ଓଡିଶାଲାଇଭ୍ ବ୍ୟୁରୋ

  •  ଟିକ୍‌ଟକ୍‌ ବ୍ୟାନ ପରେ ବଢ଼ିଲା ଚିଙ୍ଗାରିର ଲୋକପ୍ରିୟତା
  • ଅନ୍ୟ ଦୁଇ ଇଞ୍ଜିନିୟରଙ୍କ ସହ ମିଶି ଆପ୍ ପ୍ରସ୍ତୁତ କରିଛନ୍ତି ଓଡ଼ିଆ ଯୁବକ
  • ଦିନକୁ ଡାଉନଲୋଡ କରୁଛନ୍ତି ଲକ୍ଷ ଲୋକ
  • ଏଯାଏଁ ଡାଉନଲୋଡ କଲେଣି ୨୫ ଲକ୍ଷ

ଚୀନ ବିରୋଧରେ ଭାରତ କରିଛି ଡିଜିଟାଲ ଷ୍ଟ୍ରାଇକ୍। ଚୀନର ୫୯ଟି ଆପ୍ଲିକେସନକୁ ବ୍ୟାନ କରିଛନ୍ତି ଭାରତ ସରକାର। ଏଥିରେ ସବୁଠୁ ବେଶି ଲୋକପ୍ରିୟତା ହାସଲ କରିଥିବା ଟିକଟକ୍ ମଧ୍ୟ ସାମିଲ ଅଛି। ଭାରତର ଲକ୍ଷ ଲକ୍ଷ ଲୋକ ଟିକଟକ୍ ବ୍ୟବହାର କରୁଥିଲେ। ଏବେ ଟିକଟକ୍ ବନ୍ଦ ହୋଇଯିବା ପରେ ଭାରତୀୟ ଡିଜିଟାଲ ଏଣ୍ଟରଟେନମେଣ୍ଟ ଦୁନିଆରେ ଚହଳ ପକାଇଛି ଟିକଟକର ବିକଳ୍ପ ଆପ୍ ‘ଚିଙ୍ଗାରି’। ଘଣ୍ଟାକୁ ୧ ଲକ୍ଷ ଲୋକ ଏହି ଆପକୁ ଡାଉନଲୋଡ କରୁଛନ୍ତି। ସ୍ଥିତି ଏମିତି ହୋଇଛି ଯେ କମ୍ପାନି ସର୍ଭିସ ଯୋଗେଇବା କଷ୍ଟକର ହୋଇପଡ଼ିଛି।

କିଛି ଦିନ ମଧ୍ୟରେ ଭାରତର ୨୫ ଲକ୍ଷ ଲୋକ ଏହାକୁ ଡାଉନଲୋଡ କରିସାରିଲେଣି। ସବୁଠୁ ଖୁସିର କଥା ହେଉଛି, ଏହାକୁ ତିଆରି କରିଥିବା ୩ ଜଣ ଆଇଟି ପ୍ରଫେସନାଲଙ୍କ ଭିତରେ ଜଣେ ଓଡ଼ିଆ ଯୁବକ ଅଛନ୍ତି। ଓଡ଼ିଶାର କଟକ ଜିଲ୍ଲାର ଅଡ଼ଶପୁର ବାସିନ୍ଦା ବିଶ୍ଵାତ୍ମା ନାୟକ, କର୍ଣ୍ଣାଟକର ସିଦ୍ଧାର୍ଥ ଗୌତମ ଓ ଛତିଶଗଡ଼ର ସୁମିତ ଘୋଷ ଏହି ଆପ୍ଲିକେସନକୁ ଡେଭଲପ୍ କରିଛନ୍ତି।

ଚିଙ୍ଗାରି ଆପର ଲୋକପ୍ରିୟତା ଏତେ ବଢ଼ିଯାଇଛି ଯେ ଘଣ୍ଟାକୁ ଏକ ଲକ୍ଷ ଲୋକ ଏହାକୁ ଡାଉନଲୋଡ କରୁଛନ୍ତି। ଫଳରେ ଟ୍ରାଫିକ ସମସ୍ୟା ଉପୁଜୁଥିବାରୁ ସର୍ଭିସ ଯୋଗେଇବାରେ ଅସୁବିଧା ହେଉଛି। ଏଣୁ ଲୋକଙ୍କୁ ଧୈର୍ଯ୍ୟ ରଖିବାକୁ ଆପର ଡେଭେଲପର ସୁମିତ ଘୋଷ ଅନୁରୋଧ କରିଛନ୍ତି।

ଚିଙ୍ଗାରି ଆପକୁ ପ୍ରସ୍ତୁତ କରିବା ପାଇଁ ୨ ବର୍ଷ ସମୟ ଲାଗିଥିଲା। ଏଥିରେ ଭାରତୀୟମାନଙ୍କ ଆବଶ୍ୟକତାକୁ ପ୍ରାଧାନ୍ୟ ଦିଆଯାଇଛି ବୋଲି ସୁମିତ କହିଛନ୍ତି। ୨୦୧୮ ନଭେମ୍ବର ମାସରୁ ଏହି ଆପ୍ ଗୁଗୁଲ ପ୍ଲେ ଷ୍ଟୋରରେ ଉପଲବ୍ଧ ଥିଲେ ମଧ୍ୟ ଏତେ ଲୋକପ୍ରିୟ ହୋଇନଥିଲା। କିନ୍ତୁ ଭାରତ- ଚୀନ ସୀମା ବିବାଦ ପରେ ଟିକଟକକୁ ପ୍ରତ୍ୟାଖ୍ୟାନ କରି ଲୋକମାନେ ଚିଙ୍ଗାରିକୁ ଖୁବ୍ ପସନ୍ଦ କରୁଛନ୍ତି। ଗତ କିଛି ଦିନ ମଧ୍ୟରେ ୨୫ ଲକ୍ଷରୁ ଉର୍ଦ୍ଧ୍ଵ ଲୋକ ଚିଙ୍ଗାରି ଆପକୁ ଡାଉନଲୋଡ କରିସାରିଛନ୍ତି।

ଏହି ଆପ୍ଲିକେସନରେ ଓଡ଼ିଆ, ଗୁଜୁରାଟୀ, ହିନ୍ଦୀ ଆଦି ୧୧ଟି ଭାରତୀୟ ଭାଷାରେ ଭିଡିଓ କରିବା ପାଇଁ ଅପ୍ସନ ରହିଛି। ଗତକାଲି ସରକାର ଟିକଟକକୁ ବ୍ୟାନ କଲାପରେ ଚିଙ୍ଗାରି ଆପ୍ ବ୍ୟବହାର ବଢ଼ିବା ନେଇ ଏହାର ଡେଭେଲପରମାନେ ଉତ୍ସାହିତ ଅଛନ୍ତି।

Comment