ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶ୍ଵର ସର୍ବଶକ୍ତିଶାଳୀ ଗଣତନ୍ତ୍ରର ମୁଖିଆ ନିର୍ବାଚନ ଉପରେ ସବୁଦେଶର ଆଖି। ଡେମୋକ୍ରାଟ ପ୍ରାର୍ଥୀ ଜୋ ବାଇଡେନ ନା ରିପବ୍ଲିକାନ ଡୋନାଲ୍ଡ ଟ୍ରମ୍ପ ପୁଣି ହେବେ ରାଷ୍ଟ୍ରପତି। ତେବେ ବାଇଡେନ ବିଜୟର ଦ୍ଵାର ଦେଶରେ ପହଞ୍ଚିସାରିଥିବାରୁ ପାକିସ୍ତାନ ବେଶ ଉତ୍ସାହିତ ଥିବା କୂଟନୈତିକ ସ୍ତରରେ ଆଲୋଚନା ହେଉଛି। କାରଣ ଟ୍ରମ୍ପଙ୍କ ୪ ବର୍ଷର ଶାସନ କାଳରେ ପାକିସ୍ତାନ ସହ ସମ୍ପର୍କ ବିଶେଷ ଭଲ ରହିନାହିଁ। ବରଂ ତାଙ୍କର ରୋକଠୋକ ଆଚାରଣ ଅନେକଥର ପାକିସ୍ତାନକୁ ଅସୁବିଧାରେ ପକାଇଛି। ପୂର୍ବରୁ ଜୋ-ବାଇଡେନଙ୍କ ସହ ପାକିସ୍ତାନର ସୌହାର୍ଦ୍ୟପୂର୍ଣ୍ଣ ସମ୍ପର୍କ ଅନେକ ଥର ପ୍ରମାଣିତ ହୋଇଥିବାରୁ ଆମେରିକା ନିର୍ବାଚନର ଫଳାଫଳକୁ ନେଇପାକିସ୍ତାନ ବେଶ ଉତ୍ସାହିତ ଅଛି।

ବାଇଡେନ ପୁରୁଣା କୂଟନୈତିଜ୍ଞ ହୋଇଥିବା ବେଳେ ତାଙ୍କର ପାକିସ୍ତାନ ସହ ବେଶ ଭଲ ସମ୍ପର୍କ ରହିଥିବା ଆଲୋଚନା ହୁଏ। ତେଣୁ ସେ ନିର୍ବାଚିତ ହେଲେ ପାକିସ୍ତାନ ସହ ପୁରୁଣା ସମ୍ପର୍କ ଜୀବନ ପାଇବ ବୋଲି ପାକିସ୍ତାନ ସରକାର ଆଶାବାଦୀ ଅଛନ୍ତି। ୨୦୦୮ରେ ପାକିସ୍ତାନ ସରକାର ତାଙ୍କ ଦେଶର ଦ୍ଵିତୀୟ ସର୍ବୋଚ୍ଚ ସମ୍ମାନ ‘ହିଲାଲ ଏ ପାକିସ୍ତାନ’ ସମ୍ମାନରେ ବାଇଡେନଙ୍କୁ ସମ୍ମାନିତ କରିଥିଲେ। ପାକିସ୍ତାନକୁ ୧୫ ବିଲିୟନ ଆମେରିକୀୟ ଡଲାର ସହାୟତା ପଛରେ ଜୋ ବାଇଡେନ ଓ ସିନେଟର ରିଚାର୍ଡ ଲୁଗାରଙ୍କ ଯଥେଷ୍ଟ ଅବଦନ ରହିଥିଲା। ଲୁଗାର ମଧ୍ୟ ପାକିସ୍ତାନର ସମ୍ମାନ ‘ହିଲାଲ ଏ ପାକିସ୍ତାନ’ ସମ୍ମାନରେ ସମ୍ମାନିତ ହୋଇଥିଲେ।

ତେବେ ଟ୍ରମ୍ପଙ୍କ ଶାସନ କାଳରେ ପାକିସ୍ତାନ ସହ ଆମେରିକାର ସମ୍ପର୍କ ଖରାପ ହୋଇଥିଲା। ଟ୍ରମ୍ପଙ୍କ ଦୁର୍ବଳ କୂଟନୈତିକ ଆଚରଣ ଯୋଗୁଁ ପାକିସ୍ତାନ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିବା ବିଚାର କରୁଥିଲା। ପାକିସ୍ତାନକୁ ବିଭିନ୍ନ ବିଶ୍ଵ ଫୋରମରେ ବାରମ୍ବାର ନିନ୍ଦିତ କରିଥିଲେ ଡୋନାଲ୍ଡ ଟ୍ରମ୍ପ। କଶ୍ମୀର ପ୍ରସଙ୍ଗରେ ମଧ୍ୟ ବାଇଡେନଙ୍କ ମନ୍ତବ୍ୟ ସେତେବେଳେ ପାକିସ୍ତାନକୁ ବେଶ ସୁହାଇଥିଲା। କଶ୍ମୀରରେ ମୁସଲିମଙ୍କ ଦୁଃଖ ସହ ବାଂଲାଦେଶର ରୋହିଙ୍ଗ୍ୟା ଓ ଚୀନରେ ଉଇଗର ମୁସଲିମଙ୍କ ଦୁଃଖକୁ ତୁଳନା କରିଥିଲେ।

Comment