ଓଡ଼ିଶାଲାଇଭ୍ ବ୍ୟୁରୋ

(ଭୁବନେଶ୍ୱରରୁ ତୁଷାର ସାମନ୍ତରାୟ): “ବାବୁ, ଟିକେ ସାହାଯ୍ୟ କର…

ଏ ବୁଢ଼ୀ ମା’କୁ କ’ଣ ଟିକିଏ ଦିଅ। ମୋର ପେଟ କଥା ବୁଝିବାକୁ କେହି ନାହାନ୍ତି,  ଟିକେ ତ ସାହାଯ୍ୟ କର।”

ଭୁବନେଶ୍ୱର ଜୟଦେବ ବିହାର ପାଖ ରାସ୍ତା କଡ଼ରେ ବସିଥିବା ଜଣେ ବୃଦ୍ଧାଙ୍କର ଏ ଥିଲା କରୁଣ ସ୍ୱର। ନାଁ ଦମୟନ୍ତୀ ଦିଗାଲ, ବୟସ ପାଖାପାଖି ୭୦ ହେବ। ଆଖିକୁ ଭଲସେ ଦିଶୁନି କି କାନକୁ ଭଲ ଭାବେ ଶୁଭୁନି। ହେଲେ ବୁଢ଼ୀ କାଳରେ ପେଟର ଭୋକ ମେଣ୍ଟାଇବାକୁ ରାସ୍ତା କଡ଼ରେ ବସି ସେ ଏବେ ଭିକ ମାଗୁଛନ୍ତି।“ମୋ ପିଲା, ସ୍ୱାମୀ କେହି ନାହାନ୍ତି। ଏ ବୟସରେ କିଛି କାମ ବି କରିପାରୁନି। ତେଣୁ ରାସ୍ତା କଡ଼ରେ ବସି ସାହାଯ୍ୟ ମାଗୁଛି। ଯିଏ ଯାହା ଦଉଛି, ସେଥିରେ ମୋ ପେଟ ପୋଷୁଛି। ଜୀବନ ବଞ୍ଚେଇବାକୁ ଆଉ କ’ଣ କରିବି, ବାଧ୍ୟ ହୋଇ ଅନ୍ୟଙ୍କୁ ସାହାଯ୍ୟ ମାଗୁଛି”, କହିଛନ୍ତି ରାସ୍ତା କଡ଼ରେ ସାହାଯ୍ୟ ମାଗୁଥିବା ଦମୟନ୍ତୀ।

ଦମୟନ୍ତୀଙ୍କ ନିଜ ଗାଁ ହେଉଛି ଫୁଲବାଣୀର ଉଦୟଗିରି ଅଞ୍ଚଳରେ। ସେ ବିକ୍ରମ ଦିଗାଲଙ୍କୁ ବିବାହ କରିବା ପରେ ଦୁହେଁ ମିଶି ଭୁବନେଶ୍ୱର ଚାଲିଆସିଥିଲେ। ରାଜଧାନୀର ରେଣ୍ଟାଲ କଲୋନୀ ପାଖରେ ଏକ ଛୋଟ ଚାଳ ଘର କରି ସେ ରହୁଥିଲେ। ବିକ୍ରମ ରଙ୍ଗ କାମ କରି ଦୁଇ ପଇସା ଆଣିଲେ ତାଙ୍କ ଘର ଚଳୁଥିଲା। ତାଙ୍କର ଗୋଟିଏ ପୁଅ ମଧ୍ୟ ଥିଲା। ହେଲେ ପୁଅକୁ ୧୦ /୧୧  ବର୍ଷ ହୋଇଥିବାବେଳେ ସେ ଅଜଣା ରୋଗରେ ଆଖି ବୁଜିଦେଇଥିଲା।ଏହାପରେ ସ୍ୱାମୀଙ୍କ ମୁହଁକୁ ଚାହିଁ ଦମୟନ୍ତୀ ଦିନ କାଟୁଥିଲେ। ହେଲେ ଗତ ୧୨ ବର୍ଷ ତଳେ ସେ ବି ପରପାରିକୁ ଚାଲିଯାଇଥିଲେ। ସ୍ୱାମୀ, ପୁଅ ବିନା ଦମୟନ୍ତୀ ପୂରାପୂରି ସେ ସମୟରେ ଏକୁଟିଆ ହୋଇଯାଇଥିଲେ।

ପେଟ ପୋଷିବା ପାଇଁ ଏହାପରେ ଦମୟନ୍ତୀ ଅନ୍ୟମାନଙ୍କ ଘରେ କାମ କରିବା ଆରମ୍ଭ କରିଥିଲେ। ପର ଘରେ କାମ କରି ଯେଉଁ ଦୁଇ ପଇସା ପାଉଥିଲେ ସେଥିରେ ହିଁ ତାଙ୍କ ପେଟ ପୁରୁଥିଲା। ହେଲେ ଏବେ ବୁଢ଼ୀ କାଳକୁ ସେ ଆଉ କାମ କରିପାରୁନାହାନ୍ତି। ସେଥିପାଇଁ ବାଧ୍ୟ ହୋଇ ରାସ୍ତା କଡ଼ରେ ବସି ଭିକ ମାଗୁଛନ୍ତି ବୋଲି ଦମୟନ୍ତୀ କୋହଭରା କଣ୍ଠରେ କହିଛନ୍ତି।“କରୋନା ଯୋଗୁ ସବୁ ବନ୍ଦ ହେଇଗଲା। କିଛି ବି ଖାଇବାକୁ ମିଳିଲାନି। ସେତେବେଳେ ଯିଏ ଯାହା ଦେଉଥିଲା, ତାକୁ ଖାଇ ବଞ୍ଚୁଥିଲି। ସରକାର ବି କିଛି ସାହାଯ୍ୟ କଲେନି। ଆଜି ଯାଏଁ ଭତ୍ତା କ’ଣ ମୁଁ ଜାଣିନି। ଭତ୍ତା ଆଉ ଚାଉଳ ଗଣ୍ଡେ ମିଳିଲେ ମୁଁ ଭଲ ସେ ବଞ୍ଚିପାରିବି”,କହିଛନ୍ତି ଦମୟନ୍ତୀ।

 

Comment