ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ପ୍ରଥମ ଥର ଜଣେ ଅଭିନେତା କରୋନା ଆକ୍ରାନ୍ତ ହୋଇଛନ୍ତି। ସେ ହେଲେ ଓଲିଉଡ ଜଗତର ଜଣାଶୁଣା ହାସ୍ୟ ଅଭିନେତା ସୁମନ ନାୟକ(ଗୁଡ଼ୁ)। ତାଙ୍କର ରିପୋର୍ଟ ପଜିଟିଭ୍ ଆସିଥିବା କହି ଗୁଡ଼ୁ ନିଜ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ସେୟାର କରିଛନ୍ତି। ହେଲେ ସବୁଠୁ ଦୁଃଖର କଥା ହେଉଛି ତାଙ୍କୁ ଏଯାଏଁ କୌଣସି କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇନାହିଁ। ଉଭୟ ବିଏମସି ଏବଂ ରାଜ୍ୟ କରୋନା ହେଲ୍ପଲାଇନ ଡେସ୍କ ତାଙ୍କ ଗୁହାରି ଶୁଣିନଥିବା ଗୁଡ଼ୁ ଭିଡ଼ିଓରେ କହିଛନ୍ତି।ରବିବାର ଗୁଡ଼ୁଙ୍କୁ ଜ୍ଵର ହେବାସହ ସେ ଛାତିରେ ଜନ୍ତ୍ରଣା ଅନୁଭବ କରିଥିଲେ। ଏହାପରେ ସେ ନିଜର କରୋନା ପରୀକ୍ଷା କରାଇଥିଲେ। ସୋମବାର ତାଙ୍କ ରିପୋର୍ଟ ପଜିଟିଭ୍ ମଧ୍ୟ ଆସିଥିଲା। ତାଙ୍କୁ କୋଭିଡ କେୟାର ହୋମ୍ କିମ୍ଵା କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଇବା ପାଇଁ ସେ ରାଜ୍ୟ କରୋନା ହେଲ୍ପଲାଇନ ନମ୍ଵର- ୧୦୪କୁ ଯୋଗାଯୋଗ କରିଥିଲେ। ହେଲେ ସେଠାରୁ ତାଙ୍କୁ କୌଣସି ସାହାଯ୍ୟ ମିଳିନଥିଲା। ଏହାପରେ ସେ ଭୁବନେଶ୍ଵର ମହାନଗର ନିଗମକୁ ମଧ୍ୟ ଯୋଗାଯୋଗ କରିଥିଲେ। ସେଠାରୁ ମଧ୍ୟ ତାଙ୍କୁ କିଛି ସୁଫଳ ମିଳିନଥିଲା ବୋଲି ସେ ଭିଡ଼ିଓରେ କହିଛନ୍ତି।BGUଜ୍ଵର ବଢ଼ିବା ସହ ଛାତିରେ ଅଧିକ ଯନ୍ତ୍ରଣା ହେବାରୁ ତାଙ୍କ ବାପା, ମା ତାଙ୍କୁ ଆଡମିସନ ପାଇଁ ଭୁବନେଶ୍ଵରର ବିଭିନ୍ନ ହସ୍ପିଟାଲକୁ ନେଇଥିଲେ। ହେଲେ କୌଣସି ହସ୍ପିଟାଲ୍ ତାଙ୍କୁ ଚିକିତ୍ସା କରୁନଥିବା ସେ ଅଭିଯୋଗ କରିଛନ୍ତି। ପୁରା ଦିନ ସେ ବିଭିନ୍ନ ମେଡିକାଲର ଦ୍ଵାରସ୍ଥ ହେବାପରେ ସୋସିଆଲ ମିଡ଼ିଆ ଜରିଆରେ ସାହାଯ୍ୟ କାମନା କରି ନିଜର ଗୁହାରି ରଖିଛନ୍ତି।

Comment