ଓଡ଼ିଶାଲାଇଭ୍‌ ବ୍ୟୁରୋ

ଡ୍ରଗ୍ସ ଲିଙ୍କ୍‌ ମାମଲାରେ ଗିରଫ ହୋଇଥିବା ରିୟାଙ୍କର ଆଜି ଜେଲ୍‌ରୁ ବାହାରିବା ଆଶା ମଉଳି ଯାଇଛି। ମୁମ୍ବାଇର ସ୍ୱତନ୍ତ୍ର ଏନ୍‌ଡିପିଏସ୍‌ କୋର୍ଟ ରିୟାଙ୍କ ନ୍ୟାୟିକ ହେପାଜତର ସମୟ ସୀମା ବଢ଼ାଇଛନ୍ତି। ଫଳରେ ରିୟାଙ୍କୁ ଏବେ ଅକ୍ଟୋବର ୬ ଯାଏଁ ବାଏକୁଲ୍ଲା ଜେଲରେ ଦିନ କାଟିବାକୁ ପଡ଼ିବ।

ଅନ୍ୟପଟେ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ଭାଇ ସୌଭିକ୍ ଚକ୍ରବର୍ତ୍ତୀ ମୁମ୍ବାଇ ହାଇକୋର୍ଟରେ ଜାମିନ ପାଇଁ ଆବେଦନ କରିଛନ୍ତି। ଆସନ୍ତାକାଲି କୋର୍ଟ ଏହି ମାମଲାର ଶୁଣାଣି କରିବେ ବୋଲି ଜଣାପଡ଼ିଛି। ଯଦି ହାଇକୋର୍ଟ ରିୟାଙ୍କୁ ଜାମିନ ଦିଅନ୍ତି ତେବେ ରିୟା ଜେଲରୁ ବାହାରିପାରିବେ।

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପାଇଁ ଡ୍ରଗ୍ସ କିଣିବା ଏବଂ ତାଙ୍କ ଡ୍ରଗ୍ସ ଖାଇବାର ଅଭ୍ୟାସ କରାଇବା ଅଭିଯୋଗରେ ରିୟା ଚକ୍ରବର୍ତ୍ତୀ ଏବଂ ସୌଭିକ୍ ଚକ୍ରବର୍ତ୍ତୀଙ୍କୁ ଗିରଫ କରାଯାଇଥିଲା।  ଗିରଫ ହେବା ପରେ ରିୟାଙ୍କୁ ସେପ୍ଟେମ୍ବର ୨୨ଯାଏଁ ନ୍ୟାୟିକ ହେପାଜତରେ ବାଏକୁଲ୍ଲାକୁ ପଠାଇ ଦିଆଯାଇଥିଲା।

ଜେଲରେ ରହିବା ଭିତରେ ରିୟା ଦୁଇ ଦୁଇ ଥର ଜାମିନ ଆବେଦନ କରିଥିଲେ। କିନ୍ତୁ ତାହା ଖାରଜ ହୋଇଥିଲା। ଆଜି ତାଙ୍କ ନ୍ୟାୟିକ ହେପାଜତର ସମୟ ସୀମା ସରୁଥିଲା ବେଳେ ଏହାକୁ ପୁଣି ବଢ଼ାଇ ଦିଆଯାଇଛି।

Comment