ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିହାରରେ ଏନ୍‌ଡିଏ ପ୍ରକୃତରେ ବିଜେପି-ଜେଡିୟୁ ନା ବିଜେପି-ଏଲ୍‌ଜେପି? ମୋଦୀ ଚିରାଗଙ୍କ ବିରୋଧରେ ମୁହଁ ଖୋଲୁନାହାନ୍ତି। ଚିରାଗ ନିଜକୁ ମୋଦୀଙ୍କ ହନୁମାନ ବୋଲି କହି ବୁଲୁଛନ୍ତି। ତେବେ ବିଜେପି ସହ ଏଲ୍‌ଜେପିର କ’ଣ ଭିତିରି ବୁଝାମଣା ଅଛି?

‘ମୋ’ ଛାତି ଚିରି ଦେଖନ୍ତୁ, ମୋଦୀଜୀ ହିଁ ଦେଖାଯିବେ। ନିର୍ବାଚନ ଜିତିଲା କ୍ଷଣି ହିଁ ନୀତୀଶ କୁମାରଙ୍କୁ ଜେଲ୍‌ ପଠାଇବୁ।’

ଲୋକ ଜନଶକ୍ତି ପାର୍ଟି (ଏଲ୍‌ଜେପି)ର ନେତା ଚିରାଗ ପାଶ୍ୱାନଙ୍କ ଏଭଳି ବଡ଼ ବଡ଼ କଥା ପଛରେ କ’ଣ କାରଣ ରହିଛି? ମୋଦୀଙ୍କ ସହ ଏଲ୍‌ଜେପିର କିଛି ଭିତିରି ବୁଝାମଣା ଅଛି କି? ଯେଉଁଥିପାଇଁ ଚିରାଗ ପାଶ୍ୱାନ ନିର୍ବାଚନୀ ସଭାରେ ଖୋଲାଖୋଲି ମୋଦୀଙ୍କ ପ୍ରଶଂସା କରୁଥିବା ବେଳେ ନୀତୀଶଙ୍କ ପ୍ରତି ଏଭଳି ଚରମ ବାଣୀ ଶୁଣାଉଛନ୍ତି। ଏହି ଚର୍ଚ୍ଚାକୁ ଯେତିକି ଖୋରାକ ମିଳିବାରେ ଲାଗିଛି, ଚିରାଗଙ୍କୁ ନେଇ ନୀତୀଶଙ୍କ ମନରେ ସେତିକି ଡର ମଧ୍ୟ ବଢ଼ିବାରେ ଲାଗିଛି।

ବିହାରରେ ଏବେ ଦୁଇଟି ମେଣ୍ଟ

ବିହାର ନିର୍ବାଚନୀ ରାଜନୀତିରେ ଏବେ ଦୁଇଟି ମେଣ୍ଟ କାମ କରୁଛି। ଗୋଟିଏ କଂଗ୍ରେସ ଓ ଲାଲୁପ୍ରସାଦ ଯାଦବଙ୍କ ଆର୍‌ଜେଡିକୁ ନେଇ ଗଠିତ ମହାମେଣ୍ଟ। ଅନ୍ୟଟି ହେଲା ବିଜେପି ଓ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ନେଇ ଗଠିତ ଏନ୍‌ଡିଏ ମେଣ୍ଟ। ସମସ୍ତେ ଜାଣନ୍ତି ଯେ ବିହାରରେ ଏନ୍‌ଡିଏ ମେଣ୍ଟ ଦୀର୍ଘଦିନର। ବିହାରରେ ପ୍ରଥମଥର ନୀତୀଶ କ୍ଷମତାସୀନ ହେବାର କାରଣ ହେଉଛି ବିଜେପି ସହ ଜେଡିୟୁର ମେଣ୍ଟ। ବିହାରରେ ଏହି ମେଣ୍ଟର ଭଲ ସ୍ଥିତି ରହିଛି। କେବଳ ମଝିରେ ଉପୁଜିଥିବା ବିବାଦରୁ କଂଗ୍ରେସକୁ ନେଇ ସରକାର ଗଢ଼ିଥିଲେ ନୀତୀଶ। କିନ୍ତୁ କଂଗ୍ରେସ ସହ ତାଙ୍କର ସମ୍ପର୍କ ଜମି ନ ଥିଲା। ନୀତୀଶ ପୁଣି ଗୋଠ ବାହୁଡ଼ା ହୋଇ ବିଜେପି ସହ ମେଣ୍ଟ କଲେ।

ଏଥର ପ୍ରାକ୍ ନିର୍ବାଚନୀ ପୋଲ୍‌ର ତଥ୍ୟ କହୁଛି ଯେ ଏନ୍‌ଡିଏକୁ ସଂଖ୍ୟାଗରିଷ୍ଠତା ମିଳିବ। ଏହାସତ୍ତ୍ୱେ ନୀତୀଶ ଆଶ୍ୱସ୍ତ ହୋଇପାରୁ ନାହାନ୍ତି। ତାଙ୍କ ଭିତରେ କେଉଁଠି ଗୋଟିଏ ଡର ବସା ବାନ୍ଧିଲାଣି ବୋଲି ତାହାର ଆଭାସ ମିଳୁଛି।

ପରଦା ଆଗରେ ବିଜେପି-ଜେଡିୟୁ, ପଛରେ ବିଜେପି-ଏଲ୍‌ଜେପି ଦିଶୁଛି!

ବିହାରରେ ନୀତୀଶ କୁମାରଙ୍କ ଜେଡିୟୁକୁ ନେଇ ବିଜେପିର ଏନ୍‌ଡିଏ ମେଣ୍ଟ ଚାଲିଥିବାବେଳେ ଚର୍ଚ୍ଚା ଟିକେ ଅଲଗା ମୋଡ଼ ଧରିଛି। ରାଜନୈତିକ ମହଲରେ ଏବେ ଏକ ପ୍ରଶ୍ନ ଉଙ୍କି ମାରୁଛି ଯେ ପ୍ରକୃତରେ ଏନ୍‌ଡିଏ କିଏ? ବିଜେପି ସହ ଜେଡିୟୁ ନା ବିଜେପି ସହ ଏଲ୍‌ଜେପି। ଏହି ପ୍ରଶ୍ନ ବିହାର ରାଜନୀତିକୁ ଯେତିକି ଘନୀଭୂତ କରୁଛି, ଚିରାଗ ସେତିକି ବଳ ଗୋଟାଉଥିବା ବେଳେ ନୀତୀଶ ସେତିକି ଦୁର୍ବଳ ହେବା ଭଳି ମନେ ହେଉଛନ୍ତି। ବିଜେପି ସହ ଏଲ୍‌ଜେପିର କିଛି ଭିତିରି ବୁଝାମଣା ରହିଛି କି? ଏବେ ଏଭଳି ଏକ ଚର୍ଚ୍ଚାକୁ ଗତି ମିଳିଛି।

ନୀତୀଶଙ୍କୁ ଗାଦିଚ୍ୟୁତ କରିବା ଚିରାଗଙ୍କ ଟାର୍ଗେଟ୍‌

ଜେଡିୟୁ ସହ ଏଲ୍‌ଜେପିର ତିକ୍ତତା ବହୁଦିନର। ନୀତୀଶ କୁମାର ହିଁ ଚିରାଗଙ୍କ ବାପା ରାମ ବିଳାସ ପାଶ୍ୱାନଙ୍କୁ ବିହାର ରାଜନୀତି ବଳୟରୁ ସବୁବେଳେ ବାହାରେ ରଖିବା ପାଇଁ ଉଦ୍ୟମ କରିଆସୁଥିଲେ। କେନ୍ଦ୍ରରେ ବହୁବାର କ୍ୟାବିନେଟ୍ ମନ୍ତ୍ରୀ ହୋଇଥିଲେ ମଧ୍ୟ ରାମ ବିଳାସଙ୍କ ବିହାର ମୁଖ୍ୟମନ୍ତ୍ରୀ ହେବା ସ୍ୱପ୍ନ ଅଧୁରା ରହିଯାଇଥିଲା। ତେଣୁ ବାପାଙ୍କ ସ୍ୱପ୍ନ ପୂରଣ କରିବା ପାଇଁ ସିନେ ପରଦା ଛାଡ଼ି ରାଜନୀତି ପଡ଼ିଆକୁ ଓହ୍ଲାଇଥିଲେ ଚିରାଗ। ମୃତ୍ୟୁ ପୂର୍ବରୁ ପୁଅ ଚିରାଗକୁ ନିଜ ପ୍ରତିଷ୍ଠିତ ଦଳର ମୁଖିଆ କରିଦେଇଥିଲେ ରାମବିଳାସ।  ସେବେଠାରୁ ବାପାଙ୍କ ସ୍ୱପ୍ନ ପୂରଣ ଓ ନୀତୀଶଙ୍କୁ ଗାଦିଚ୍ୟୁତ କରିବାର ଜିଦ୍‌ ଚିରାଗଙ୍କ ଭିତରେ ବଢ଼ିବାରେ ଲାଗିଛି।

ମୋଦୀଙ୍କ ପ୍ରଶଂସାରେ ଶତମୁଖ ଚିରାଗ

ବିହାର ନିର୍ବାଚନ ପରିପ୍ରେକ୍ଷୀରେ ବିଜେପିଠାରୁ ଅଲଗା ହୋଇ ଏକାକୀ ଭୋଟ୍‌ ଲଢ଼ିବା ପାଇଁ ନିଷ୍ପତ୍ତି ନେଇଥିଲା ଏଲ୍‌ଜେପି। କିନ୍ତୁ ବିଜେପି ପ୍ରାର୍ଥୀ ଦେଇଥିବା ସ୍ଥାନରେ ପ୍ରାର୍ଥୀ ଛିଡ଼ା କରାଇନାହିଁ ଏଲ୍‌ଜେପି। ନିଜ ନିର୍ବାଚନୀ ସଭାରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଶଂସା କରିବା ସହ ନିଜକୁ ତାଙ୍କର ହନୁମାନ ବୋଲି ମଧ୍ୟ କହୁଛନ୍ତି। ନିର୍ବାଚନ ପରେ ଆବଶ୍ୟକ ପଡ଼ିଲେ ସେ ବିଜେପି ସହ ହାତ ମିଳାଇବେ ବୋଲି କହି ବୁଲୁଛନ୍ତି। ଅନ୍ୟପକ୍ଷରେ ବିହାର ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଲ୍‌ଜେପି କିମ୍ବା ଚିରାଗ ପାଶ୍ୱାନଙ୍କ ବିରୋଧରେ ଆଦୌ କିଛି କହିନାହାନ୍ତି। ବରଂ ଏହି ନିକଟରେ ପରଲୋକ ଘଟିଥିବା ଏଲ୍‌ଜେପି ପ୍ରତିଷ୍ଠାତା ତଥା ଏନ୍‌ଡିଏ ସରକାରଙ୍କ କ୍ୟାବିନେଟ୍‌ର କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶ୍ୱାନଙ୍କ ନାମ ପ୍ରଥମେ ନେଇ ଶ୍ରଦ୍ଧାଞ୍ଜଳି ପୂର୍ବକ ନିଜ ନିର୍ବାଚନୀ ଭାଷଣ ରଖୁଛନ୍ତି ମୋଦୀ।

ବିଜେପି-ଏଲ୍‌ଜେପିର ଯୋଗସୂତ୍ର ଆର୍‌ଏସ୍‌ଏସ୍‌

ଅନ୍ୟପକ୍ଷରେ ବିଜେପି ଓ ଏଲ୍‌ଜେପି ମଧ୍ୟରେ ସମ୍ପର୍କ ଥିବାର ବଡ଼ ଲିଙ୍କ୍‌ ହେଉଛି ଆର୍‌ଏସ୍‌ଏସ୍‌। ଚିରାଗ ପାଶ୍ୱାନ ଯେତେବେଳେ ଆର୍‌ଏସ୍‌ଏସ୍‌ ପୃଷ୍ଠଭୂମି ଥିବା ବିଜେପିର କେତେଜଣ ହେଭିୱେଟ୍‌ ନେତାଙ୍କୁ ଏଲ୍‌ଜେପିରୁ ଟିକେଟ୍‌ ଦେଲେ, ସେତେବେଳେ ଏହି ଚର୍ଚ୍ଚାକୁ ଦୃଢ଼ କଲା ତାଙ୍କ ନିଷ୍ପତ୍ତି। ବିଜେପିର ପୂର୍ବତନ ଉପସଭାପତି ରାଜେନ୍ଦ୍ର ସିଂ ହେଉଛନ୍ତି ଏହାର ସବୁଠୁ ବଡ଼ ଉଦାହରଣ। ଯେଉଁଠାରେ ବିଜେପିର ଭୋଟ୍‌ ବ୍ୟାଙ୍କ ରହିଛି, ସେହି ଆସନର ଭୋଟ୍‌କୁ ଜେଡିୟୁ ପକେଟ୍‌କୁ ନ ଦେବା ପାଇଁ ଚିରାଗ ବିଜେପିର ପୂର୍ବତନ ନେତା କିମ୍ବା ଆର୍‌ଏସ୍‌ଏସ୍‌ ପୃଷ୍ଠଭୂମି ଥିବା ନେତାଙ୍କୁ ନିଜ ଦଳରୁ ପ୍ରାର୍ଥୀ କରିଛନ୍ତି।

ବିଜେପି ଓ ଆର୍‌ଏସ୍‌ଏସ୍‌ ଲିଙ୍କ ଥିବା ପ୍ରାୟ ୨୦ ଜଣ ନେତାଙ୍କୁ ଏଲ୍‌ଜେପି ଟିକେଟ୍‌ ଦେଇଛନ୍ତି ଚିରାଗ। ସେମାନଙ୍କ ମଧ୍ୟରୁ ଅନେକ ପ୍ରାର୍ଥୀ ଏଲ୍‌ଜେପିରୁ ଟିକେଟ୍‌ ପାଇଥିଲେ ମଧ୍ୟ ସୋସିଆଲ ମିଡିଆରେ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାଁରେ ଭୋଟ୍ ମାଗୁଥିବା ଦେଖିବାକୁ ମିଳୁଛି। ଆର୍‌ଏସ୍‌ଏସ୍‌ ସହ ଲିଙ୍କ୍‌ ଥିବା କର୍ମୀ ଏଲ୍‌ଜେପି ପ୍ରାର୍ଥୀଙ୍କ ପାଇଁ ସକ୍ରିୟ ଭାବେ ନିର୍ବାଚନ ପ୍ରଚାରରେ ମାତିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କୌଣସି ନିର୍ବାଚନୀ ସଭାରେ ଚିରାଗଙ୍କ ବିପକ୍ଷରେ କିଛି କହିନାହାନ୍ତି। ଏଲ୍‌ଜେପିରୁ ପ୍ରାର୍ଥୀ ହୋଇଥିବା ବିଜେପିର ପୂର୍ବତନ ଉପସଭାପତି ରାଜେନ୍ଦ୍ର ସିଂଙ୍କ ରାଲିରେ ଚିରାଗ ପାଶ୍ୱାନ, ରାମବିଳାସ ପାଶ୍ୱାନଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାରା ଶୁଣିବାକୁ ମିଳୁଛି। କିନ୍ତୁ ସେଥିରେ ରାଜ୍ୟ ବିଜେପିର କୌଣସି ନେତା କିମ୍ବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନାଁ ନିଆଯାଉ ନାହିଁ।

ଏହି ସବୁ କାରଣ ବିଜେପି ସହ ଏଲ୍‌ଜେପିର ଭିତିରି ବୁଝାମଣା କାମ କରୁଥିବା ଚର୍ଚ୍ଚାକୁ ଖୋରାକ ଯୋଗାଇଛି। ଯଦି ଏହି ଚର୍ଚ୍ଚା ସତ ହୋଇଥାଏ, ତାହାହେଲେ ଏହା ବିହାର ମୁଖ୍ୟମନ୍ତ୍ରୀଙ୍କ ପାଇଁ ସତର୍କ ଘଣ୍ଟି ହେବ ନିଶ୍ଚୟ।

Comment