ଓଡ଼ିଶାଲାଇଭ୍ ବ୍ୟୁରୋ

ବଲିଉଡରେ ଡ୍ରଗ୍ସ କାରବାର ଘଟଣାକୁ ନେଇ ଆଜି ତିନି ଜଣ ପ୍ରମୁଖ ଅଭିନେତ୍ରୀଙ୍କୁ ପଚରାଉଚୁରା କରୁଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ। ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍, ଶ୍ରଦ୍ଧା କପୁର ଓ ଦୀପିକା ପାଦୁକୋନଙ୍କୁ ଡ୍ରଗ୍ସ ସେବନ କିମ୍ବା କାରବାର ନେଇ ମାରାଥନ୍ ଜେରା କରୁଛି ଏନସିବି।

ଏହି ପଚରାଉଚୁରା ସମୟରେ ତିନି ଜଣ ଯାକ ଅଭିନେତ୍ରୀ ନିଜେ ଡ୍ରଗ୍ସ ସେବନ କରୁଥିବା କଥାକୁ କାଟି ଦେଇଛନ୍ତି। ସେମାନେ କଦାପି ଡ୍ରଗ୍ସ ସେବନ କରିନାହାନ୍ତି ବୋଲି ତିନି ଜଣ ଯାକ ଅଭିନେତ୍ରୀ ଏନସିବିକୁ କହିଛନ୍ତି।

ଅନ୍ୟପଟେ ଅଭିନେତ୍ରୀ ଦୀପିକା ପାଦୁକୋନ୍ ତାଙ୍କ ମ୍ୟାନେଜର କରିସ୍ମା ପ୍ରକାଶଙ୍କ ସହ ହୋଇଥିବା ହ୍ୱାଟ୍ସଆପ୍ ଚାଟକୁ ସତ ବୋଲି ମାନିଛନ୍ତି। ହେଲେ ସେ କେବେ ବି ଡ୍ରଗ୍ସ ନେଇନାହାନ୍ତି ବୋଲି କହିଛନ୍ତି।

ସେହିପରି ଶ୍ରଦ୍ଧା କପୁର କହିଛନ୍ତି ଯେ, ଅଭିନେତା ସୁଶାନ୍ତ ସିଂହ ରାଜପୁତ ଡ୍ରଗ୍ସ ସେବନ କରୁଥିଲେ ବୋଲି ସେ ଜାଣିଛନ୍ତି, ହେଲେ ସେ ନିଜେ କଦାପି ଡ୍ରଗ୍ସ ସେବନ କରିନାହାନ୍ତି। ସାରା ଅଲ୍ଲୀ ଖାନ୍ ମଧ୍ୟ ଏହି ଦୁଇ ଅଭିନେତ୍ରୀଙ୍କ ଭଳି ସେହି ସମାନ ଉତ୍ତର ଏନସିବି ଆଗରେ ରଖିଛନ୍ତି।

ବଲିଉଡରେ ଡ୍ରଗ୍ସ କାରାବାର ଘଟଣା ନେଇ ଏନସିବିକୁ ସୁରାକ୍ ମିଳିଥିଲା। ଯାହାକୁ ଆଧାର କରି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଦୀପିକା, ସାରା ଓ ଶ୍ରଦ୍ଧାଙ୍କୁ ସମନ୍ ଜାରି କରିଥିଲା। ତିନି ଜଣ ଅଭିନେତ୍ରୀ ଆଜି ଏନସିବି ପାଖରେ ହାଜର ହେବା ସହିତ ଜେରାର ସମ୍ମୁଖୀନ ହୋଇଛନ୍ତି। ଏହାପୂର୍ବରୁ ଏନସିବି ଦୀପିକାଙ୍କ ମ୍ୟାନେଜର କରିସ୍ମା ପ୍ରକାଶ, ଅଭିନେତ୍ରୀ ରକୁଲ୍ ପ୍ରୀତ ସିଂହଙ୍କୁ ମଧ୍ୟ ଜେରା କରିଛି।

Comment