ଓଡ଼ିଶାଲାଇଭ୍ ବ୍ୟୁରୋ

sangeeta sahoo

 

(ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ଚକୋଲେଟ୍ ଖାଇବାକୁ କିଏ ବା ପସନ୍ଦ ନକରେ। ମାର୍କେଟରେ ଚକୋଲେଟର ଚାହିଦା କେବେ ବି କମି ନଥାଏ କାରଣ ପିଲାଠାରୁ ବୁଢ଼ା ଯାଏଁ ସମସ୍ତେ ଏହାକୁ ଖାଇବାକୁ ଭଲପାଆନ୍ତି। ତେବେ ନବରଙ୍ଗପୁରର ସଙ୍ଗୀତା ସାହୁ ନିଜ ଘରେ ଚକୋଲେଟ୍ ତିଆରି କରି ଭଲ ରୋଜଗାର କରୁଛନ୍ତି। କେବଳ ସେତିକି ନୁହେଁ, ତାଙ୍କ ହାତ ତିଆରି ଚକୋଲେଟର ଖୁବ୍ ଚାହିଦା ମଧ୍ୟ ରହିଛି। ଏହି ଚକୋଲେଟର ନାଁ ରଖିଛନ୍ତି ଗୋଲୁସ ଚକ୍କି।

CGU new

ନବରଙ୍ଗପୁରର ଏକ ଘରୋଇ ମହାବିଦ୍ୟାଳୟରେ ଅର୍ଥଶାସ୍ତ୍ର ଅଧ୍ୟାପିକା ଅଛନ୍ତି ସଙ୍ଗୀତା ସାହୁ। ରୋଜଗାର ବୃଦ୍ଧି ତଥା ଆତ୍ମନିର୍ଭରଶୀଳ ହେବା ପାଇଁ ସେ ନିଜର ବାଟ କାଢ଼ିଛନ୍ତି। ମହିଳାମାନଙ୍କ ଆର୍ଥିକ ବିକାଶ ପାଇଁ ନବରଙ୍ଗପୁର ପ୍ରଶାସନ ତରଫରୁ ୨୪ ଜଣ ମହିଳାଙ୍କୁ ହାଇଦ୍ରାବାଦସ୍ଥିତ ସେଣ୍ଟ୍ରାଲ ଫୁଡ୍ ଟେକ୍ନୋଲୋଜିକାଲ ଇନଷ୍ଟିଚ୍ୟୁଟ (CFTI) କୁ ପଠାଯାଇଥିଲା ୨୦୧୯ ଅକ୍ଟୋବରରେ ସଙ୍ଗୀତା ସେଠାକୁ ଯାଇଥିଲେ। ସେଠାରେ ଘରୋଇ ଉଦ୍ୟୋଗ ମାଧ୍ୟମରେ ମହିଳାମାନେ କିଭଳି ବିକାଶ କରିପାରିବେ, ସେ ବିଷୟରେ ସେ ଶିକ୍ଷା ଗ୍ରହଣ କରିଥିଲେ। ଏହା ସହ ଫ୍ରୁଟ ଜୁସ୍, ଆଚାର, କେକ୍, ଚକୋଲେଟ ଆଦି କିପରି ପ୍ରସ୍ତୁତ ହୁଏ ତାହା ମଧ୍ୟ ଶିଖିଥିଲେ।

sangeeta sahoo

 

ସେଠାରୁ ଫେରିବା ପରେ ସଙ୍ଗୀତା ନିଜ ଘରେ ବିଭିନ୍ନ ଫ୍ଲେବରର ଚକୋଲେଟ୍ ତିଆରି କରିବା ଆରମ୍ଭ କଲେ। ଏନେଇ ତାଙ୍କ ପରିବାର ତରଫରୁ ତାଙ୍କୁ ଖୁବ୍ ସପୋର୍ଟ ମିଳିଲା। ବର୍ତ୍ତମାନ ସେ ନିଜ ଅଞ୍ଚଳର ଜଣେ ଜଣାସୁଣା ଚକୋଲେଟ୍ ମେକର ଭାବେ ପରିଚିତ। ଘରେ ତିଆରି କରୁଥିବା ଏହି ଚକୋଲେଟର ନାଁ ସେ ଗୋଲୁସ ଚକ୍କି ରଖିଛନ୍ତି। ଗୋଟାଏକୁ ପାଞ୍ଚ ଟଙ୍କା ରହିଛି ଏହି ଚକୋଲେଟର ଦାମ। ୫୦ ଏବଂ ୧୦୦ଟି ପିସ୍ ଥିବା ଦୁଇଟ୍ ଆକର୍ଷଣୀୟ ପ୍ୟାକିଂରେ ସେ ଏହାକୁ ବିକୁଛନ୍ତି। ମାସକୁ ପ୍ରାୟ ୧୦,୦୦୦ ଟଙ୍କା ରୋଜଗାର କରୁଛନ୍ତି ସଙ୍ଗୀତା।

sangeeta sahoo chocolates

ବିବାହ ବା ଜନ୍ମଦିନ ଭଳି କାର୍ଯ୍ୟକ୍ରମର ଅର୍ଡର ଆସିଥାଏ ସଙ୍ଗୀତାଙ୍କ ପାଖକୁ। ଏହା ସହ ହୋକାନୀମାନେ ମଧ୍ୟ ଆସି ଏହି ଚକୋଲେଟ୍ କିଣି ନିଅନ୍ତି। ଦୁଇ କିଲୋ ଚକୋଲେଟ ତିଆରି ପାଇଁ ପ୍ରାୟ ତିନି ଘଣ୍ଟା ସମୟ ଲାଗେ। କିନ୍ତୁ ମେସିନ ଦ୍ୱାରା ଏହା ମାତ୍ର ସାତ ମିନିଟରେ ହୋଇପାରିବ। ଚକୋଲେଟକୁ ନେଇ ଘରୋଇ କୁଟୀର ଶିଳ୍ପ ମାଧ୍ୟମରେ ମହିଳାମାନଙ୍କୁ ରୋଜଗାର ଦେବାର ଲକ୍ଷ ରଖିଛନ୍ତି ସଙ୍ଗୀତା। ତେବେ ଏଥିପାଇଁ ସରକାରଙ୍କଠାରୁ କିଛି ସହାୟତାର ଆଶା ରଖିଛନ୍ତି ସେ। ତାଲିମର ସଦୂପଯୋଗ ସହ ସଠିକ୍ ପରିଶ୍ରମ ଦ୍ୱାରା ମହିଳାମାନେ କିପରି ଆତ୍ମ ନିର୍ଭରଶୀଳ ହୋଇପାରିବେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ପାଲଟିଛନ୍ତି ସଙ୍ଗୀତା।

Comment