ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା। ଆଜି ଜନ୍ମବେଦୀରୁ ରତ୍ନବେଦୀକୁ ଫେରିବେ ଚତୁର୍ଦ୍ଧାମୂର୍ତ୍ତି। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। କିଛି ସମୟ ପରେ ଶ୍ରୀମନ୍ଦିରକୁ ବାହୁଡ଼ିବେ ମହାପ୍ରଭୁ।

ଆଜି ସକାଳ ୮ଟାରୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ଆରମ୍ଭ ହେବ। ସକାଳ ୮ ଟାରୁ ୧୦ଟା ଭିତରେ ମହାପ୍ରଭୁ ଆସି ରଥ ଉପରେ ବିଜେ କରିବେ। ଏହାପରେ ସକାଳ ସାଢ଼େ ୧୦ରୁ ସାଢ଼େ ୧୧ଟା ଭିତରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଆସି ରଥ ଉପରେ ଛେରାପହଁରା କରିବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।

ଏଥିସହିତ ଗଜପତି ମହାରାଜା ଛେରାପହଁରା କରିବା ପରେ ମଧ୍ୟାହ୍ନ ୧୨ଟାରୁ ରଥଟଣା ଆରମ୍ଭ ହେବ ବୋଲି ନୀତି ନିର୍ଘଣ୍ଟ କରାଯାଇଛି।

ସୁରକ୍ଷାକୁ ଦୃଷ୍ଟିରେ ରଖି ୭୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଏହାସହ କାଲି ରାତି ୧୦ଟାରୁ ୪୮ ଘଣ୍ଟିଆ କର୍ଫ୍ୟୁ ଲାଗୁ ହୋଇଛି। ଭକ୍ତମାନଙ୍କୁ ବଡ଼ଦାଣ୍ଡକୁ ଆସିବାକୁ ମନା କରାଯାଇଛି। କେବଳ ସେବାୟତମାନେ ରଥ ଟାଣିବେ ବୋଲି ଜଣାପଡ଼ିଛି।

ଚଳିତ ବର୍ଷ କରୋନା କଟକଣା ଭିତରେ ମହାପ୍ରଭୁଙ୍କ ରଥଯାତ୍ରା ଆୟୋଜନ କରାଯାଉଛି। ତେଣୁ ବିନା ଭକ୍ତରେ କେବଳ ସେବାୟତମାନଙ୍କୁ ନେଇ ଏଥର ରଥଯାତ୍ରା ଆୟୋଜନ କରାଯାଉଛି।

Comment