ଓଡ଼ିଶାଲାଇଭ୍ ବ୍ୟୁରୋ

  • ଅନୁଭବଙ୍କ ବିରୋଧରେ ପାରିବାରିକ ହିଂସା ଅଭିଯୋଗ ଆଣିଲେ ବର୍ଷା 
  • କଟକ ଏସଡିଜେଏମ୍ କୋର୍ଟରେ ଦାୟର କଲେ ମାମଲା
  • ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବା ନେଇ ଅଭିଯୋଗ
  • ଅନୁଭବଙ୍କଠାରୁ ଭରଷପୋଷଣ ପାଇଁ ୧୫ କୋଟି ଦାବି 
  • ସେପ୍ଟେମ୍ବର ୭ ତାରିଖରେ ହେବ ମାମଲାର ଶୁଣାଣି

କଟକ: ଫିଲ୍ମ ‘ଥାଙ୍କ ୟୁ ଭଗବାନ’ରୁ ଆରମ୍ଭ ହୋଇଥିଲା ଓଲିଉଡର ସୁପରହିଟ୍ ଯୋଡ଼ି ଅନୁଭବ-ବର୍ଷାଙ୍କ ପ୍ରେମ କାହାଣୀ। ଏହି ପ୍ରେମ ସମ୍ପର୍କ ପରେ ବାସ୍ତବ ରୂପ ନେଇଥିଲା। ୨୦୧୪ ମସିହା ଫେବ୍ରୁଆରି ୮ ତାରିଖରେ ଅନୁଭବଙ୍କ ହାତ ଧରିଥିଲେ ବର୍ଷା। ସାତ ଜନମର ସାଥୀ ହୋଇଥିଲେ। ହେଲେ ବାହାଘରର ୬ ବର୍ଷ ପରେ ଉଭୟଙ୍କ ସମ୍ପର୍କରେ ଫାଟ ପଡ଼ିଛି। ଅନୁଭବଙ୍କ ବିରୋଧରେ ବର୍ଷା କୋର୍ଟର ଦ୍ୱାରସ୍ଥ ହୋଇ ଭରଣ ପୋଷଣ ବାବଦରେ ୧୫ କୋଟି ଟଙ୍କା ଦାବି କରିଛନ୍ତି।ଅନୁଭବ ଓ ବର୍ଷାଙ୍କର ୬ ବର୍ଷର ବୈବାହିକ ଜୀବନରେ ଉଠିଥିବା ଝଡ଼ ଏବେ ଆସି ଅଦାଲତରେ ପହଞ୍ଚିଛି । ସ୍ତ୍ରୀ ବର୍ଷା, ସାଂସଦ ଅନୁଭବଙ୍କ ବିରୋଧରେ ଘରୋଇ ହିଂସା ଭଳି ସାଂଘାତିକ ଅଭିଯୋଗ ଆଣି ତାଙ୍କଠାରୁ ୧୫ କୋଟି ଟଙ୍କାର କ୍ଷତିପୂରଣ ମଧ୍ୟ ଦାବି କରିଛନ୍ତି। ଏନେଇ କଟକ ଏସ୍‌ଡିଜେଏମ୍‌ଙ୍କ ଅଦାଲତରେ ମାମଲା ରୁଜୁ ହେବା ସହ ଆସନ୍ତା ସୋମବାର ଏହାର ଶୁଣାଣି ହେବ ବୋଲି ଦିନ ଧାର୍ଯ୍ୟ ହୋଇଛି।

ବର୍ଷା ପ୍ରିୟଦର୍ଶିନୀ ପାରିବାରିକ ହିଂସା ନିରୋଧ ଆଇନ ୨୦୦୫ର ଦଫା ୧୨, ୧୭ (ମାମଲାର ସମାଧାନ ନହେବା ପର୍ଯ୍ୟନ୍ତ ସ୍ୱାମୀଙ୍କ ଏକ ଘରେ ତାଙ୍କୁ ରହିବାକୁ ସୁଯୋଗ ଦେବା), ଦଫା ୧୮(ଘରୋଇ ହିଂସାରୁ ସୁରକ୍ଷା ଦେବା), ଦଫା ୧୯(ପୀଡ଼ିତାଙ୍କୁ ଘରେ ରହିବାରୁ ବଞ୍ଚିତ ନକରିବା), ଦଫା ୨୦(ଖର୍ଚ୍ଚ ପାଇଁ କିଛି ଅର୍ଥ ଦେବା) ଏବଂ ଦଫା ୨୨(କ୍ଷତିପୂରଣ)ରେ ଏହି ମାମଲା ରୁଜୁ କରିଛନ୍ତି।ବର୍ଷା ତାଙ୍କର ପିଟିସନ୍‌ରେ ଅଭିଯୋଗର ଲମ୍ବା ଫର୍ଦ୍ଦ ରଖିଛନ୍ତି। ଏଥିରେ ସେ ଅନୁଭବଙ୍କୁ ମଦ୍ୟପ ବୋଲି କହିବା ସହିତ ସେ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦିଅନ୍ତି  ବୋଲି କହିଛନ୍ତି। ଏପରିକି ଲକ୍‌ଡାଉନ୍ ପୂର୍ବରୁ ଅନୁଭବ ତାଙ୍କ ପରିବାର ସହ ବର୍ଷାଙ୍କୁ ଛାଡ଼ି ଦିଲ୍ଲୀ ପଳାଇ ଯାଇଥିଲେ। ଲକ୍‌ଡାଉନ୍ ସମୟରେ ବର୍ଷା ଏକା ଘରେ ରହିଥିଲେ ମଧ୍ୟ ତାଙ୍କୁ କୌଣସି ଖର୍ଚ୍ଚ ଦେଇନଥିଲେ। ବିବାହ ପରେ ଉଭୟ ଅନେକ ଚଳଚ୍ଚିତ୍ର ସାଙ୍ଗ ହୋଇ କରିଥିଲେ ମଧ୍ୟ ବର୍ଷାଙ୍କୁ ପାରିଶ୍ରମିକ ବାବଦକୁ ଟଙ୍କାଟିଏ ମିଳିନଥିବା ସେ କହିଛନ୍ତି।

ଏଭଳି ଅତ୍ୟାଚାରରେ ଅତିଷ୍ଠ ବର୍ଷା ଅନୁଭବଙ୍କ ସହ ରହିବାକୁ ସୁରକ୍ଷିତ ମନେ ନକରି ତାଙ୍କଠାରୁ ଭରଣପୋଷଣ ବାବଦକୁ କ୍ଷତିପୂରଣ ପାଇଁ ଦାବି କରିଛନ୍ତି । ଅନୁଭବଙ୍କ ନିକଟରୁ ଘରଭଡ଼ା ବାବଦରେ ମାସିକ ୨୦ ହଜାର ଟଙ୍କା, ମାସିକ ଭରଣପୋଷଣ ବାବଦରେ ୫୦ ହଜାର ଟଙ୍କା, କ୍ଷତିପୂରଣ ବାବଦକୁ ୧୩ କୋଟି ଟଙ୍କା ଦାବି କରାଯାଇଛି। ଏଥିସହିତ  ଚିକିତ୍ସା ଏବଂ ରୋଜଗାର ହରାଇଥିବାରୁ ଏ ନେଇ କ୍ଷତିପୂରଣ ବାବଦକୁ ୨ କୋଟି ଟଙ୍କା ଦେବାନେଇ ବର୍ଷା ଦାବି କରିଛନ୍ତି। ମୋଟ କ୍ଷତିପୂରଣ ବାବଦକୁ ୧୫ କୋଟି ଟଙ୍କା ଦାବି କରାଯାଇଛି।ଜିଲ୍ଲା ପ୍ରୋଟେକ୍ସନ ଅଫିସରଙ୍କ ନିକଟରୁ ଏ ସଂକ୍ରାନ୍ତ ରିପୋର୍ଟ ଅଦାଲତ ତଲବ କରିଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ, କୌଣସି ଘରୋଇ ହିଂସା ସଂକ୍ରାନ୍ତ ମାମଲା ରୁଜୁ ହେଲେ ଏହାର ଶୁଣାଣି ପର୍ବରୁ ଅଦାଲତ ପ୍ରୋଟେକ୍ସନ ଅଫିସରଙ୍କୁ ଏହାର ଏକ ବିସ୍ତୃତ ରିପୋର୍ଟ ତଲବ କରିଥାନ୍ତି । ପ୍ରୋଟେକ୍ସନ ଅଫିସର ପ୍ରତିପକ୍ଷ ବା ଯାହାଙ୍କ ବିରୋଧରେ ଅଭିଯୋଗ ଥାଏ ତାଙ୍କଠାରୁ ସବିଶେଷ ତଥ୍ୟ ସଂଗ୍ରହ କରି ଅଦାଲତରେ ଦାଖଲ କରିବା ପରେ ମାମଲାର ଶୁଣାଣି ହୁଏ।

ଏ ସମ୍ପର୍କରେ ସାଂସଦ ଅନୁଭବ ମହାନ୍ତିଙ୍କୁ ପଚରାଯିବାରୁ ସେ ଏ ସମ୍ପର୍କରେ କିଛି ଜାଣି ନାହାନ୍ତି ଏବଂ ତାଙ୍କୁ ଏଭଳି କୌଣସି ଲିଗାଲ ନୋଟିସ୍ ଯାଇନି ବୋଲି ଗଣମାଧ୍ୟମକୁ କହିଛନ୍ତି। କିନ୍ତୁ ସ୍ତ୍ରୀ ବର୍ଷା ଏବଂ ତାଙ୍କ ମଧ୍ୟରେ କୌଣସି ବିବାଦ ରହିଛି ବୋଲି ଗଣମାଧ୍ୟମ ପକ୍ଷରୁ ପଚରା ଯାଇଥିବା ପ୍ରଶ୍ନକୁ ସେ ଏଡ଼ାଇ ଯାଇଥିଲେ। BGUଓଡ଼ିଆ ଚଳଚ୍ଚିତ୍ର ଜଗତରେ ଅନୁଭବ ଏବଂ ବର୍ଷାଙ୍କ କେମେଷ୍ଟ୍ରୀକୁ ଦର୍ଶକମାନେ ବେଶ ପସନ୍ଦ କରିଛନ୍ତି। ଉଭୟ ଅନେକ ହିଟ୍ ଚଳଚ୍ଚିତ୍ର ଓଲିଉଡ୍‌କୁ ଭେଟି ଦେଇଛନ୍ତି। ଉଭୟଙ୍କ ମଧ୍ୟରେ ଚଳଚ୍ଚିତ୍ରର ପ୍ରମିକ-ପ୍ରେମିକାର ଚରିତ୍ର ବାସ୍ତବ ଜୀବନରେ ୨୦୧୪ ମସିହା ଫେବ୍ରୁଆରୀ ୮ ତାରିଖରେ ସ୍ୱାମୀ-ସ୍ତ୍ରୀ ଭୂମିକାରେ ରପାନ୍ତରିତ ହୋଇଥିଲା। କିନ୍ତୁ ବର୍ଷେ ଦୁଇବର୍ଷର ବୈବାହିବ ଜୀବନଯାତ୍ରା ଠିକ୍‌ଠାକ୍ ଚାଲିବା ପରେ ହଠାତ୍ ପାରିବାରିକ ଜୀବନରେ ଝଡ଼ ଦେଖା ଦେଇଥିଲା। ଗତ କିଛି ବର୍ଷ ଧରି ଚାରିକାନ୍ଥ ବା ଦୁଇ ପରିବାର ଭିତରେ ଚାପି ହୋଇ ରହିଥିବା ଏହି ଝଡ଼ ଏବେ ଆସି କୋର୍ଟରେ ପହଞ୍ଚିଛି।

Comment