ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ସଂକ୍ରମଣକୁ ରୋକିବା ପାଇଁ ମାର୍ଚ୍ଚ ୨୪ରୁ ମେ ୧୭ ପର୍ଯ୍ୟନ୍ତ ସମଗ୍ର ଦେଶରେ ଲକଡାଉନ ଘୋଷଣା କରାଯାଇଥିଲା। ଏହି ଲକଡାଉନ ଫଳରେ ଦେଶର ଅର୍ଥନୀତି ପୂରାପୂରି ବିଗିଡ଼ି ଯାଇଥିବା ବେଳେ ଲୋକଙ୍କର ରୋଜଗାର ବି ଚାଲି ଯାଇଛି। ଏହି ସ୍ଥିତିରେ ପ୍ରଶ୍ନ ଉଠୁଛି ୧୭ ତାରିଖ ପରେ ସରକାର କଣ ପଦକ୍ଷେପ ନେବାକୁ ଯାଉଛନ୍ତି? କଣ ଲକଡାଉନ ପୂରା ଉଠାଇ ନିଆଯିବ? ନା ପୂର୍ବଭଳି କଟକଣା ଜାରି ରହିବ?

ସରକାରୀ ସୂତ୍ର ଅନୁଯାୟୀ ସରକାର ପୂରା ଜିଲ୍ଲା ବା ସହରରେ ପ୍ରତିବନ୍ଧକ ଲଗାଇବା ବଦଳରେ କେବଳ ହଟସ୍ପଟରେ ହିଁ କଟକଣା ଲାଗୁ କରିବେ। ଦେଶର ଆର୍ଥିକ ଅବସ୍ଥା ଗୁରୁତର ହୋଇ ପଡ଼ିଥିବାରୁ ଅଧିକ ସମୟ ଧରି ଲକଡାଉନ ଜାରି ରଖିବା ଠିକ ହେବ ନାହିଁ ବୋଲି ଦିଲ୍ଲୀ ମହଲରେ ଚର୍ଚ୍ଚା ହେଉଛି। କଣ୍ଟେନମେଣ୍ଟ ଜୋନକୁ ଛାଡ଼ି ବାକି ସବୁ ଅଂଚଳରେ କାରବାର ଆରମ୍ଭ ପାଇଁ ସରକାର ଘୋଷଣା କରି ପାରନ୍ତି। ପୂର୍ବରୁ ଗୁଡ଼ାଏ କାର୍ଯ୍ୟ କଳାପକୁ ଅନୁମତି ପ୍ରଦାନ କରାଯାଇ ସାରିଛି।

ଖବର ଆସୁଛି ଯେ ଦେଶରେ ଆର୍ଥିକ କାର୍ଯ୍ୟ କଳାପକୁ ସରକାର ଆଉ ଅଧିକ ସମୟ ଧରି ଅଟକାଇ ରଖି ପାରିବେ ନାହିଁ। ଶ୍ରମିକମାନଙ୍କ ଅଭାବରୁ କାମଧନ୍ଦା ଓ ଶିଳ୍ପ କାରଖାନା ଆରମ୍ଭ କରିବା ପାଇଁ ଅନୁମତି ମିଳିଥିଲେ ହେଁ ତାହା ଆରମ୍ଭ ହୋଇ ପାରୁନାହିଁ। କାମ କରିବା ପାଇଁ ଲୋକ ନଥିବାରୁ ଦେଶ ଭିତରେ ଜିନିଷପତ୍ର ପରିବହନ ବି ହୋଇ ପାରୁନାହିଁ।

ଲକଡାଉନ ଆରମ୍ଭ ହେବା ପୂର୍ବରୁ ଦୈନିକ  ପ୍ରାୟ ୨୫ ଲକ୍ଷ ୱେ ବିଲ କଟା ହେଉଥିଲା। କିନ୍ତୁ ଲକଡାଉନ ପରେ ଏହା ୫ ଲକ୍ଷକୁ ଖସି ଆସିଛି।

ଏଥିରେ ଆଉ ଏକ ସମସ୍ୟା ବି ରହିଛି। ଅଧିକାଂଶ ରାଜ୍ୟ କରୋନା ସଂକ୍ରମଣର ବ୍ୟାପକତାକୁ ଦେଖି ଏବେ ବି ପ୍ରତିବନ୍ଧକ ଜାରି ରଖିଛନ୍ତି। ଏଣୁ ସୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣି ଥରେ ମୁଖ୍ୟମନ୍ତ୍ରୀମାନଙ୍କ ସହ କଥା ହେବେ। ଆଗକୁ କଣ କରିବା ପାଇଁ ହେବ ସେହି ବିଚାର ବିମର୍ଶ ସୋମବାର ଦିନ ଅନୁଷ୍ଠିତ ହେବ। ତା’ ପରେ ଯାଇ ଲକଡାଉନ ରଣନୀତି ସ୍ଥିର କରାଯିବ।

ଇତି ମଧ୍ୟରେ କିଛି ରାଜ୍ୟର ମୁଖ୍ୟମନ୍ତ୍ରୀ ଲକଡାଉନ ବଢାଇବା ପାଇଁ କହିଛନ୍ତି। ତେଲେଙ୍ଗାନା ସରକାର ତ ମେ’ ୨୯ ପର୍ଯ୍ୟନ୍ତ ଲକଡାଉନ ସମୟ ବଢ଼ାଇ ସାରିଛନ୍ତି। ମେ’ ମାସ ଆରମ୍ଭରୁ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ଲଗାତାର ବଢୁଥିବା କାରଣରୁ କେନ୍ଦ୍ର ଓ ରାଜ୍ୟ ସରକାର ମାନେ ଲକଡାଉନକୁ ନେଇ ଏକ ପ୍ରକାର ଦ୍ୱନ୍ଦ୍ୱରେ ପଡିଛନ୍ତି।

Comment