ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗୁରୁତର ରୋଗରେ ପୀଡ଼ିତ ଥିବା ୧୦୦ ପିଲାଙ୍କ ଚିକିତ୍ସା ଦାୟିତ୍ୱ ନେଇ ଚର୍ଚ୍ଚାରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର।

ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର। କ୍ରିକେଟ ଜଗତର ସେ ଚାମ୍ପିୟନ। ଖେଳ ପାଇଁ ସେ ଯେତିକି ପ୍ରଶଂସିତ, ତାଙ୍କର ମହାନତା ପାଇଁ ବି ସେ ସେତିକି ଚର୍ଚ୍ଚିତ। ଏବେ ସେ ପୁଣି ତାଙ୍କ ମହାନ ହୃଦୟର ପରିଚୟ ଦେଇଛନ୍ତି। ୬ଟି ରାଜ୍ୟର ଗୁରୁତର ରୋଗରେ ପୀଡ଼ିତ ଥିବା ୧୦୦ ପିଲାଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଯୋଗାଇବାକୁ କହିଛନ୍ତି ସଚିନ।

‘ଏକାମ’ ନାମକ ଏକ ଫାଉଣ୍ଡେସନ ଜରିଆରେ ସଚିନ ପିଲାଙ୍କୁ ଏହି ସାହାଯ୍ୟ କରିବେ। ଯେଉଁମାନେ ନିଜ ପିଲାଙ୍କ ଚିକିତ୍ସା କରିବା ପାଇଁ ସକ୍ଷମ ନୁହଁନ୍ତି ସେମାନଙ୍କୁ ସାହାଯ୍ୟ କରିଥାଏ ଏହି ଫାଉଣ୍ଡେସନ। ଏହି ଫାଉଣ୍ଡେସନ ସହିତ ସଚିନଙ୍କର ସହଭାଗିତା ରହିଛି। ଏହାରି ଜରିଆରେ ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଆସାମ, କର୍ଣ୍ଣାଟକ, ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶର ଗରିବ ପିଲା ସଚିନଙ୍କ ସାହାଯ୍ୟ ପାଇବେ।

କୋଭିଡ ମହାମାରୀ ସମୟରେ ସଚିନଙ୍କ ଏହି ପଦକ୍ଷେପକୁ ଲୋକେ ଢେର ପ୍ରଂଶସା କରୁଛନ୍ତି। ତେବେ ସଚିନଙ୍କ ଏହା ପ୍ରଥମ ପଦକ୍ଷେପ ନୁହେଁ। ଏହା ପୂର୍ବରୁ ସେ ଆସାମ କରିମଗଞ୍ଜ୍‌ ଜିଲ୍ଲାର ମୁକୁଣ୍ଡା ହସ୍ପିଟାଲକୁ ଚିକିତ୍ସା ଯନ୍ତ୍ରପାତି ଦାନ କରିଥିଲେ। ଏହାଦ୍ୱାରା ୨୦୦୦ ପିଲାଙ୍କୁ ସ୍ୱାସ୍ଥ୍ୟସେବା ମିଳିବ ବୋଲି କୁହାଯାଇଥିଲା।

ଅନ୍ୟପଟେ କ୍ରିକେଟରୁ ସନ୍ନ୍ୟାସ ନେବା ପରେ ବି ସଚିନ ତାଙ୍କ ପ୍ରଶଂସକ ସହିତ ଜଡ଼ିତ ହୋଇ ଅଛନ୍ତି। ନିୟମିତ ଏଭଳି କିଛି କାମ କରି ସେ ସମସ୍ତଙ୍କ ପ୍ରଶଂସାର ପାତ୍ର ହୋଇପାରିଛନ୍ତି ସଚିନ।

Comment