଉ ୩୩ଟି ଏହି ତିନି ଜିଲ୍ଲାର। ଏଣୁ ଭୁବନେଶ୍ୱର ସଟ୍‌ଡାଉନ୍‌ ଭଳି ଯାଜପୁର, ଭଦ୍ରକ ଏବଂ ବାଲେଶ୍ୱର ମଧ୍ୟ ସଟ୍‌ଡାଉନ୍‌ ରହିବ। ଏହି ୩ ଜିଲ୍ଲାରେ ୬୦ ଘଣ୍ଟିଆ ସଟ୍‌ଡାଉନ୍‌ ଘୋଷଣା ହୋଇଛି।

Comment