ଓଡ଼ିଶାଲାଇଭ୍ ବ୍ୟୁରୋ

ସୋଆ ହସ୍ପିଟାଲିଟି ଓ ଟୁରିଜିମ୍ ଫ୍ୟାକଲ୍ଟି ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଣ୍ଟର ୧୧ ଦିନିଆ ଓରିଏଣ୍ଟେସନ୍ କାର୍ଯ୍ୟକ୍ରମ ଶନିବାର ଉଦଯାପିତ ହୋଇଛି। ଜୟପୁର ଜଗନ୍ନାଥ ବିଶ୍ଵବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଡକ୍ଟର ନବୀନ୍ ମାଥୁର ଏହି ଭର୍ଚୁଆଲ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ଯେ, ମଣିଷ ପାଇଁ ବିକାଶ ଓ ଉନ୍ନତି ଜରୁରୀ ଅଟେ। ତୁମର ଲକ୍ଷ୍ୟ, ଉଦ୍ଦେଶ୍ୟ, କଥା କହିବାର ଶୈଳୀ ଏବଂ ପ୍ରାର୍ଥନା ଦ୍ୱାରା ମନକୁ ଏକ କଲେ ହିଁ ସଫଳତା ମିଳିପାରିବ।

ଇସ୍ରାଏଲ୍‌ର ଐତିହାସିକ ୟୁଭାଲ୍ ନୋଆ ହାରାରିଙ୍କ ଦ୍ୱାରା ରଚିତ ପୁସ୍ତକ ‘ଟ୍ୱେଣ୍ଟିୱାନ୍ ଲେସନ୍ସ ଫ୍ରମ୍ ଟ୍ୱେଣ୍ଟିଫାଷ୍ଟ ସେଞ୍ଚୁରୀ’କୁ ଉଦ୍ଧୃତ କରି  ପ୍ରଫେସର ମାଥୁର ଆହୁରି ମଧ୍ୟ କହିଛନ୍ତି ଯେ, ବୈଷୟିକ ଜ୍ଞାନକୌଶଳ ଖରାପ ନୁହେଁ। ନିଜ ଜୀବନରେ କ’ଣ ଆବଶ୍ୟକ ତୁମେ ଯଦି ଜାଣିଛ ତେବେ ଏହାକୁ ପାଇବା ପାଇଁ ବୈଷୟିକ ଜ୍ଞାନକୌଶଳ ତୁମକୁ ସାହାଯ୍ୟ କରିବ। ଯଦି ଜୀବନରେ କ’ଣ ଦରକାର ତାହା ତୁମକୁ ଜଣାନାହିଁ ତେବେ ବୈଷୟିକ ଜ୍ଞାନକୌଶଳ ତୁମ ଜୀବନକୁ ନିୟନ୍ତ୍ରଣ କରି ରଖିବ।ଏହି ଭର୍ଚୁଆଲ୍ କାର୍ଯ୍ୟକ୍ରମରେ ଏସ୍ଏଚ୍ଏମ୍‌ର ଉପଦେଷ୍ଟା ତଥା ଡିନ୍ ପ୍ରଫେସର ଶିତିକଣ୍ଠ ମିଶ୍ର ପ୍ରାରମ୍ଭିକ ଭାଷଣ ଦେଇ କହିଥିଲେ ଯେ, ମଣିଷ ଜୀବନରେ ଶିକ୍ଷାର ମହତ୍ୱ ଗୁରୁତ୍ୱପୂର୍ଣ୍ଣ ଅଟେ। ଏହି ଆତିଥ୍ୟ କ୍ଷେତ୍ରକୁ ନିଜର ବୃତ୍ତିଭାବେ ବାଛିଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଏହା ବେଶ୍ ମହତ୍ୱ ରଖେ।

ମାଉଣ୍ଟଆବୁ ସ୍ଥିତ ବ୍ରହ୍ମକୁମାରୀ ମୁଖ୍ୟାଳୟ ଆଇଟି ୱିଙ୍ଗ୍‌ର ଫ୍ୟାକଲ୍ଟି ବି.କେ. ସବିତା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ବର୍ତ୍ତମାନ ସମୟରେ ଛାତ୍ରଛାତ୍ରୀମାନେ ମାନସିକ ସ୍ତରରେ ଦୃଢ଼ ହେବା ଆବଶ୍ୟକ ବୋଲି କହିଥିଲେ।

ଏହି କାର୍ଯ୍ୟକ୍ରମରେ ବେସାମରିକ କ୍ଷେତ୍ର, ଲଜିଷ୍ଟିକ୍ କ୍ଷେତ୍ର, ଡିଜିଟାଲ୍ ମାର୍କେଟିଙ୍ଗ, ଖାଦ୍ୟ ବ୍ୟବସାୟ, ସମ୍ପର୍କରହିତ ସେବା ଏବଂ ହୋଟେଲଗୁଡ଼ିକର ଭବିଷ୍ୟତ ସମ୍ପର୍କିତ ବିଷୟବସ୍ତୁକୁ ନେଇ ଆଲୋଚନା କରାଯାଇଥିଲା।

ନୂତନ ଛାତ୍ରଛାତ୍ରୀମାନଙ୍କୁ ନୂଆ ପରିବେଶ ସହ ପରିଚିତ କରାଇବା, ଅନୁଷ୍ଠାନ ସହ ଜଡିତ କରାଇବା ଓ ଅନ୍ୟ ଛାତ୍ରଛାତ୍ରୀ ଓ ଫ୍ୟାକଲ୍ଟିମାନଙ୍କ ସହିତ ପରିଚୟ କରାଇବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଥିଲା।

Comment