ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ମହାମାରୀ ଭାରତରେ ପ୍ରବେଶ କରିବା ୯ ମାସ ପୂରଣ ହେଲା। ଦେଶର ପ୍ରଥମ କରୋନା ରୋଗୀ ବାହାରିଥିଲେ କେରଳରେ। ଜାନୁଆରୀ ୩୦ରେ ଏହା ଚିହ୍ନଟ କରାଯାଇଥିଲା। ତେବେ ଆଗାମୀ ଦିନରେ ବିଶେଷ କରି ଶୀତ ସମୟରେ କରୋନା ପ୍ରକୋପ ଆହୁରି ବଢ଼ିବ ବୋଲି ବିଶେଷଜ୍ଞମାନେ ସତର୍କ କରିଦେଇଛନ୍ତି।
କରୋନା ଭୂତାଣୁ ଇତି ମଧ୍ୟରେ ଶୀତ, ବସନ୍ତ, ଗ୍ରୀଷ୍ମ ଓ ବର୍ଷା ସବୁ ଋତୁ ଦେଖି ସାରିଛି। ଏବେ ଶରତ ଆସିବା ପରେ ଏହା ଅଧିକ ମାରାତ୍ମକ ହୋଇଛି। ଏଣୁ କରୋନା ଏକ ସର୍ବକାଳୀନ ସଂକ୍ରମଣରେ ପରିଣତ ହୋଇଛି। ବୁଧବାର ଦିନ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୨ ଲକ୍ଷ ଟପିଛି। ହେଲେ ଆଗାମୀ ଶୀତ ଋତୁରେ ଏହି ସଂଖ୍ୟା ବୃଦ୍ଧି ପାଇବ ବୋଲି ଡାକ୍ତରମାନେ ଜୋର ଦେଇ କହୁଛନ୍ତି।
ଦିଲ୍ଲୀ ଫୋର୍ଟିସ ହସ୍ପିଟାଲର ପଲମୋନୋଲୋଜି ବିଭାଗର ପ୍ରମୁଖ ରିଚା ସାରିନଙ୍କ କହିବା ଅନୁଯାୟୀ ଫୁସଫୁସ ସଂକ୍ରମଣର ଅତୀତ ଇତିହାସକୁ ତର୍ଜମା କଲେ ଜଣାପଡ଼ିବ ଯେ ଶୀତ ଦିନରେ ଏହା ନିଶ୍ଚିତ ବୃଦ୍ଧି ପାଇବ। ଯେତେ ପ୍ରକାର ଶ୍ୱାସନଳୀ ଜନିତ ରୋଗ ଯଥା ସାର୍ସ, ଇଂଫ୍କୁଏଞ୍ଜା ଏସବୁର ଏକ ନିର୍ଦ୍ଦିଷ୍ଟ ସମୟ ରହିଛି ଯେତେବେଳେ ଏହା ବୃଦ୍ଧି ପାଇଥାଏ। ତାଛଡ଼ା, ବାୟୁମଣ୍ଡଳରେ ଆର୍ଦ୍ରତା କମ ଯୋଗୁଁ ଭୂତାଣୁଜନିତ ଉପାଦାନ ବା ପାର୍ଟିକଲ ଏବଂ ଏରୋସଲ ବାଷ୍ପୀକରଣ ହେବାରେ ସହାୟକ ହୋଇଥାଏ।

ଏହା ଫଳରେ ବାୟୁମଣ୍ଡଳ ଜନିତ ରୋଗ ବୃଦ୍ଧି ପାଇଥାଏ। ସାରିନଙ୍କ ମତରେ ଶୀତ ଦିନରେ ସୂର୍ଯ୍ୟ କିରଣ ନଥିବା ହେତୁ ମଧ୍ୟ ଲୋକଙ୍କ ଶରୀରରେ ଭିଟାମିନ ଡି ପରିମାଣ କମିଯାଏ ଓ ଦେହର ପ୍ରତିରୋଧକ ଶକ୍ତି ହ୍ରାସ ପାଏ। ଏଣୁ କୋଭିଡ ଭଳି ବେମାରୀ ଅଧିକ ବ୍ୟାପିବା ସୁନିଶ୍ଚିତ।
ଏଣୁ ଆଗାମୀ ଦିନରେ ସମସ୍ତଙ୍କୁ ବ୍ୟକ୍ତିଗତ ସ୍ୱଚ୍ଛତା ନେଇ ସତର୍କ ରହିବାକୁ ହେବ।ମାସ୍କର ବ୍ୟବହାର, ହାତ ଧୁଆ ଓ ପରସ୍ପର ଠାରୁ ଦୂରତା ରକ୍ଷା କଲେ କରୋନାରୁ ନିଜକୁ ସୁରକ୍ଷିତ ରଖିବା ସମ୍ଭବ ହେବ ବୋଲି ସେ କହିଛନ୍ତି। ଦିଲ୍ଲୀ ଇନ୍ଦ୍ରପ୍ରସ୍ଥ ଆପୋଲୋ ହସ୍ପିଟାଲର ବରିଷ୍ଠ ପଲମୋନୋଲୋଜିଷ୍ଟ ଡ଼ାକ୍ତର ସୁରଂଜିତ ଚାଟ୍ଟାର୍ଜୀ ମଧ୍ୟ କହିଛନ୍ତି ଯେ ଶୀତ ଋତୁ ଆରମ୍ଭରେ ଫ୍ଲୁ ରୋଗ ବିଶେଷ ବ୍ୟାପିଥାଏ। ଇତି ମଧ୍ୟରେ ଆଇସିଏମଆର ପକ୍ଷରୁ କୁହାଯାଇଛି ଯେ ଅଗଷ୍ଟ ଶେଷ ସୁଦ୍ଧା ଦେଶରେ ପ୍ରତି ୧୫ ଜଣରେ ଜଣେ କୋଭିଡ ଆକ୍ରାନ୍ତ ହୋଇଥିଲେ। ଏଣୁ ବିଶେଷଜ୍ଞମାନଙ୍କ କହିବା କଥା ଯେ ଯଦି ଲୋକେ କରୋନା ନିୟମ ନ ମାନନ୍ତି ଏହା ଆଗକୁ  ସାଙ୍ଘାତିକ ଅବସ୍ଥା ସୃଷ୍ଟି କରିବ।

Comment