ଓଡ଼ିଶାଲାଇଭ୍ ବ୍ୟୁରୋ

ହାଇକୋର୍ଟ ବାର୍ ସମେତ ରାଜ୍ୟର ଅନ୍ୟାନ୍ୟ ସମସ୍ତ ବାର୍‌ରେ ନିର୍ବାଚନ ହେବ। ଆସନ୍ତା ନଭେମ୍ବର ଶେଷ ସପ୍ତାହ ସୁଦ୍ଧା ପ୍ରତ୍ୟେକ ବାର୍‌ର ନିର୍ବାଚନ ପ୍ରକ୍ରିୟା ଶେଷ କରାଯାଇ ଡିସେମ୍ବର ୧୫ ସୁଦ୍ଧା ଏହାର ଫଳାଫଳ ଘୋଷଣା ହେବ। ସୋମବାର ହାଇକୋର୍ଟର ମୁଖ୍ୟ ବିଚାରପତି ମହମ୍ମଦ ରଫିକ୍ ଏବଂ ବିଚାରପତି ବି ଆର ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି।

କରୋନା ପାଇଁ ଗତ ୭ମାସ ଧରି ବିଭିନ୍ନ ବାର୍‌ର ନିର୍ବାଚନ ଅଟକି ରହିଥିଲାବେଳେ ଏହାକୁ ଚାଲେଞ୍ଜ କରି ହାଇକୋର୍ଟରେ ଏକାଧିକ ମାମଲା ରୁଜୁ ହୋଇଥିଲା। ଗତ ମାର୍ଚ୍ଚର ଶେଷ ଶନିବାର ରାଜ୍ୟରେ ସମସ୍ତ ବାର୍‌ର ନିର୍ବାଚନ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା। କିନ୍ତୁ କରୋନା ପାଇଁ କଟକଣା ଲାଗୁ ହୋଇଯିବାରୁ ଏହି ନିର୍ବାଚନକୁ ବାତିଲ୍ କରି ଦିଆଯାଇଥିଲା।

ଏହି ସ୍ଥାନରେ ପ୍ରତ୍ୟେକ ବାର୍‌ରେ ଏକ ଅନ୍ତରୀଣ କମିଟି ଗଠନ ଲାଗି ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ଏହାକୁ ଚାଲେଞ୍ଜ କରି ବାଲେଶ୍ୱର ବାର୍ ଆସୋସିଏସନ୍, ଭଦ୍ରକ ବାର୍ ଆସୋସିଏସନ୍  ଏବଂ ଭୁବନେଶ୍ୱର ବାର୍ ଆସୋସିଏସନ୍‌ର ସଦସ୍ୟ ନିର୍ମଳ କିଶୋର ରଥଙ୍କ ପକ୍ଷରୁ ହାଇକୋର୍ଟରେ ମାମଲା ରୁଜୁ କରାଯାଇଥିଲା।

ହାଇକୋର୍ଟ ଆଜି ଏହି ମାମଲାର ଶୁଣାଣି କରି ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି। ଭାରତୀୟ ଆଇନଜୀବୀ ପରିଷଦ ପକ୍ଷରୁ ଆଇନଜୀବୀ ଅମିତ ପ୍ରସାଦ ବୋଷ, ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ ମହେଶ୍ୱର ଦାସ ଏବଂ ରଞ୍ଜନ କୁମାର ନାୟକ ମାମଲା ପରିଚାଳନା କରୁଥିଲେ। ଉଲ୍ଳେଖଯୋଗ୍ୟ ଯେ, ରାଜ୍ୟ ଆଇନଜୀବୀ ପରିଷଦ ଅଧୀନରେ ହାଇକୋର୍ଟ ବାର୍ ସମେତ ୧୮୧ଟି ପଞ୍ଜିକୃତ ହୋଇଛନ୍ତି। ଏହି ୧୮୧ଟି ବାର୍‌ର ସଭାପତି, ସମ୍ପାଦକ ପଦବୀ ସମେତ ବିଭିନ୍ନ ପଦପଦବୀ ନିମନ୍ତେ ନିର୍ବାଚନ ଅନୁଷ୍ଠିତ ହେବ।

Comment