ଓଡ଼ିଶାଲାଇଭ୍ ବ୍ୟୁରୋ

(ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ନବରଙ୍ଗପୁର ପୌରାଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସିକ ଯୋଜନାରେ ବ୍ୟାପକ ଦୁର୍ନୀତି ହେଉଛି। ପୌର ପ୍ରଶାସନ ଏବଂ କିଛି ନେତା ଉଭୟ ମିଶିକରି ସାଧାରଣ ଲୋକଙ୍କୁ ଲୁଟୁଛନ୍ତି। ପୌର କାର୍ଯ୍ୟାଳୟ ପ୍ରତି ଜିଲ୍ଲାପାଳ ଗୁରୁତ୍ଵ ଦେଉନଥିବାରୁ ପୌର ପ୍ରଶାସନ ମନମୂଖୀ ଭାବେ କାର୍ଯ୍ୟ କରି ଦୁର୍ନୀତିରେ ବୁଡ଼ିରହିଛି। ଶନିବାର ଏକ ସାମ୍ଵାଦିକ ସମ୍ମିଳନୀ କରି ନବରଙ୍ଗପୁର ପୌରାଞ୍ଚଳରେ ଏପରି ଦୁର୍ନୀତି ହେଉଥିବା ଅଭିଯୋଗ ଆଣିଛି ନବରଙ୍ଗପୁର ବିଜେପି।

ବିଜେପି ପକ୍ଷରୁ ଜଣେ କର୍ମକର୍ତ୍ତା ଅରୁଣ ପୂଜାରୀ ସୂଚନା ଅଧିକାର ଆଇନ ବଳରେ ନବରଙ୍ଗପୁର ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆବସିକ ଯୋଜନାର ତଥ୍ୟ ମାଗିଥିଲେ। ସେଥିରୁ ମିଳିଥିବା ତଥ୍ୟ ଅନୁଯାୟୀ ପୌରପାଳିକା ଅଞ୍ଚଳରେ ମୋଟ ୧୨୬୧ ଜଣ ହିତାଧିକାରୀ ଆବାସ ନିର୍ମାଣ ପାଇଁ କାର୍ଯ୍ୟାଦେଶ ପାଇଛନ୍ତି। ଏହି କ୍ରମରେ ପୌରପାଳିକାର ୱାର୍ଡ ନମ୍ଵର ୭ର କ୍ରମିକ ସଂଖ୍ୟା ୮୧୩ ରେ ଭାରତୀ ଟାକ୍ରୀ, ୱାର୍ଡ ନମ୍ଵର ୧୫ର କ୍ରମିକ ସଂଖ୍ୟା ୮୮୫ ରେ ରିବିକା କୋଚିମ ଏବଂ ୱାର୍ଡ ନମ୍ଵର ୧୩ର କ୍ରମିକ ସଂଖ୍ୟା ୯୯୫ ମୃତ କମଳା କାନ୍ତ ଜାନିଙ୍କ ପ୍ରଧାନମନ୍ତ୍ରୀ ଆବାସ ଗୃହ ସଂମ୍ପୂର୍ଣ୍ଣ ହୋଇଥିବା ଦର୍ଶାଯାଇଛି। କିନ୍ତୁ ବାସ୍ତବରେ ଏହିସବୁ ଗୃହ ସମ୍ପୂର୍ଣ୍ଣ ହୋଇନାହିଁ।

ବିଜେପି ଅଭିଯୋଗ ଅନୁସାରେ ହିତାଧିକାରୀଙ୍କୁ ଯୋଜନାର ଟଙ୍କା ଦିଆଯିବାରେ ବିଳମ୍ବ କରାଯାଉଛି। ଏଥିପାଇଁ ଅନେକ ହିତାଧିକାରୀ ଆର୍ଥିକ କ୍ଷତି ସହୁଛନ୍ତି। ସେହିପରି ଜାଗା ମିଶନ ପଟା ପ୍ରଦାନରେ ମଧ୍ୟ ପାତର ଅନ୍ତର ନୀତି ଅବଲମ୍ବନ କରାଯାଇଛି। କେନ୍ଦ୍ରସରକାରଙ୍କ ବିଭିନ୍ନ ଜନହିତକର ଯୋଜନାଗୁଡିକୁ ଦୀର୍ଘଦିନ ଧରି ପାକାଇ ରଖାଯାଉଛି। ଫଳରେ ଜନସାଧାରଣ ଏହି ଯୋଜନାଗୁଡ଼ିକର ପ୍ରକୃତ ଲାଭ ପାଇବାରୁ ବଞ୍ଚିତ ହେଉଛନ୍ତି। ଯଦି ପୌରପାଳିକା ଶୀଘ୍ର ତାର ତ୍ରୁଟି ନସୁଧାରେ ତାହାହେଲେ ଆଗାମୀ ଦିନରେ ପୌରପାଳିକା କାର୍ଯ୍ୟାଳୟକୁ ଘେରାଉ କରାଯିବ ବୋଲି ବିଜେପି ଚେତାବନୀ ଦେଇଛି।

Comment