ଓଡିଶାଲାଇଭ୍ ବ୍ୟୁରୋ

ଭବାନୀପାଟଣା ସହରରେ ପୁଣି ଗୋଟିଏ ଭାଲୁ ଆତଙ୍କ ଖେଳାଇଛି। ସପ୍ତାହକ ମଧ୍ୟରେ ଦୁଇଟି ଭାଲୁ ସହର ଭିତରକୁ ଆସି ଜନଜୀବନକୁ ଅସ୍ତବ୍ୟସ୍ତ କରି ସାରିଲେଣି। ଗତ ୧୫ ତାରିଖରେ ସହର ଭିତରକୁ ପଶି ଆସିଥିବା ଗୋଟିଏ ଭାଲୁକୁ ବନ ବିଭାଗ କାବୁ କରି ଜଙ୍ଗଲରେ ଛାଡ଼ିଥିବା ବେଳେ ଗତକାଲି ପୁଣି ଗୋଟିଏ ଭାଲୁ ସହରବାସୀଙ୍କୁ ଆକ୍ରମଣ କରିଛି। ଭାଲୁଟିକୁ ଧରିବା ପାଇଁ ବନ ବିଭାଗ ନାକେଦମ୍ ହୋଇଥିଲେ ମଧ୍ୟ ତାକୁ କାବୁ କରିବାରେ ବିଫଳ ହୋଇଛି।

ସ୍ଥାନୀୟ ଜଙ୍ଗଲରୁ ଭାଲୁଟି ସହର ମଧ୍ୟକୁ ଆସି ଲୋକଙ୍କୁ ଅତର୍କିତ ଆକ୍ରମଣ କରିଛି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସେମାନଙ୍କୁ ଭୁବନେଶ୍ଵର ପଠାଇ ଦିଆଯାଇଥିବା ସୂଚନା ମିଳିଛି।

ଗତ ଗୁରୁବାର ବିଳମ୍ବିତ ରାତିରେ ଭାଲୁଟିକୁ ଦେଖିବା ପରେ ଲୋକମାନେ ତାକୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ। ଏହାପରେ ଭାଲୁଟି ପୁରୁଣା ସିନେମା ହଲ୍ ପଡ଼ାର ଜଣେ ଡାକ୍ତଙ୍କ ଘର ଭିତରକୁ ପଶିଯାଇଥିଲା। ଗତକାଲି ସକାଳେ ଭାଲୁଟି ଏଲ୍‌ଆଇସି ଅଫିସ୍ ସାମ୍ନାରେ ଜଗଦୀଶ ପ୍ରସାଦ ଦାଶଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା। ସେହିପରି ଗୁଲିସ ପଣ୍ଡା ନାମକ ବ୍ୟକ୍ତିଙ୍କ କପାଳ ଓ ମୁଣ୍ଡର ସମ୍ମୁଖ ଭାଗକୁ ମଧ୍ୟ ଭାଲୁଟି ବିଦୀର୍ଣ୍ଣ କରିଦେଇଛି। ଏହି ଦୁଇ ବ୍ୟକ୍ତିଙ୍କ ଅବସ୍ଥା ବର୍ତ୍ତମାନ ସଙ୍କଟାପନ୍ନ ଥିବା ବେଳେ ଭୁବନେଶ୍ଵରରେ ସେମାନଙ୍କର ଚିକିତ୍ସା ଚାଲିଛି। ଏଥିସହ ସହରର ଭବାନୀଶଙ୍କରପଡ଼ାର ମନୋହରଲାଲ ଅଗ୍ରଓ୍ଵାଲ(୬୫), ମହାବୀରପଡ଼ାର ସୌରଭ ବେହେରା(୨୫), ତାଲଗୁମ୍ମା ଗାଁର ଗଙ୍ଗାଧର ମାଝୀ(୧୪) ଓ ପ୍ରଦେଶୀପଡ଼ାର ଜଣେ ମହିଳା ଭାଲୁ ଆକ୍ରମଣରେ କ୍ଷତାକ୍ତ ହୋଇଥିବା ସୂଚନା ମିଳିଛି।BGUଗତକାଲି ବନ ବିଭାଗ କର୍ମଚାରୀମାନେ ଜାଲ ବିଛେଇବା ସହ ନିଶ୍ଚେତକ ପ୍ରୟୋଗ କରିଥିଲେ। ବନ ବିଭାଗ ପକ୍ଷରୁ ଏଥିପାଇଁ ନାକେଦମ ହେବାକୁ ପଡ଼ିଥିଲେ ମଧ୍ୟ ଭାଲୁକୁ କାବୁ କରାଯାଇ ପାରିନଥିଲା। ଏହାପରେ ଅଗ୍ନିଶମ ବିଭାଗ କର୍ମଚାରୀମାନେ ପାଣି ଓ ଗ୍ୟାସ ପ୍ରୟୋଗ କରି ମଧ୍ୟ ଭାଲୁଟିକୁ କାବୁ କରିବାରେ ବିଫଳ ହୋଇଥିଲେ।

“ଆମର ନିଶ୍ଚେତକ ଦଳ ଏବେ ପ୍ରସ୍ତୁତ ଅଛନ୍ତି। ଭାଲୁଟିକୁ ନିଶ୍ଚତ କରାଯିବା ପରେ ଆମେ ତାକୁ ଜଙ୍ଗଲରେ ଛାଡ଼ିଦେବୁ”, ଜିଲ୍ଲା ଜଙ୍ଗଲ ଅଧିକାରୀ ନୀତିଶ କୁମାର କହିଛନ୍ତି।

ସହରରେ ସପ୍ତାହକ ମଧ୍ୟରେ ୨ଟି ଜଙ୍ଗଲୀ ଭାଲୁ ପଶି ଲୋକଙ୍କୁ ଆକ୍ରମଣ କରିବା ପରେ ସହରବାସୀମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଅନ୍ୟପଟେ ବନ୍ୟଜନ୍ତୁ ଧରିବାରେ କଳାହାଣ୍ଡି ବନ ବିଭାଗର ଅଭିଜ୍ଞତା ନଥିବାରୁ ସହରବାସୀମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି।

Comment