ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ନିୟମ ଉଲଂଘନ ମାମଲାରେ ଛନ୍ଦି ହେବା ପରେ ଆଜି ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ କ୍ଷମା ମାଗିଛନ୍ତି। ତାଙ୍କର ଏହି ଭୁଲ ପାଇଁ ଆଇନ ଅନୁସାରେ ଯେଉଁ ପଦକ୍ଷେପ ନିଆଯିବ ତାକୁ ମାନିବାକୁ ପ୍ରସ୍ତୁତ ଥିବା ଉମା କହିଛନ୍ତି।

କ୍ଷମା ପ୍ରାର୍ଥନା କରି ଉମା କହିଛନ୍ତି ଯେ, କରୋନା ସଂକ୍ରମିତ ଥିବା ସତ୍ତ୍ଵେ ସ୍ଵର୍ଗତଃ ପ୍ରଦୀପ ମହାରଥୀଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ଯୋଗ ଦେବା ମୋର ଭୁଲ୍ ଥିଲା। ମହାରଥୀଙ୍କ ବିୟୋଗରେ ଭାବବିହ୍ଵଳ ହୋଇ ସ୍ଵର୍ଗଦ୍ଵାର ଯାଇଥିଲି ବୋଲି ସେ କହିଛନ୍ତି।

ସରକାରଙ୍କ ଆଇନଠାରୁ ଉର୍ଦ୍ଧ୍ଵରେ କେହି ନୁହନ୍ତି। ଆଇନ ଅନୁଯାୟୀ ଯେଉଁ ପଦକ୍ଷେପ ଗ୍ରହଣ କରାଯିବ ତାହାକୁ ମାନି ନେବାକୁ ମୁଁ ପ୍ରସ୍ତୁତ ବୋଲି ଉମା କହିଛନ୍ତି। ନିଜର ଭୁଲ ପାଇଁ ସେ ସମସ୍ତଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି।ଉଲ୍ଲେଖଯୋଗ୍ୟ, ଗତ ସେପ୍ଟେମ୍ବର ୨୮ ତାରିଖରେ ଉମାକାନ୍ତ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। କରୋନା ପଜିଟିଭ୍ ଥାଇ ସେ ଗତ ରବିବାର ପ୍ରଦୀପ ମହାରଥୀଙ୍କ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ପୁରୀ ସ୍ଵର୍ଗଦ୍ଵାର ଯାଇଥିଲେ। ଏନେଇ ଜଗନ୍ନାଥ ସେନା ଓ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଅଭିଯୋଗ ହେବା ପରେ ଉମାଙ୍କ ନାଁରେ ପୁରୀ ସମୁଦ୍ରକୂଳ ଥାନା ପୋଲିସ ଆଜି ଏକ ମାମଲା ରୁଜୁ କରିଛି।

Comment