ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ମାର୍ଚ୍ଚ ୧୬ ତାରିଖରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ କିଭଳି ଭାବେ କରୋନା ଆକ୍ରାନ୍ତ ବୃଦ୍ଧି ପାଇଲେ ଜାଣନ୍ତୁ, ଏହି ରିପୋର୍ଟରେ…

ରାଜ୍ୟରେ ଦିନକୁ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ରବିବାର ସୁଦ୍ଧା ଏହି ସଂଖ୍ୟା ୩୫୦ଟପିଛି। ପ୍ରଥମେ ବିଦେଶୀ, ଦ୍ୱିତୀୟରେ ନିଜାମୁଦ୍ଦିନ୍ ଏବଂ ପଶ୍ଚିମବଙ୍ଗ ଫେରନ୍ତା ଓଡ଼ିଶା ପାଇଁ ଚିନ୍ତା ବଢ଼ାଇଥିଲେ। ଏହାପରେ ଏବେ ପ୍ରବାସୀ ଶ୍ରମିକମାନେ ଓଡ଼ିଶାକୁ ଫେରିବା ପରେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦୁଇଗୁଣା ବୃଦ୍ଧି ପାଇଛି।

ତେବେ ଓଡ଼ିଶାରେ ଏହି ମହାମାରୀ କରୋନା ଭାଇରସ୍ କିପରି ଭାବେ ନିଜର କାୟା ବିସ୍ତାର କଲା ଜାଣନ୍ତୁ….

ମାର୍ଚ୍ଚ ୧୬ରେ ପ୍ରଥମ ପଜିଟିଭ୍

ସାରା ଦେଶରେ ଯେତେବେଳେ କରୋନା ଭାଇରସ୍ ଧୀରେ ଧୀରେ ନିଜର ବଂଶ ବିସ୍ତାର କରିବା ଆରମ୍ଭ କରିଥିଲା। ସେ ସମୟରେ ଓଡ଼ିଶା ମଧ୍ୟ ନିଜକୁ କରୋନା ମୁକାବିଲା ପାଇଁ ସଜାଗ କରି ରଖିଥିଲା। ଏହାରି ଭିତରେ ମାର୍ଚ୍ଚ ୧୬ ତାରିଖରେ ରାଜ୍ୟରେ ପ୍ରଥମ କରି ଜଣେ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ଇଟାଲୀ ଫେରନ୍ତା ଜଣେ ୩୧ ବର୍ଷୀୟ ବ୍ୟକ୍ତି ପାଖରେ କରୋନା ଭାଇରସ୍ ଥିବା ଜଣାପଡ଼ିଥିଲା।

ଏହାପରେ ସାରା ରାଜ୍ୟରେ ଆତଙ୍କ ଖେଳିଯାଇଥିଲା। ଆକ୍ରାନ୍ତ ଜଣଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଆରମ୍ଭ କରାଯାଇଥିଲା। ଏହାପରେ ଓଡ଼ିଶାକୁ ବିଦେଶରୁ ଫେରିଥିବା ସମସ୍ତ ନାଗରିକଙ୍କ ଉପରେ ନଜର ରଖାଯାଇଥିଲା। ଏୟାରପୋର୍ଟରେ ସ୍କ୍ରିନିଂ ସହ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ ଆରମ୍ଭ ହୋଇଥିଲା।

କେନ୍ଦ୍ର ସରକାରଙ୍କ ଲକଡାଉନ୍ ଘୋଷଣା

କରୋନା ପରିସ୍ଥିତିକୁ ମୁକାବିଲା କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ସାରା ଦେଶରେ ଲକାଡାଉନ୍ ଘୋଷଣା କରିଥିଲେ। ମାର୍ଚ୍ଚ ୨୪ ତାରିଖରୁ ଏପ୍ରିଲ୍ ୧୪ ପର୍ଯ୍ୟନ୍ତ ୨୧ ଦିନିଆ ଲକଡାଉନ୍ ସାରା ଦେଶରେ ପାଳନ କରାଯାଇଥିଲା। ଏହାରି ମଧ୍ୟରେ କିନ୍ତୁ ବିଦେଶରୁ ଅନେକ ଲୋକ ଭାରତ ଓ ଓଡ଼ିଶାକୁ ଫେରିଥିଲେ। ବିଦେଶରୁ ଓଡ଼ିଶା ଫେରିଥିବା ୭ ଜଣ ଲୋକଙ୍କ ପାଖରେ କରୋନା ପଜିଟିଭ୍ ଥିବା ଜଣାପଡ଼ିଥିଲା। ପରେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରି ଚିକିତ୍ସା ଆରମ୍ଭ କରାଯାଇଥିଲା।

ଚିନ୍ତା ବଢ଼ାଇଲା ନିଜାମୁଦ୍ଦିନ୍

ସାରା ଦେଶ କରୋନା ବିରୋଧରେ ଯୁଦ୍ଧ ଲଢ଼ୁଥିବାବେଳେ ଦିଲ୍ଲୀର ନିଜାମୁଦ୍ଦିନ୍ ଧର୍ମ ସମ୍ମିଳନୀ ସମସ୍ତଙ୍କ ପାଇଁ ଚିନ୍ତା ବଢ଼ାଇ ଦେଇଥିଲା। ଏହି ଧର୍ମ ସମ୍ମିଳନୀରେ ଯୋଗ ଦେଇଥିବା ବିଭିନ୍ନ ଲୋକଙ୍କ ପାଖରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲା। ଓଡ଼ିଶାର କିଛି ଲୋକ ମଧ୍ୟ ଏହି ଧର୍ମ ସମ୍ମିଳନୀରେ ଯୋଗ ଦେବାକୁ ଯାଇଥିଲେ। ଫଳରେ ଓଡ଼ିଶାରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକ୍ରମେ ନିଜମୁଦ୍ଦିନ୍ ଧର୍ମ ସମ୍ମିଳନୀରେ ଯୋଗ ଦେଇଥିବା ବିଭିନ୍ନ ଲୋକମାନେ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ମୋଟ ୪୧ଜଣଙ୍କ ପାଖରେ କରୋନା ଭାଇରସ୍ ଦେଖା ଦେଇଥିଲା। ଏଭଳି ଭାବେ ଦିନକୁ ଦିନ ଓଡ଼ିଶାରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଥିଲା।

ବାଲେଶ୍ୱର,ଭଦ୍ରକରେ ପଶ୍ଚିମବଙ୍ଗ ଫେରନ୍ତା

ଓଡ଼ିଶାରେ ସଂକ୍ରମଣ ହାରକୁ ବୃଦ୍ଧି କରିଥିଲେ ପଶ୍ଚିମବଙ୍ଗ ଫେରନ୍ତା କିଛି ଲୋକ। କୋଲକାତାର ବିଭିନ୍ନ ଅଞ୍ଚଳରେ କାମ କରିବାକୁ ଯାଇଥିବା କିଛି ଲୋକମାନେ ସୀମା ଡେଇଁ ଓଡ଼ିଶା ଫେରିଥିଲେ। ଯାହା ଫଳରେ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଥିଲା। ଉତ୍ତର ଓଡ଼ିଶା ଜିଲ୍ଲା ବାଲେଶ୍ୱର, ଭଦ୍ରକ ଆଦିମାନଙ୍କରେ ପଶ୍ଚିମବଙ୍ଗ ଫେରନ୍ତାମାନେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ଫଳରେ ରାଜ୍ୟରେ କରୋନା ପଜିଟିଭ୍ ସଂଖ୍ୟା ଶହେ ପାର୍ କରିଥିଲା। ପଶ୍ଚିମବଙ୍ଗରୁ ଫେରିଥିବା ଶହେରୁ ଅଧିକ ଲୋକଙ୍କ ପାଖରେ କରୋନା ଭାଇରସ୍ ଦେଖିବାକୁ ମିଳିଥିଲା।

ରାଜ୍ୟକୁ ଫେରୁଛନ୍ତି ପ୍ରବାସୀ ଓଡ଼ିଆ

ତୃତୀୟ ପର୍ଯ୍ୟାୟ ଲକଡାଉନ୍ ଶେଷ ହେବ ପୂର୍ବରୁ ଏବେ ବାହାର ରାଜ୍ୟରେ ଫସି ରହିଥିବା ଓଡ଼ିଆମାନେ ନିଜ ରାଜ୍ୟକୁ ଫେରୁଛନ୍ତି। ବିଶେଷକରି ଗୁଜରାଟର ସୁରତ ଅଞ୍ଚଳରୁ ଅଧିକାଂଶ ଓଡ଼ିଆ ନିଜ ରାଜ୍ୟକୁ ଫେରୁଛନ୍ତି। ଏହା ମଧ୍ୟରେ ଗଞ୍ଜାମ ଜିଲ୍ଲାର ଅଧିକାଂଶ ଲୋକ ରହିଥିବା ଦେଖିବାକୁ ମିଳୁଛି। ପ୍ରବାସୀ ଓଡ଼ିଆମାନେ ରାଜ୍ୟକୁ ଫେରିବା ପରେ କେବଳ ଗଞ୍ଜାମ ଜିଲ୍ଲାରେ ୧୧୮ ଜଣ ପଜିଟିଭ୍ ଚିହ୍ନଟ ହୋଇସାରିଲେଣି। ରାଜ୍ୟରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ୩ଶହ ପାର୍ କରିସାରିଲାଣି। ଆଗକୁ ମଧ୍ୟ ଏହି ସଂଖ୍ୟା ବଢ଼ିବ ବୋଲି କୁହାଯାଉଛି।

Comment