ଓଡ଼ିଶାଲାଇଭ୍ ବ୍ୟୁରୋ

ବିହାର ବିଧାନସଭା ନିର୍ବାଚନ ପାଇଁ ଆଜି ଦ୍ୱିତୀୟ ପର୍ଯ୍ୟାୟ ଭୋଟଦାନ ଚାଲିଛି। ଏହା ଭିତରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ଚଳାଇଛନ୍ତି। ହେଲେ ଆଜି ମଧୁବନଠାରେ ନୀତିଶଙ୍କୁ ଜଣେ ଯୁବକଙ୍କ ରୋଷର ଶିକାର ହେବାକୁ ପଡ଼ିଛି।

ନୀତିଶ ଆଜି ନିର୍ବାଚନ ପାଇଁ ପ୍ରଚାର କରୁଥିବାବେଳେ ଜଣେ ଯୁବକ ତାଙ୍କ ଉପରକୁ ପଥର ଓ ପିଆଜ ମାଡ଼ କରିଥିଲା। ଏଥିସହିତ ସେ ଜୋରରେ ଚିତ୍କାର କରି କହୁଥିଲେ ଯେ, ରାଜ୍ୟରେ ମଦ ଖୋଲାଖୋଲି ବିକ୍ରି ହେଉଛି, ଡକାୟତି ବଢ଼ିଚାଲିଛି ଏବଂ ନୀତିଶ କିଛି କରୁନାହାନ୍ତି। ଏହି ସମୟରେ ସୁରକ୍ଷା କର୍ମୀମାନେ ନୀତିଶଙ୍କୁ ଘେରିଯାଇଥିଲେ। ନୀତିଶ ମଧ୍ୟ ନିଜର ଭାଷଣ ଜାରି ରଖିଥିଲେ।ନୀତିଶ ନିଜ ଭାଷଣରେ କହିଥିଲେ ଯେ, ଆଜି ଯେଉଁମାନେ ରୋଜଗାର ଦେବାକୁ କହୁଛନ୍ତି ସେମାନେ ପୂର୍ବରୁ ରାଜ୍ୟରେ ଶାସନରେ ଥିଲେ। ହେଲେ ସେ ସମୟରେ ସେମାନେ ରୋଜଗାର ଦେଇପାରୁନଥିଲେ। ସେତେବେଳେ ତାଙ୍କ ପାଖରେ ବହୁତ ସମୟ ଥିଲା କିନ୍ତୁ ସେମାନେ ଲୋକଙ୍କୁ ରୋଜଗାର ସୁବିଧା ଯୋଗାଇପାରୁନଥିଲେ। ଏବେ ସେମାନେ କିପରି ରୋଜଗାର ପାଇଁ ପ୍ରତିଶ୍ରୁତି ଦେଉଛନ୍ତି ନୀତିଶ କହିଛନ୍ତି।

କରୋନା କାଳରେ ବିହାରରେ ବିଧାନସଭା ନିର୍ବାଚନ ଚାଲିଛି। ପ୍ରଥମ ପର୍ଯ୍ୟାୟ ଭୋଟ୍ ପରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଚାଲିଛି। ଏହାପରେ ନଭେମ୍ବର ୭ ତାରିଖରେ ତୃତୀୟ ପର୍ଯ୍ୟାୟ ଭୋଟ୍ ହେବ। ଯାହାର ଫଳାଫଳ ନଭେମ୍ବର ୧୦ ତାରିଖରେ ଘୋଷଣା ହେବ।

Comment