ଓଡ଼ିଶାଲାଇଭ୍ ବ୍ୟୁରୋ

ପୂର୍ବତନ ବଲିଉଡ ଅଭିନେତା ଫରାଜ ଖାନ୍‌ ବାଙ୍ଗାଲୋରର ଏକ ହସ୍ପିଟାଲରେ ଏବେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ମସ୍ତିଷ୍କ ସଂକ୍ରମଣ ଓ ନିମୋନିଆରେ ପୀଡ଼ିତ ଫରାଜଙ୍କ ସ୍ଵାସ୍ଥ୍ୟାବସ୍ଥା ଗମ୍ଭୀର ରହିଛି। ଏଭଳି ସ୍ଥିତିରେ ଫରାଜଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ଅଭିନେତା ସଲମାନ୍ ଖାନ୍। ସେ ଫରାଜଙ୍କ ସମସ୍ତ ମେଡିକାଲ ବିଲ୍ ପୈଠ କରିଛନ୍ତି। ଏନେଇ ଅଭିନେତା କୃଷ୍ଣା ଅଭିଷେକଙ୍କ ପତ୍ନୀ କଶ୍ମୀରା ସୂଚନା ଦେଇଛନ୍ତି।

କଶ୍ମୀରା ନିଜ ଇନଷ୍ଟାଗ୍ରାମରେ ଲେଖିଛନ୍ତି, “ଆପଣ ସତରେ ମହାନ। ଫରାଜ ଖାନ୍‌ଙ୍କୁ ସାହାଯ୍ୟ କରିବା ସହ ତାଙ୍କ ମେଡିକାଲ ବିଲ୍ ପୈଠ କରିଥିବାରୁ ଧନ୍ୟବାଦ।”ସେ ଆହୁରି ଲେଖିଛନ୍ତି ଯେ, ଫରାଜଙ୍କ ସ୍ଵାସ୍ଥ୍ୟବସ୍ଥା ଗମ୍ଭୀର ରହିଛି। ଏଭଳି ସ୍ଥିତିରେ ସଲମାନ୍ ଖାନ୍ ତାଙ୍କ ସହିତ ଅଛନ୍ତି ଓ ତାଙ୍କୁ ସାହାଯ୍ୟ କରୁଛନ୍ତି, ଯେପରି ସେ ଅନ୍ୟମାନଙ୍କୁ ସାହାଯ୍ୟ କରନ୍ତି। ତେଣୁ ସେ ସବୁବେଳେ ସଲମାନ୍‌ଙ୍କ ପ୍ରଶଂସକ ହୋଇ ରହିବେ ବୋଲି କଶ୍ମୀରା ଲେଖିଛନ୍ତି। ଫିଲ୍ମ ଇଣ୍ଡଷ୍ଟ୍ରିରେ ମୁଁ ଯେତେ ଲୋକଙ୍କୁ ଭେଟିଛି, ସେମାନଙ୍କ ମଧ୍ୟରୁ ମୋତେ ସଲମାନ୍ ସବୁଠୁ ଭଲ ମଣିଷ ଲାଗନ୍ତି ବୋଲି କଶ୍ମୀରା ନିଜ ପୋଷ୍ଟରେ ଲେଖିଛନ୍ତି।

ଗତକାଲି ବଲିଉଡ ଅଭିନେତ୍ରୀ ତଥା ନିର୍ଦ୍ଦେଶିକା ପୂଜା ଭଟ୍ଟ ମଧ୍ୟ ଫରାଜଙ୍କୁ ସାହାଯ୍ୟ କରିବାକୁ ନିବେଦନ କରିଥିଲେ। ଯଥାସମ୍ଭବ ତାଙ୍କୁ ସାହାଯ୍ୟ କରନ୍ତୁ, ମୁଁ ଆପଣଙ୍କ ନିକଟରେ କୃତଜ୍ଞ ରହିବି ବୋଲି ପୂଜା ନିଜ ଫେସ୍‌ବୁକ୍ ପେଜ୍‌ରେ ଲେଖିଥିଲେ।ଫରାଜ ଖାନ୍ ‘ମେହେନ୍ଦୀ’, ‘ଫରେବ’ ଆଦି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ତେବେ ଗତ ବର୍ଷେ ହେଲା ସେ ଛାତିରେ କଫ ଓ ମସ୍ତିକ ସଂକ୍ରମଣ ସହ ଲଢ଼ୁଥିବା ତାଙ୍କ ପରିବାର ପକ୍ଷରୁ ସୂଚନା ମିଳିଛି।

Comment