ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡାରୁ ତୁଷାର ରଞ୍ଜନ ସାହୁ): ମହାମାରୀ କରୋନା ମୁକାବିଲାରେ ଅତି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ସ୍ୱାସ୍ଥ୍ୟକର୍ମୀ, ପୋଲିସ, ପୌରପାଳିକା କର୍ମଚାରୀ ଓ ସ୍ୱେଚ୍ଛାସେବୀଙ୍କୁ ଦେଶବାସୀଙ୍କ ଶୁଭେଚ୍ଛାର ସୁଅ ଛୁଟିଛି। ପରିବାର ଓ ସମ୍ପର୍କୀୟଙ୍କଠାରୁ ଦୂରରେ ରହି ଏମାନେ ସେବା ଯୋଗାଉଥିବାରୁ ସାରା ଦେଶ ଏମାନଙ୍କୁ ସମ୍ମାନ ଜଣାଉଛି।

ଏହି ପରିପ୍ରେକ୍ଷୀରେ ରାୟଗଡା ଟାଉନ ଥାନାରେ କାର୍ଯ୍ୟରତ ଏଏସଆଇ ପି.ରାଭାଣା ଅଞ୍ଚଳବାସୀଙ୍କ ମଧ୍ୟରେ କରୋନା ଯୋଦ୍ଧା ରୂପେ ପରିଗଣିତ ହେଉଛନ୍ତି। କର୍ତ୍ତବ୍ୟନିଷ୍ଠ, ଲୋକଙ୍କୁ ସାହାଯ୍ୟ କରିବା ମନୋବୃତ୍ତି ପାଇଁ ରାୟଗଡାରେ ଜଣେ ଜଣାଶୁଣା ବ୍ୟକ୍ତି ପାଲଟିଛନ୍ତି ପି ରାଭାଣା। କରୋନା ମହାମାରୀ ମୁକାବିଲା ଆରମ୍ଭରୁ ସେ ରାୟଗଡାରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛିନ୍ତି। ତାଙ୍କୁ ରାୟଗଡ଼ାବାସୀ ସମ୍ମାନିତ କରିଛନ୍ତି।

କରୋନା ମହାମାରୀ ଭୂତାଣୁଠାରୁ ସୁରକ୍ଷିତ ରହିବା ପାଇଁ ଲୋକଙ୍କୁ ସଚେତନତା ବର୍ତ୍ତା ଦେଉଛନ୍ତି। ବଜାର ମଧ୍ୟରେ ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ଲୋକଙ୍କ ସମ୍ମୁଖରେ ହାତଯୋଡି ନିବେଦନ କରୁଥିବା ନଜିର ରହିଛି। ସବୁ ସମୟରେ ଏଏସଆଇ ରାଭାଣା ଲୋକଙ୍କ ନିକଟତର ହେବାକୁ ପ୍ରୟାସ କରିଥାନ୍ତି। ଅନ୍ୟ ପୁଲିସ ଅଧିକାରୀ ଲୋକଙ୍କୁ ବୁଝାସୁଝା କରିବା ସକାଶେ ନାଲି ଆଖି ଦେଖାଉଥିବା ବେଳେ ସେମାନଙ୍କଠୁ ଭିନ୍ନ ଏଏସଆଇ ରାଭାଣା ଲୋକଙ୍କୁ ବନ୍ଧୁ ଭଳି ବ୍ୟବହାର କରିଥାନ୍ତି।

ଏଭଳି ପୋଲିସ ଅଫିସରଙ୍କୁ ରାୟଗଡ଼ା  ପୌରାଞ୍ଚଳର ୨ ନଂ ୱାର୍ଡ ବାସ କରୁଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ସମ୍ମାନିତ କରାଯାଇଛି। ସଂଘର ସମସ୍ତ କର୍ମୀ ଏଏସଆଇ ପି. ରାଭାଣାଙ୍କ ସମେତ ତାଙ୍କ ଟିମ୍‌କୁ ଫୁଲମାଳ ଅର୍ପଣ କରି ସମ୍ବର୍ଦ୍ଧିତ କରିଛନ୍ତି।

Comment