ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିହାର ନିର୍ବାଚନୀ ମଇଦାନରେ ଚିରାଗ ପାଶ୍ୱାନ, ତେଜସ୍ୱୀ ଯାଦବ, ତେଜ୍ ପ୍ରତାପ, ପୁଷ୍ପମ ପ୍ରିୟା ଚୌଧୁରୀଙ୍କ ଭଳି ଏବେ ଅନେକ ଯୁବନେତାଙ୍କୁ ନେଇ ଚର୍ଚ୍ଚା। କିନ୍ତୁ ଏକଦା ଜାତୀୟ ରାଜନୀତି ଦୃଶ୍ୟପଟ୍ଟରେ ବେଶ୍‌ ଚର୍ଚ୍ଚିତ ହୋଇଥିବା ଛାତ୍ରନେତା ତଥା ବିହାର ମାଟିର ପୁଅ କହ୍ନୈୟା କୁମାର ଏବେ କେଉଁଠି?

ଆସନ୍ତାକାଲି ଅକ୍ଟୋବର ୨୮ରୁ ବିହାର ବିଧାନସଭା ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ହେଉଛି। କିନ୍ତୁ ନିର୍ବାଚନୀ ପ୍ରସଙ୍ଗରେ ଏଯାବତ୍‌ ଗୋଟିଏ ଚର୍ଚ୍ଚିତ ଚେହେରା ଏଥର ଚର୍ଚ୍ଚା ଭିଡ଼ରେ ନ ଥିବା ପରି ମନେ ହେଉଛି। ସେହି ଚେହେରା ଜଣକ ହେଉଛନ୍ତି କହ୍ନୈୟା କୁମାର।

ସିପିଆଇ ନେତା ତଥା ଜେଏନ୍‌ୟୁ ଛାତ୍ରସଂଘର ପୂର୍ବତନ ସଭାପତି କହ୍ନୈୟା କୁମାରଙ୍କୁ ଶେଷଥର ଗଣମାଧ୍ୟମରେ ଦେଖିବାକୁ ମିଳିଥିଲା ଗତବର୍ଷ। ନାଗରିକତ୍ୱ ସଂଶୋଧନ ବିଧେୟକ ଓ ଜାତୀୟ ନାଗରିକ ପଞ୍ଜିକାକୁ ବିରୋଧ କରି ବିହାରର ୩୮ଟି ଜିଲାରେ କେନ୍ଦ୍ର ବିରୋଧୀ ରାଲି ଚଳାଇଥିଲେ କହ୍ନୈୟା। କିନ୍ତୁ ଏଥର ୨୦୨୦ ବିହାର ବିଧାନସଭା ନିର୍ବାଚନ ବେଳେ ତାଙ୍କୁ ବିଶେଷ ଦେଖିବାକୁ ମିଳୁନି। କେବଳ ହାତଗଣତି କେତୋଟି ସଭାକୁ ସେ ସମ୍ବୋଧିତ କରିବା ଜଣାପଡ଼ିଛି, ଯାହାକୁ ନେଇ ଆଦୌ ଚର୍ଚ୍ଚା ହୋଇନି କହିଲେ ଚଳେ।

ବିହାର ରାଜନୀତିର ଭବିଷ୍ୟତ କହ୍ନୈୟା, ତେଜସ୍ୱୀ, ଚିରାଗ

ତେଜସ୍ୱୀ ପ୍ରସାଦ ଯାଦବ, ଚିରାଗ ପାଶ୍ୱାନ ଓ ୩୩ ବର୍ଷୀୟ କହ୍ନୈୟା କୁମାରଙ୍କୁ ବିହାର ରାଜନୀତିର ଆଗାମୀ ପିଢ଼ି ଭାବେ ଗଣୁଛନ୍ତି ରାଜନୀତି ସମୀକ୍ଷକ ତଥା ବିହାରବାସୀ। ଗତ ସାଧାରଣ ନିର୍ବାଚନ ସମୟରେ କହ୍ନୈୟା କୁମାର ଚର୍ଚ୍ଚାର ଶିରୋନାମା ପାଲଟିଥିଲେ ଯେତେବେଳେ ସେ ବେଗୁସରାଏ ଲୋକସଭା ଆସନରୁ ସିପିଆଇ ଟିକେଟ୍‌ରେ ପ୍ରାର୍ଥୀ ହୋଇଥିଲେ। ତାଙ୍କୁ ନେଇ ବିଶାଳ ଜନ ସମାବେଶ ବି ଦେଖିବାକୁ ମିଳିଥିଲା। ଯଦିଓ ତାଙ୍କୁ ବିଜେପିର ଭେଟେରାନ ନେତା ଗିରିରାଜ ସିଂଙ୍କଠାରୁ ପରାଜିତ ହେବାକୁ ପଡ଼ିଥିଲା। କିନ୍ତୁ ସେଥର ତାଙ୍କୁ ୨୨.୦୩ ପ୍ରତିଶତ ଜନମତ ମିଳିଥିଲା।

ମୋଦୀ ବିରୋଧୀ-କେନ୍ଦ୍ର ସରକାର ବିରୋଧୀ ସ୍ୱର ଏବେ କାହିଁ

ମୋଦୀ ସରକାର ଓ ବିଜେପି ପାଇଁ ସବୁବେଳେ ଅନେକ ପ୍ରଶ୍ନ ଓ ପ୍ରସଙ୍ଗ ଉପସ୍ଥାପନ କରିଆସୁଥିଲେ କହ୍ନୈୟା। ମୋଟାମୋଟି କହିବାକୁ ଗଲେ, ଆର୍‌ଏସ୍‌ଏସ୍‌, ବିଜେପି, ହିନ୍ଦୁତ୍ୱ ଏବଂ ମୋଦୀ ସରକାରଙ୍କ କଠୋର ସମାଲୋଚକ ଭାବେ ପରିଚିତ ଥିବା ଏହି ଛାତ୍ର-ଯୁବନେତା କିନ୍ତୁ ବିହାରର ନିର୍ବାଚନୀ ଦୃଶ୍ୟପଟ୍ଟରେ ସମ୍ପୂର୍ଣ୍ଣ ନିରବ।

ବାଟ ଓଗାଳିଛି ଦେଶଦ୍ରୋହ ମାମଲା

ଯେହେତୁ ତାଙ୍କ ଉପରେ ଦେଶଦ୍ରୋହ ମାମଲାର ବିଚାର ଚାଲୁ ରହିଛି, ତେଣୁ ଏହି ଯୁବନେତା ଜଣକ ଏବେ ନିଜ ରାଜନୈତିକ ଭବିଷ୍ୟତକୁ ନେଇ ପୁନର୍ଗଣନା ଆରମ୍ଭ କରିଛନ୍ତି। ଅନ୍ୟପକ୍ଷରେ ବିହାର ଭଳି ରାଜ୍ୟରେ ସିପିଆଇର ରାଜନୈତିକ ଉପସ୍ଥିତି ସୀମିତ। ସମ୍ଭବତଃ, ତାହା ହିଁ କହ୍ନୈୟାଙ୍କୁ ରାଜ୍ୟର ବୃହତ୍‌ ଭାଗ ବିହାରୀଙ୍କ ପାଖରେ ପହଞ୍ଚିବାକୁ ଦେଇପାରୁ ନାହିଁ। ବାମଦଳର ଷ୍ଟାର କ୍ୟାମ୍ପେନର ବା ତାରକା ପ୍ରଚାରକ ତାଲିକାରେ କହ୍ନୈୟାଙ୍କ ନାମ ରହିଛି। ଚଳିତ ବିହାର ନିର୍ବାଚନରେ ତାଙ୍କର ଭୂମିକା ଉଲ୍ଲେଖନୀୟ ହୋଇପାରେ ବୋଲି ଆଶା କରାଯାଉଥିଲା।

ଜଣେ ଯୁବନେତା ହିସାବରେ ବିହାରର ଯୁବବର୍ଗ ଭିତରେ ତାଙ୍କର ବିଶେଷ ଆବେଦନ ରହିଛି। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି, ଏଯାବତ୍ ବାମଦଳ କିମ୍ବା ମହା ମେଣ୍ଟ କଂଗ୍ରେସ-ଆରଜେଡିର କେହି ତାଙ୍କୁ ପ୍ରଚାର ଅଭିଯାନରେ ଯେପରି ଆଗକୁ ଆଣିବା କଥା, ତାହା କରିନାହାନ୍ତି। ରାଜନୀତି ସମୀକ୍ଷକ ମହଲରେ ଆଲୋଚନା ହେଉଛି ଯେ ଦେଶଦ୍ରୋହ ମାମଲାରେ ଫସିଥିବା ଏହି ଯୁବନେତା ଜଣକ ସମ୍ଭବତଃ ସେଥିରୁ ମୁକୁଳିବା ଦିନକୁ ହିଁ ଅପେକ୍ଷା କରି ରହିଛନ୍ତି।

ବିହାର ନିର୍ବାଚନୀ ଦୃଶ୍ୟପଟ୍ଟରେ ଅନେକ ଯୁବ ଚେହେରା

୨୦୨୦ ବିହାର ବିଧାନସଭା ନିର୍ବାଚନରେ ଅନେକ ଯୁବ ଚେହେରା ନିର୍ବାଚନ ଲଢୁଛନ୍ତି। ଲାଲୁ ପ୍ରସାଦ ଯାଦବ ଜେଲ୍‌ରେ ଥିବାବେଳେ ପୁଅ ତେଜସ୍ୱୀ ଯାଦବ ଓ ତେଜପ୍ରତାପ ଯାଦବ ଆର୍‌ଜେଡିର ମଙ୍ଗ ସମ୍ଭାଳୁଛନ୍ତି। ତେଜସ୍ୱୀଙ୍କୁ ବିହାର ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କୁହାଯାଉଛି। ପୂର୍ବରୁ ସେ ବିହାରର ଉପମୁଖ୍ୟମନ୍ତ୍ରୀ ମଧ୍ୟ ରହିଛନ୍ତି। ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ ରାମ ବିଳାସ ପାଶ୍ୱାନଙ୍କ ଦେହାନ୍ତ ପରେ ତାଙ୍କ ପ୍ରତିଷ୍ଠିତ ଦଳ ଏଲ୍‌ଜେପି (ଲୋକ ଜନଶକ୍ତି ପାର୍ଟି)ର ସମ୍ପୂର୍ଣ୍ଣ ଭାର ପୁଅ ଚିରାଗ ପାଶ୍ୱାନଙ୍କ କାନ୍ଧକୁ ଆସିଛି। ସେ ହିଁ ନିଜ ଦଳର ବଡ଼ ଚେହେରା।

ବିହାର ରାଜ୍ୟର ମୋଟ ଭୋଟର ହେଉଛନ୍ତି ୭.୧୮ କୋଟି ଯେଉଁଥିରୁ ୩.୬୬ କୋଟି ହେଉଛନ୍ତି ଯୁବବର୍ଗର। ସେମାନଙ୍କ ବୟସ ୧୮ ବର୍ଷରୁ ୩୯ ବର୍ଷ ଭିତରେ ରହିଛି। ବିହାର ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିବାରେ ଏମାନଙ୍କ ଭୂମିକା ମଧ୍ୟ ନିର୍ଣ୍ଣାୟକ ହେବ।

Comment