ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜିକାଲି କେଶ ରଙ୍ଗ କରିବା ଏକ ଫ୍ୟାସନ ପାଲଟିଛି। ପାଚି ନଥିଲେ ମଧ୍ୟ ନିଜ କେଶକୁ ଷ୍ଟାଇଲ୍ କରିବା ପାଇଁ ବା ଷ୍ଟାଇଲିସ୍‌ ଲୁକ୍‌ ଦେବା ପାଇଁ ପୁରୁଷ ମହିଳା ସମସ୍ତେ କେଶକୁ ରଙ୍ଗ କରୁଛନ୍ତି। କିନ୍ତୁ କେଶକୁ ରଙ୍ଗ କରିବା ବେଳେ କିଛିଟା ଦିଗ ପ୍ରତି ଧ୍ୟାନ ଦେବା ଜରୁରୀ।

ଘରେ କେଶ ରଙ୍ଗ କରୁଥିଲେ ପ୍ରତିଥର ବ୍ୟବହାର ପରେ ବ୍ରଶ୍‌କୁ ଭଲ ଭାବେ ଧୋଇ ପରିଷ୍କାର କରନ୍ତୁ। ସେହିପରି ଆପଣଙ୍କ ପାନିଆ ଯେପରି ଅନ୍ୟ କେହି ବ୍ୟବହାର ନ କରନ୍ତି ସେଥିପ୍ରତି ବି ଗୁରୁତ୍ୱ ଦିଅନ୍ତୁ। ନ ହେଲେ ସଂକ୍ରମଣର ଭୟ ରହିବ।

ବର୍ଗଣ୍ଡି ରଙ୍ଗ ସବୁ ବୟସର ମହିଳାଙ୍କୁ ଭଲ ଲାଗିଥାଏ। ତେବେ ଆଉ ଟିକେ ଷ୍ଟାଇଲିଶ୍ ଲୁକ୍ ଚାହୁଁଥିଲେ ବ୍ରାଉନ୍ ବା ଏହାଠାରୁ ହାଲକା ସେଡ୍‌ର ବ୍ୟବହାର କରନ୍ତୁ।

ଇଚ୍ଛାହେଲେ ସମୁଦାୟ କେଶକୁ ରଙ୍ଗ ନ କରି ଅଳ୍ପ ଟିକେ ରଙ୍ଗ କରିପାରିବେ। ତେବେ ସାମ୍ନାରୁ ରଙ୍ଗ କଲେ ବେଶ୍ ଭଲ ମାନିଥାଏ।

କେଶ ରଙ୍ଗ କରିବା ପୂର୍ବରୁ ଭଲ ଭାବେ କେଶକୁ ସଫା କରନ୍ତୁ। ନ ହେଲେ ରଙ୍ଗ ଅଧିକ ଦିନ ରହିବ ନାହିଁ।

ପ୍ରାକୃତିକ ଭାବେ କେଶକୁ ରଙ୍ଗ କରିବାକୁ ଇଚ୍ଛାଥିଲେ ମେହେନ୍ଦୀ ଆପଣଙ୍କ ପାଇଁ ଏକ ଭଲ ବିକଳ୍ପ ହୋଇପାରିବ। ତେବେ ମେହେନ୍ଦୀ କରିବା ପୂର୍ବରୁ ପୂର୍ବଦିନ ରାତିରେ ପାଣିରେ କିଛି ଚା’ ପତି ମିଶାଇ ରଖିଦିଅନ୍ତୁ। ଏହାଦ୍ୱାରା ମେହେନ୍ଦୀର ରଙ୍ଗ ଅଧିକ ଦିନ ପର୍ଯ୍ୟନ୍ତ ରହିବ।

କେଶ ରଙ୍ଗ କରିବା ସମୟରେ ହାତକୁ କେବେହେଲେ ଆଖିରେ ଲଗାନ୍ତୁ ନାହିଁ। ଆଖି ସଂକ୍ରମଣ ହେବାର ଆଶଙ୍କା ରହିଥାଏ।

Comment