ଓଡ଼ିଶାଲାଇଭ୍ ବ୍ୟୁରୋ

ଜାତୀୟ ରାଜପଥରେ ଲେନ୍ ଡ୍ରାଇଭିଂ ଆରମ୍ଭ କରିବା ପାଇଁ  ପୋଲିସ ମୁଖ୍ୟାଳୟକୁ କୁହାଯାଇଛି। ଓଡ଼ିଶା ସରକାରଙ୍କ ପକ୍ଷରୁ ପରିବହନ ସଚିବ ମଧୁସୁଦନ ପାଢ଼ୀ ଡିଜିପି ଅଭୟଙ୍କ ପାଖକୁ ଏନେଇ ଏକ ପତ୍ର ଲେଖିଛନ୍ତି। ଜାତୀୟ ରାଜପଥରେ ଦୁର୍ଘଟଣା ଏଡ଼ାଇବା ପାଇଁ ଏହା ନିତାନ୍ତ ଆବଶ୍ୟକ ବୋଲି ଉକ୍ତ ପତ୍ରରେ ଉଲ୍ଲେଖ କରାଯାଇଛି। ପ୍ରଥମେ ଟୁଇନ୍ ସିଟି ଅଧୀନରେ ଆସୁଥିବା ରାଜପଥରେ ଏହା ପରୀକ୍ଷାମୂଳକ ଭାବେ ଆରମ୍ଭ କରାଯାଇପାରେ ବୋଲି ଉକ୍ତ ପତ୍ରରେ କୁହାଯାଇଛି।

ପରିବହନ ସଚିବ ତାଙ୍କ ଚିଠିରେ କହିଛନ୍ତି ଯେ ୨୦୧୭ ନଭମ୍ବର ମାସରେ ସୁପ୍ରିମକୋର୍ଟ ସଡ଼କ ସୁରକ୍ଷା ପାଇଁ ସବୁ ରାଜ୍ୟ ସରକାରକୁ ଏକାଧିକ ନିର୍ଦ୍ଦେଶ ଦେଇଥିଲେ। ଗୋଟିଏ ନିର୍ଦ୍ଦେଶରେ ସୁପ୍ରିମକୋର୍ଟ କହିଥିଲେ ଯେ ଯାନବାହନ ଚଳାଚଳ ଆଇନକୁ କଡ଼ାକଡ଼ି ପାଳନ କରିବା ଦରକାର। ଏଥିପାଇଁ ଲେନ୍ ଡ୍ରାଇଭିଂ ଓ ଓଭରଟେକିଙ୍ଗ ପ୍ରୋଟୋକଲ ଉପରେ ସୁପ୍ରିମକୋର୍ଟ ଗୁରୁତ୍ୱ ପ୍ରଦାନ କରିଥିଲେ। ହେଲେ ସୁପ୍ରିମକୋର୍ଟଙ୍କ ୨୦୧୭ର ନିର୍ଦ୍ଦେଶ ଏପର୍ଯ୍ୟନ୍ତ ପାଳନ କରାଯାଇନାହିଁ ବୋଲି ଶ୍ରୀ ପାଢ଼ୀ ତାଙ୍କ ପତ୍ରରେ ପୋଲିସ ଡିଜିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।BGUଭୁଲ ସାଇଡ୍ ଡ୍ରାଇଭିଂ ଏବଂ ଓଭର୍ଟେକିଙ୍ଗ ଯୋଗୁଁ ୨୦୧୯ ବର୍ଷରେ ଓଡ଼ିଶାରେ ୧,୦୪୦ଟି ଦୁର୍ଘଟଣା ଘଟିଥିଲା। ସଚିବଙ୍କ ପତ୍ର ପାଇବା ପରେ ଟୁଇନ୍ ସିଟିରେ କମିସନରେଟ ପୋଲିସ ପକ୍ଷରୁ ଏହା ଖୁବ ଶୀଘ୍ର ଆରମ୍ଭ କରାଯିବ ବୋଲି ଜଣେ ଅଧିକାରୀ କହିଛନ୍ତି।

Comment