ଓଡ଼ିଶାଲାଇଭ୍‌ ବ୍ୟୁରୋ

ଯଦି ବିବାହ ପରେ ଜୀବନସାଥୀଙ୍କ ସହ ରହିବା କଷ୍ଟକର ହୋଇପଡ଼େ ତେବେ ଲୋକେ ଛାଡପତ୍ର ନେଇ ଏକ ନୂଆ ରାସ୍ତା ଖୋଜନ୍ତି। ଏଥିପାଇଁ ପ୍ରାୟ ସବୁ ଦେଶରେ ଆଇନ ବ୍ୟବସ୍ଥା ମଧ୍ୟ ରହିଛି।  କିନ୍ତୁ ଦୁନିଆରେ ଏପରି ଏକ ଦେଶ ଅଛି ଯେଉଁଠାରେ ଛାଡପତ୍ର ପାଇଁ କୌଣସି ବି ବ୍ୟବସ୍ଥା ନାହିଁ।

ଫିଲିପାଇନ୍ସ ହେଉଛି ବିଶ୍ୱର ଏକମାତ୍ର ଦେଶ ଯେଉଁଠାରେ ଛାଡପତ୍ର ବ୍ୟବସ୍ଥା ନାହିଁ। ଏହାର କାରଣ ହେଉଛି ଫିଲିପାଇନ୍ସରେ ଅଧିକାଂଶ କ୍ୟାଥୋଲିକ୍ ଖ୍ରୀଷ୍ଟିୟାନ ସଂପ୍ରଦାୟର ଲୋକ ରହନ୍ତି। ୨୦୧୫ ରେ, ଯେତେବେଳେ ପୋପ୍ ଫ୍ରାନ୍ସିସ୍ ଫିଲିପାଇନ୍ସ ଗସ୍ତ କରିଥିଲେ, ସେତେବେଳେ ସେ ଦେଶର ଧାର୍ମିକ ଗୁରୁମାନଙ୍କୁ ନିବେଦନ କରିଥିଲେ ଯେ ଛାଡପତ୍ର ଚାହୁଁଥିବା କ୍ୟାଥୋଲିକମାନଙ୍କ ପ୍ରତି ସହାନୁଭୂତି ଦେଖାଇବାକୁ। କିନ୍ତୁ ଫିଲିପାଇନ୍ସରେ ଛାଡପତ୍ରକୁ ଅପମାନବୋଲି ଧରାଯାଏ। ଫଳରେ ଫିଲିପାଇନ୍ସର ଧର୍ମଗୁରୁମାନେ ପୋପ୍ ଫ୍ରାନ୍ସିସଙ୍କ କଥା ଅଣଦେଖା କରିଦେଇଥିଲେ।

ପୂର୍ବରୁ ଥିଲା ଛାଡ଼ପତ୍ର ନିୟମ

ଫିଲିପାଇନ୍ସ୍‌ ଉପରେ ବହୁ ବର୍ଷ ସ୍ପେନ୍‌ ରାଜୁତି କରୁଥିଲା। ସେ ସମୟରେ ସ୍ଥାନୀୟ ବାସିନ୍ଦା ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିଲେ। ୧୮୯୮ରେ ଆମେରିକା ସ୍ପେନ୍‌ ମଧ୍ୟରେ ଯୁଦ୍ଧ ହୋଇଥିଲା। ଯୁଦ୍ଧରେ ସ୍ପେନ୍‌ ପରାସ୍ତ ହୋଇଥିଲା। ଫିଲିପାଇନ୍ସ୍‌ ଉପରେ ଆମେରିକା ଶାସନ ଆରମ୍ଭ ହୋଇଥିଲା। ସେତେବେଳେ ଛାଡ଼ପତ୍ର ପାଇଁ ଆଇନ ବ୍ୟବସ୍ଥାର ପ୍ରଚଳନ କରାଯାଇଥିଲା। ୧୯୧୭ରେ ପ୍ରଚଳନ କରାଯାଇଥିବା ଛାଡ଼ପତ୍ର ଆଇନରେ କେତେକ ସର୍ତ୍ତ ରହିଥିଲା। ପରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଫିଲିପାଇନ୍ସ୍‌ରେ ଜାପାନର ରାଜୁତି ହୋଇଥିଲା। ଫଳରେ ଛାଡ଼ପତ୍ର ଆଇନରେ ପରିବର୍ତ୍ତନ ଅଣାଯାଇଥିଲା।

ପରେ ୧୯୪୪ରେ ଏଠାରେ ପୁନର୍ବାର ଆମେରିକା ଶାସନ ଆରମ୍ଭ ହୋଇଥିଲା। ଏହାପରେ ପୁଣି ଆଇନର ପରିବର୍ତ୍ତନ ଅଣାଗଲା। ୧୯୫୦ରେ ଫିଲିପାଇନ୍ସ୍‌ ଆମେରିକାଠାରୁ ସ୍ୱାଧୀନତା ପାଇଥିଲା। ସେ ସମୟରେ କ୍ୟାଥୋଲିକ ଚର୍ଚ୍ଚର ଭୂମିକା ଅଧିକ ରହିଥିଲା। ଫଳରେ ଏଠାରେ ଛାଡ଼ପତ୍ରକୁ ବନ୍ଦ କରାଯାଇଥିଲା। ତେବେ ଏଠାରେ ବାସ କରୁଥିବା ୬ରୁ ୭ ପ୍ରତିଶତ ମୁସଲମାନ ସମ୍ପ୍ରଦାୟରେ ଛାଡ଼ପତ୍ର ଆଇନ ବ୍ୟବସ୍ଥା ରହିଛି। ମୁସଲମାନମାନେ ଛାଡପତ୍ର ନେଇପାରନ୍ତି।

Comment