ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍‌ ସରିଥିବା ବେଳେ ଆଉ ଦୁଇଟି ପର୍ଯ୍ୟାୟ ପାଇଁ ପ୍ରଚାର ଅଭିଯାନ ଚାଲିଛି। ଏହି ସମୟରେ ବିଭିନ୍ନ ଦଳର ନେତାଙ୍କ ବାକ୍‌ ଯୁଦ୍ଧ ବିହାର ରାଜନୀତିରେ ଉଷ୍ମତା ଭରିଛି।

କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ ଶନିବାର ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ୱୀ ଯାଦବଙ୍କ ଉପରେ ବିସ୍ଫୋରକ ଟିପ୍ପଣୀ ଦେଇଛନ୍ତି। ସେ କହିଛନ୍ତି ଯେ ତେଜସ୍ୱୀ ‘କ୍ୟାବିନେଟ୍‌’ ବି ଠିକ୍‌ରେ ଲେଖିପାରିବେ ନାହିଁ। ଯେଉଁ ବ୍ୟକ୍ତି ଜନତାଙ୍କ ପ୍ରସଙ୍ଗକୁ ବୁଝିପାରି ନାହିଁ, ଏପରିକି ଦଶମ ଶ୍ରେଣୀ ମଧ୍ୟ ପାସ୍ କରିପାରି ନାହିଁ, ସେ ନୀତୀଶ କୁମାରଙ୍କୁ ସମାଲୋଚନା କରୁଛନ୍ତି ଯିଏ କି ଜଣେ ଇଞ୍ଜିନିୟର।

ତେଜସ୍ୱୀଙ୍କ ବାପା ଲାଲୁ ଯାଦବଙ୍କ କ୍ୟାବିନେଟ୍‌ ଏକ ଲକ୍ଷ ଚାକିରିର ପ୍ରତିଶ୍ରୁତି ଦେଇଥିଲା। ଚାକିରି ଆଶାୟୀ ଲୋକଙ୍କଠାରୁ ପଇସା ନେଲେ ଓ ଏବେ ବି ସେମାନଙ୍କ ଆବେଦନପତ୍ର ଅଳିଆ ହୋଇ ପଡ଼ିରହିଛି।

କେବଳ ସେତିକି ନୁହେଁ, ଅଶ୍ୱିନୀ ଚୌବେ ଆର୍‌ଜେଡି-କଂଗ୍ରେସ ମେଣ୍ଟକୁ ‘ଗପ୍ପୁ ଓ ପପ୍ପୁ’ର ଆଖ୍ୟା ଦେଇଛନ୍ତି। ଏହି ମେଣ୍ଟକୁ କେବଳ ‘ଲପ୍ପୁ’ (ଥଟ୍ଟା ବା ପରିହାସ) ହିଁ ମିଳିବ ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଏଇ ନିକଟରେ ତେଜସ୍ୱୀ ଯାଦବ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ବେକାରୀ ପ୍ରସଙ୍ଗରେ ତର୍କ ପାଇଁ ଆହ୍ୱାନ ଦେଇଥିଲେ।

Comment