ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ବିହାର ନିର୍ବାଚନ ପାଇଁ ତାରିଖ ଘୋଷଣା ସରିଛି। ଏଠି ବିକାଶ ବି ଚାଲେ, ଜାତି ଆଧାରରେ ଭୋଟ ବି ଚାଲେ। ବିକାଶକୁ ନେଇ ନୀତିଶ ଲଗାତର ଜିତୁଥିବା ବେଳେ, ଜାତିକୁ ମଧ୍ୟ ସେ ଛାଡ଼ିନାହାନ୍ତି। ସେପଟେ ଅନ୍ୟ ଦଳ ବି ଏ ଦୃଷ୍ଟିରୁ କିଛି କମ ନୁହନ୍ତି। ଓବିସି, ଦଳିତ, ଆଦିବାସୀ ଭୋଟର ଧ୍ରୁବୀକରଣ କରିହେବ ତାକୁ ନେଇ ସମସ୍ତଙ୍କ ରଣନୀତି।  ତେବେ ଏଥର ନିର୍ବାଚନରେ ସର୍ବାଧିକ ପ୍ରଭାବିତ କରିବା ଭଳି ଚେହେରା ସବୁ କିଏ। ସ୍ୱାଭାବିକ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁ ପ୍ରଥମରେ ଆସିବ।PM Modi launches digital health mission

ନରେନ୍ଦ୍ର ମୋଦୀ

୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ମୋଦୀଙ୍କୁ ବିରୋଧ କରୁଥିବା ନୀତିଶ କୁମାର ଏ ଭିତରେ ମୋଦୀଙ୍କୁ ନେଇ ସହଜ ହୋଇସାରିଲେଣି। ନୀତିଶ କୁମାରଙ୍କ ନେତୃତ୍ୱରେ ଏନଡିଏ ନିର୍ବାଚନ ଲଢୁଥିଲେ ମଧ୍ୟ, ନୀତିଶଙ୍କ ଅପେକ୍ଷା ଦଳ ବେଶୀ ମୋଦୀଙ୍କ ଉପରେ ଭରସା କରୁଛି। କାରଣ ଏକାଠି ଲଢ଼ିଲେ ମଧ୍ୟ ନୀତିଶଙ୍କ ସମକକ୍ଷ ନେତା ଏ ପର୍ଯ୍ୟନ୍ତ ବିହାର ବିଜେପିକୁ ମିଳିନାହିଁ। ତେଣୁ ବିଜେପି ପାଇଁ ନରେନ୍ଦ୍ର ମୋଦୀ ଏକ ନମ୍ବର ପୋଷ୍ଟର ବୟ।  ଏଥର ନିର୍ବାଚନ ମୋଦୀଙ୍କ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିର ଟେଷ୍ଟ ହେବ। କାରଣ ନିର୍ବାଚନ ପୂର୍ବରୁ ଧାରା ୩୭୦ ଉଚ୍ଛେଦ, ରାମ ମନ୍ଦିର ନିର୍ମାଣ ନିଷ୍ପତ୍ତି, କୃଷି ବିଲ୍ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ମଧ୍ୟ ଗୃହୀତ ହୋଇଛି। ଗତ ନିର୍ବାଚନରେ ମୋଦୀଙ୍କ ପ୍ରଚୁର ଲୋକପ୍ରିୟତା ସତ୍ତ୍ୱେ ବିଜେପି ଏକାକୀ ସରକାର ଗଠନ କରିପାରି ନ ଥିଲା। ବିରୋଧୀ ଦଳରେ ବସିଥିଲା। ଅବଶ୍ୟ ପରେ ରାଜନୈତିକ ଚିତ୍ର ବଦଳି ଯାଇଥିଲା।

ନୀତିଶ କୁମାର

୨୦୧୫ ନିର୍ବାଚନରେ ମହାମେଣ୍ଟରେ ସାମିଲ ହୋଇଥିଲେ ନୀତିଶ। ମୁଖ୍ୟମନ୍ତ୍ରୀ ମଧ୍ୟ ହୋଇଥିଲେ। କିନ୍ତୁ ମହାମେଣ୍ଟର ଚାପରେ ଅଣନିଶ୍ୱାସୀ ହୋଇଥିବା ନୀତିଶ ଶେଷରେ ମେଣ୍ଟ ଭାଙ୍ଗି ବିଜେପି ସମର୍ଥନରେ ସରକାର ଗଠନ କରିଥିଲେ। ନୀତିଶ ୭ ଥର ମୁଖ୍ୟମନ୍ତ୍ରୀ ହୋଇଥିଲେ ମଧ୍ୟ, ଆଜି ପର୍ଯ୍ୟନ୍ତ ଏକାକୀ ସରକାର ଗଠନ କରିବାକୁ ସକ୍ଷମ ହୋଇନାହାନ୍ତି। ପ୍ରଭାବୀ ସରକାରକୁ ନେଇ ସେ ନିର୍ବାଚନ ଲଢ଼ିବେ। ତାଙ୍କ ପାଇଁ ବିଶେଷ ଚ୍ୟାଲେଞ୍ଜ ନ ଥିଲେ ମଧ୍ୟ ଧର୍ମୀୟ ଆଧାରରେ ଭୋଟ ସମୀକରଣରେ ବିଜେପି ତାଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ବୋଲି ରାଜନୀତି ସମୀକ୍ଷକଙ୍କ ମତ। ଏହା ଛଡ଼ା ନିର୍ବାଚନରେ ସବୁଠାରୁ ଅଧିକ ଆସନ ହାସଲ କରିବାର ଚାପ ମଧ୍ୟ ତାଙ୍କ ଉପରେ। କାରଣ ମେଣ୍ଟ ସରକାର ହେଲେ ମଧ୍ୟ, ଯାହାର ଅଧିକ ଆସନ ରହିବ ତାର ଅଧିକ ଦବଦବା ରହିବ।

ତେଜସ୍ୱୀପ୍ରସାଦ ଯାଦବ

ଲାଲୁଙ୍କ ସାନ ପୁଅ ତେଜସ୍ୱୀ ପ୍ରସାଦ ଯାଦବ, ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ। ଆରଜେଡିରୁ ପ୍ରମୁଖ ଓ ସମ୍ମୁଖ ଚେହେରା। ଯଦିଓ ବାପା ଲାଲୁ ପ୍ରସାଦଙ୍କ ଭଳି ଲୋକପ୍ରିୟତା ହାସଲ କରିବାଠାରୁ ଅନେକ ଦୂରରେ ରହିଛନ୍ତି, ତଥାପି ଭୋଟ ରାଜନୀତିକୁ ପ୍ରଭାବିତ କରିବା ଭଳି ଯଥେଷ୍ଟ ଦକ୍ଷତା ତାଙ୍କର ଅଛି। ଧର୍ମ ହେଉ କି ଜାତି ଭୋଟ, ସେ କ୍ଷେତ୍ରରେ ନୀତିଶଙ୍କ ସହ ମୁକାବିଲା କରିବାର ଦକ୍ଷତା ତାଙ୍କ ପାଖରେ ଅଛି ବୋଲି ରାଜନୀତି ସମୀକ୍ଷକଙ୍କ ମତ। ଯଦି ନୀତିଶ କୁମାରଙ୍କ ପାଇଁ ବେଶୀ ଚ୍ୟାଲେଞ୍ଜ କିଏ ହୁଅନ୍ତି ତେବେ ସେ ହେବେ ତେଜସ୍ୱୀ ପ୍ରସାଦ। ତେବେ ମେଣ୍ଟ ରାଜନୀତିରେ ଅନ୍ୟ ଦୁର୍ବଳ ସହଯୋଗୀଙ୍କୁ ନେଇ କେତେ ସଫଳ ହେବେ ତାହା ସମୟ କହିବ

ଚିରାଗ ପାଶ୍ୱାନ

ନୀତିଶ କୁମାରଙ୍କ କଠୋର ସମାଲୋଚକ ହେଉଛନ୍ତି ଏଲଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ  ରାମବିଳାସ ପାଶ୍ୱାନଙ୍କ ପୁଅ ଚିରାଗ ପାଶ୍ୱାନ। ଗୋଟିଏ ପଟେ ବିଜେପିର ସହଯୋଗୀ ଅନ୍ୟପଟେ ନୀତିଶଙ୍କ କଠୋର ବିରୋଧୀ ଭାବେ ଚିରାଗ ପାଇଁ ଏଥରର ନିର୍ବାଚନ ବେଶ ଚ୍ୟାଲେଞ୍ଜିଂ ରହିବ। ତଥାପି ସେ ଜାତି ଭୋଟକୁ ନେଇ ବିଜେପି ତାଙ୍କ ଉପରେ ଅଧିକ ଭରସା କରିଛି। ମେଣ୍ଟ ଭିତର ରାଜନୀତିରେ ଜୀତନ ରାମ ମାଞ୍ଝୀ ନୀତିଶଙ୍କୁ ସମର୍ଥନ କରୁଥିବା ବେଳେ, ସେହି ସମାନ ଦକ୍ଷତା ରଖିଥିବା ଏଲଜେପି ବିଜେପିକୁ ସମର୍ଥନ କରୁଛି। ଏଲଜେପିର ଗୁରୁ ଦାୟିତ୍ୱ ଏବେ ଚିରାଗଙ୍କ ଉପରେ। ତେବେ ପୀଢ଼ି ରାଜନୀତିରେ ସେ କେତେ ସଫଳ ହେଉଛନ୍ତି, ତାହା ଏହି ନିର୍ବାଚନ ହିଁ ସ୍ପଷ୍ଟ କରିବ। ତେବେ ଦଳିତ, ଓବିସି ରାଜନୀତିରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ ବୋଲି ରାଜନୀତି ସମୀକ୍ଷକଙ୍କ ମତ।

ସୁଶୀଲ କୁମାର ମୋଦୀ

ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀ। ବିଜେପି ଓ ଜେଡିୟୁ ସମ୍ପର୍କର ସୂତ୍ରଧର। ନୀତିଶଙ୍କ ସହ ତାଙ୍କର ଘନିଷ୍ଟ ସମ୍ଫର୍କ ଯୋଗୁ ବିଜେପି-ଜେଡିୟୁ ମେଣ୍ଟ ବାସ୍ତବ ହୋଇଥିବା ଅନେକ ଆଲୋଚନା କରନ୍ତି। ସେ ବିହାର ବିଜେପିର ଚେହେରା।  କିଛି ବର୍ଷ ଭିତରେ ରାଜ୍ୟ ବିଜେପି ସଭାପତି ୬ ଥର ବଦଳି ସାରିଥିଲେ ମଧ୍ୟ ସୁଶୀଲ ମୋଦୀ ତାଙ୍କର ପ୍ରଭାବ ସେମିତି ରଖିଛନ୍ତି। ଆଜି ବି ସେ ବିହାର ବିଜେପିର ଚେହେରା, ଏଥର ନିର୍ବାଚନରେ ବି ତାଙ୍କର ପ୍ରଭାବ ଯଥେଷ୍ଟ ରହିବ।

ଅଶାଦଉଦ୍ଦିନ ଓୟେସୀ

ବିହାର ସଂଖ୍ୟାଲଘୁ ରାଜନୀତିର ସୂତ୍ରଧର ହେଉଛନ୍ତି ହାଇଦ୍ରାବାଦରୁ ପରିଚାଳିତ ପାର୍ଟି ଏଆଇଏମ୍ଆଇଏମ୍ ମୁଖ୍ୟ ଅଶାଦଉଦ୍ଦିନ ଓୟେସୀ। ବିହାରରେ ୮୦ରୁ ଅଧିକ ଆସନରେ ସଂଖ୍ୟାଲଘୁ ଭୋଟରଙ୍କର ପ୍ରଭାବ ରହିଛି। ଏହାଛଡ଼ା ୩୦ଟି ଆସନରେ ସଂଖ୍ୟାଲଘୁ ଭୋଟର ହିଁ ସ୍ଥିର କରିବେ କିଏ ଜିତିବ ଆଉ କିଏ ହାରିବ । ତେଣୁ ସ୍ୱାଭାବିକ ଓୟେସୀ ମଧ୍ୟ ଏ ନିର୍ବାଚନରେ ନିଜର ପ୍ରଭାବ ଦେଖାଇବାକୁ ଚେଷ୍ଟା କରିବେ। ଯଦିଓ ତାଙ୍କ ପାର୍ଟି ୨୦୧୫ ନିର୍ବାଚନରେ ଖାତା ଖୋଲି ପାରି ନ ଥିଲା, ତଥାପି ଏଥର ଅଧିକ ଆସନରେ ପ୍ରାର୍ଥୀ ଦେବାକୁ ସ୍ଥିର କରିଛି।

Comment