ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତକୁ ଫେରୁଛି ଅନଲାଇନ୍ ଗେମିଂ ଆପ୍ ପବ-ଜି। ସାଉଥ୍ କୋରିଆନ୍ କମ୍ପାନି ପବଜି କର୍ପୋରେସନ ଏନେଇ ପ୍ରେସ ବିଜ୍ଞପ୍ତି ଜାରି କରି ଘୋଷଣା କରିଛି। ଚୀନ୍ କମ୍ପାନିଠାରୁ ଅଲଗା ହୋଇ ଏବେ କମ୍ପାନି ଭାରତ ପାଇଁ ସ୍ପେଶାଲ୍ ଗେମିଂ ଆପ ପ୍ରସ୍ତୁତ କରୁଛି, ଯାହାକି ଖୁବଶୀଘ୍ର ଲଞ୍ଚ୍ ହେବ।

ପବଜି କର୍ପୋରେସନର କହିବା ମୁତାବକ, ଭାରତରେ କମ୍ପାନି ପବଜି ମୋବାଇଲ୍ ଆପକୁ ଲଞ୍ଚ୍ କରିବ। ଯାହାକି ସମ୍ପୂର୍ଣ୍ଣ ଭାବେ ସରକାରଙ୍କ ନୂଆ ନିୟମ ମୁତାବକ ହେବ। ଏଥିରେ ବ୍ୟବହାରକାରୀଙ୍କ ସମସ୍ତ ଡାଟା ମଧ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ ରହିବ। ଭାରତରେ ଏହି ଆପକୁ ଲଞ୍ଚ କରିବାକୁ କମ୍ପାନି ମୋଟ ଶହେ ମିଲିୟନ ଡଲାର ନିବେଶ କରିବ ବୋଲି କୁହାଯାଇଛି।ପବଜି କର୍ପୋରେସନର ଏହି ଘୋଷଣା ପରେ ଏବେ ପବଜି ଖେଳାଳିଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି। ନୂଆ ଗେମ୍ କିଭଳି ହୋଇଥିବ, ଏଥିରେ କି କି ଫିଚର ରହିଥିବ ଏବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ସେପ୍ଟେମ୍ବର ୨ ତାରିଖରେ ଜାତୀୟ ସୁରକ୍ଷାକୁ ଆଧାର କରି ଭାରତ ସରକାର ପବଜି ସମେତ ୧୧୮ଟି ଚାଇନିଜ୍ ଆପକୁ ବ୍ୟାନ୍ କରିଥିଲେ। ଏହାପରେ ପ୍ଲେ-ଷ୍ଟୋରରେ ଏହି ଆପଟି ଆଉ ଉପଲବ୍ଧ ହୋଇନଥିଲା। ହେଲେ ଯେଉଁମାନେ ପୂର୍ବରୁ ଏହାକୁ ଇନଷ୍ଟଲ୍ କରି ରଖିଥିଲେ ସେମାନେ ଏହାକୁ ଖେଳିପାରୁଥିଲେ।

ନିକଟରେ କମ୍ପାନି ଭାରତରୁ ସମ୍ପୂର୍ଣ୍ଣ ଭାବେ ବିଦାୟ ନେଇଥିଲା। ଏହାପରେ ମୋବାଇଲରେ ଇନଷ୍ଟଲ ଥିବା ପବଜି ଆପ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ଏବେ ପୁଣିଥରେ ଏହି ଆପ ଫେରିବାକୁ ଥିବାରୁ ଏହାକୁ ନେଇ ପବଜି ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।

Comment