ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଓଡ଼ିଆଙ୍କ ପାଇଁ ଗର୍ବ। ଜର୍ମାନୀରେ ପ୍ରଦର୍ଶିତ ହେବ ଏକାଧିକ ଜାତୀୟ ତଥା ଅନ୍ତର୍ଜାତୀୟ ପୁରସ୍କାର ବିଜେତା ଫିଲ୍ମ ନିର୍ମାତା ସବ୍ୟସାଚୀ ମହାପାତ୍ରଙ୍କ ଫିଲ୍ମ ‘ଶଲା ବୁଢ଼ା’। ଜର୍ମାନୀରେ ପ୍ରିମିୟର ହେବା ନେଇ ସୂଚନା ଦେଇଛନ୍ତି ଖ୍ୟାତନାମା ପ୍ରଯୋଜକ ଜିତେନ୍ଦ୍ର ମିଶ୍ର।

ଜର୍ମାନୀର ସମ୍ମାନଜନକ ଇଣ୍ଡୋ-ଜର୍ମାନ ଫିଲ୍ମ ସପ୍ତାହ-୨୦୨୦ ପାଇଁ ‘ଶଲାବୁଢ଼ା’ ମନୋନୀତ ହୋଇଛି। ଏହି ଫିଲ୍ମ ସପ୍ତାହ ସେପ୍ଟେମ୍ବର ୨୪ରୁ ୩୦ ପର୍ଯ୍ୟନ୍ତ ବର୍ଲିନର ଐତିହାସିକ ବେବିଲନ ଥିଏଟରରେ ଚାଲିବ। ଏହି ଉତ୍ସବର ଉଦଘାଟନୀ ଦିବସରେ ଫିଲ୍ମଟି ପ୍ରଦର୍ଶିତ ହେବା ସହିତ ପୂରା ସପ୍ତାହରେ ଏକାଧିକ ଥର ପ୍ରଦର୍ଶିତ ହେବ।

ପଶ୍ଚିମ ଓଡ଼ିଶାର ସମୃଦ୍ଧ କଳା, ସଂସ୍କୃତି ଏବଂ ପରମ୍ପରାକୁ ଚିତ୍ରଣ କରୁଥିବା ‘ଶଲାବୁଢ଼ା’ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର କ୍ରମରେ ୭ଟି ପୁରସ୍କାର ପାଇଥିଲା। ଯେଉଁଥିରେ ଶ୍ରେଷ୍ଠ ସିନେମା ସହ ଶ୍ରେଷ୍ଠ ନିର୍ଦ୍ଦେଶନା ପୁରସ୍କାର ରହିଥିଲା। ଏଥିସହିତ ଫିଲ୍ମଟି ୨୦୧୩ରେ ଇଣ୍ଡିଆନ ପାନୋରାମାରେ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ପାଇଁ ମଧ୍ୟ ମନୋନୀତ ହୋଇଥିଲା।

‘‘ଇଣ୍ଡୋ-ଜର୍ମାନୀ ଚଳଚ୍ଚିତ୍ର ଉତ୍ସବ ଦୀର୍ଘ ବର୍ଷ ହେବ ଭାରତୀୟ ଚଳଚ୍ଚିତ୍ରକୁ ସ୍ଥାନ ଦେଉଛି। ମୋର ଫିଲ୍ମ ଏହି ଉତ୍ସବ ପାଇଁ ମନୋନୀତ ହୋଇଥିବାରୁ ମୁଁ ବହୁତ ଗର୍ବିତ। ଫିଲ୍ମ କ୍ଷେତ୍ରରେ ଆହୁରି ଆଗକୁ ଯିବାକୁ ଏହା ମତେ ପ୍ରେରଣା ଯୋଗାଇବ’’, କହିଛନ୍ତି ସବ୍ୟସାଚୀ ମହାପାତ୍ର।

ସେହିପରି ଇଣ୍ଡୋ-ଜର୍ମାନ ଫିଲ୍ମ ସପ୍ତାହ ସିଇଓ ତଥା ନିର୍ଦ୍ଦେଶକ ଷ୍ଟିଫାନ୍ ଓଟେନବ୍ରୁଚ୍ କହିଛନ୍ତି ଯେ ଆମ ଉତ୍ସବରେ ସର୍ବୋତ୍ତମ ଭାରତୀୟ ଚଳଚ୍ଚିତ୍ର ମାଧ୍ୟମରେ ଭାରତର କଳା, ସଂସ୍କୃତି ଏବଂ ପରମ୍ପରାକୁ ପ୍ରୋତ୍ସାହିତ କରିବାକୁ ଚେଷ୍ଟା କରିଛୁ, ଏଥର ଆମେ ପ୍ରଥମ ଥର ପାଇଁ ଓଡିଶାର ଏକ ଚଳଚ୍ଚିତ୍ର ଉପସ୍ଥାପନ କରି ଗର୍ବିତ।

ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ରଙ୍କ ଦ୍ୱାରା ନିର୍ଦ୍ଦେଶିତ ଶଲାବୁଢ଼ା ଫିଲ୍ମଟି ପଶ୍ଚିମ ଓଡ଼ିଶାର କୋଶଳୀ ଭାଷାରେ ନିର୍ମିତ ହୋଇଥିଲା। ଏହି ଫିଲ୍ମରେ ଜଣେ ଗାଁ ବୁଢ଼ା ଲୋକର କାହାଣୀକୁ ଚିତ୍ରଣ କରାଯାଇଥିଲା।

Comment