ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ରବିବାର ଓଡ଼ିଶାରେ ଆଉ ୫୮ ଜଣ ଲୋକ କରୋନା ପଜିଟିଭ୍ ଥିବା ଜଣାପଡ଼ିଛି। ଫଳରେ ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୫୨ ଛୁଇଁଛି।

ନୂଆ ଆକ୍ରାନ୍ତ ହୋଇଥିବା ଏହି ଲୋକଙ୍କ ମଧ୍ୟରେ ଗଞ୍ଜାମରୁ ୨୯ ଜଣ ରହିଛନ୍ତି। ଏମାନେ ସମସ୍ତେ ସୁରତରୁ ଫେରିଥିବା ନେଇ ସୂଚନା ରହିଛି। ଫଳରେ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮ ଛୁଇଁଛି। ସେହିପରି ମୟୂରଭଞ୍ଜ ଜିଲ୍ଲାରୁ ଆଉ ଜଣେ କରୋନା ପଜିଟିଭ୍ ଧରାପଡ଼ିଛନ୍ତି। ସେ ମଧ୍ୟ ନିକଟରେ ସୁରତରୁ ଫେରିଥିଲେ ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ଏଥିସହ ବାଲେଶ୍ୱର ଜିଲ୍ଲାରୁ ୧୫ ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହି ନୂଆ ପଜିଟିଭଙ୍କ ମଧ୍ୟରୁ ୫ ଜଣ କର୍ଣ୍ଣାଟକରୁ ଫେରିଥିବାବେଳେ ୧୦ ଜଣ ପଶ୍ଚିମବଙ୍ଗ ଫେରନ୍ତା ବୋଲି ସୂଚନା ମିଳିଛି। ଫଳରେ ଏବେ ବାଲେଶ୍ୱର ଜିଲ୍ଲାରେ ପଜିଟିଭ୍ ସଂଖ୍ୟା ୪୨କୁ ବୃଦ୍ଧି ପାଇଛି।

ସେହିପରି ରାଜ୍ୟର ୨୦ ତମ ଜିଲ୍ଲା ଭାବେ ଅନୁଗୁଳରେ ପ୍ରବେଶ କରିଛି କରୋନା ଭାଇରସ୍। ଏଠାରେ ପ୍ରଥମ କରି ୧୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୧ଜଣ ସୁରତ ଫେରନ୍ତା, ଜଣେ ମହାରାଷ୍ଟ୍ର ଓ ଜଣେ ସ୍ଥାନୀୟ ଲୋକ ଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ରାଜ୍ୟରେ ଏବେ ପଜିଟିଭ୍ ସଂଖ୍ୟା ୩୫୨ରେ ପହଞ୍ଚିଛି। ସେଥିମଧ୍ୟରୁ ୬୮ ଜଣ ସୁସ୍ଥ ହୋଇଥିବାବେଳେ ଏବେ ବି ୨୮୧ ଜଣ ସକ୍ରିୟ ରହିଛନ୍ତି। ଅନ୍ୟପଟେ ଗଞ୍ଜାମ ଜିଲ୍ଲାରେ ଆଉ ଜଣେ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଫଳରେ ଏବେ ରାଜ୍ୟରେ କରୋନାରେ ମୃତକଙ୍କ ସଂଖ୍ୟା ୩କୁ ବୃଦ୍ଧି ପାଇଛି।

Comment