ଓଡ଼ିଶାଲାଇଭ୍ ବ୍ୟୁରୋ

ନାବାଳିକାଙ୍କୁ ଗର୍ଭ ନଷ୍ଟ କରିବା ଲାଗି ଓଡ଼ିଶା ହାଇକୋର୍ଟ ଅନୁମତି ପ୍ରଦାନ କରିଛନ୍ତି।

  • ହାଇକୋର୍ଟଙ୍କ ନିର୍ଦ୍ଦେଶ: ମେଡିକାଲ ବୋର୍ଡ କମିଟି ତତ୍ତ୍ୱାବଧାନ କରିବ 
  • ପୀଡ଼ିତାଙ୍କ ଜୀବନ ପ୍ରତି ବିପଦ ଥିଲେ ବାତିଲ୍ ହେବ ନିଷ୍ପତ୍ତି
  • ଏସ୍‌ସିବିରେ ପହଞ୍ଚାଇବାର ବ୍ୟବସ୍ଥା କରିବେ ଭୁବନେଶ୍ୱର ଡିସିପି

କଟକ: ନାବାଳିକାଙ୍କର ଭବିଷ୍ୟତ, ଶିକ୍ଷା, ସାମାଜିକ ସୁରକ୍ଷାକୁ ଦୃଷ୍ଟିରେ ରଖି ହାଇକୋର୍ଟ ନାବାଳିକାଙ୍କ ଗର୍ଭ ନଷ୍ଟ କରିବା ଲାଗି ଅନୁମତି ପ୍ରଦାନ କରିଛନ୍ତି। ଏଥିପାଇଁ ହାଇକୋର୍ଟଙ୍କ ଦ୍ଵାରା ଡିଏମ୍‌ଇଟି (ଡାଇରେକ୍ଟର୍ ଅଫ୍ ମେଡିକାଲ ଏଜୁକେସନ୍ ଆଣ୍ଡ ଟ୍ରେନିଂ)ଙ୍କ ଅଧ୍ୟକ୍ଷତାରେ ଗଠିତ ମେଡିକାଲ ବୋର୍ଡ କମିଟି ପଦକ୍ଷେପ ନେବ। ଯଦି ଗର୍ଭ ନଷ୍ଟ କଲେ ସମ୍ପୃକ୍ତ ନାବାଳିକାଙ୍କ ଜୀବନ ପ୍ରତି ବିପଦ ଥାଏ ତେବେ ମେଡିକାଲ ଟିମ୍‌ ଏହି କାର୍ଯ୍ୟ ବାତିଲ୍ କରିପାରିବ। ଜଣେ ନାବାଳିକା ପୀଡ଼ିତାଙ୍କ ଗର୍ଭ ନଷ୍ଟ ନେଇ ତାଙ୍କ ବାପା କରିଥିବା ଆବେଦନ ଉପରେ ବିଚାର କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍ ଏସ୍‌.କେ. ମିଶ୍ର ଏବଂ ବିଚାରପତି ଜଷ୍ଟିସ୍ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ବୁଧବାର ଏହି ଗୁରୁତ୍ଵପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି।

ହାଇକୋର୍ଟଙ୍କ ଏହି ଆଦେଶକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ କୁହାଯାଇଛି। ତେବେ ପୀଡ଼ିତା ଏବଂ ତାଙ୍କ ବାପା କିପରି ଏସ୍‌ସିବିରେ ପହଞ୍ଚିବେ ସେ ସମସ୍ତ ବ୍ୟବସ୍ଥା ଭୁବନେଶ୍ୱର ଡିସିପି ଏବଂ ଖଣ୍ଡଗିରି ଆଇଆଇସି କରିବେ ବୋଲି ହାଇକୋର୍ଟ ଆଦେଶରେ ସ୍ପଷ୍ଟ କରିଛନ୍ତି।

ହାଇକୋର୍ଟ ଗତକାଲି ଏହି ମାମଲାର ରାୟ ପ୍ରକାଶ କରି କହିଛନ୍ତି ଯେ, ଆଇନ ଅନୁଯାୟୀ ଯଦି ଜଣେ ପୀଡ଼ିତା ୧୨ ସପ୍ତାହରୁ ୨୦ ସପ୍ତାହର ଗର୍ଭବତୀ ହୋଇଥାନ୍ତି ତାହେଲେ ଦୁଇ ଜଣ ବିଶେଷଜ୍ଞ ଡାକ୍ତର ସମ୍ପୃକ୍ତ ପୀଡ଼ିତାଙ୍କ ଗର୍ଭନଷ୍ଟ କରିପାରିବେ। କିନ୍ତୁ ଯଦି ପୀଡ଼ିତାଙ୍କର ଗର୍ଭଧାରଣ କରିବାର ସମୟ ୨୦ ସପ୍ତାହରୁ ଅଧିକ ହୋଇଥାଏ ଏବଂ ଏହା ୨୪ ସପ୍ତାହ ଭିତରେ ରହିଥାଏ ତାହେଲେ ଏଥିପାଇଁ ଆଇନରେ କୌଣସି ବ୍ୟବସ୍ଥା ନାହିଁ। ୨୦ ସପ୍ତାହରୁ ଅଧିକ ଏବଂ ୨୪ ସପ୍ତାହ ମଧ୍ୟରେ ଥିବା ଗର୍ଭକୁ ନଷ୍ଟ କରିବା ଲାଗି ‘ମେଡିକାଲ ଟର୍ମିନେସନ୍ ଅଫ୍ ପ୍ରେଗ୍‌ନାନ୍ସି ଆକ୍ଟ’ରେ ସଂଶୋଧନ ପାଇଁ ପାର୍ଲାମେଣ୍ଟରେ ଏକ ବିଲ୍ ଆଗତ ହୋଇଛି। ଏହା କେନ୍ଦ୍ର ସରକାରଙ୍କ ଦ୍ଵାରା ଅନୁମୋଦନ ପାଇବା ସହ ଲୋକସଭାରେ ମଧ୍ୟ ପାସ୍ ହୋଇଯାଇଛି। କିନ୍ତୁ ଯେହେତୁ ରାଜ୍ୟସଭାରୁ ଅନୁମୋଦନ ମିଳିନାହିଁ ତେଣୁ ଏହାକୁ ଏକ ଆଇନ ବୋଲି କୁହାଯାଇପାରିବ ନାହିଁ।

ତେବେ ସୁପ୍ରିମ୍‌କୋର୍ଟ ଏବଂ ବିଭିନ୍ନ ହାଇକୋର୍ଟର ଭିନ୍ନ ଭିନ୍ନ ରାୟର ଅବତାରଣା କରି ପୀଡ଼ିତାଙ୍କର ଗର୍ଭ ନଷ୍ଟ ପାଇଁ ହାଇକୋର୍ଟ ଅନୁମତି ପ୍ରଦାନ କରିଛନ୍ତି। ଏଥିପାଇଁ ହାଇକୋର୍ଟ କେତେକ ଯୁକ୍ତି ମଧ୍ୟ ରଖିଛନ୍ତି। ପୀଡ଼ିତା ଜଣେ ନାବାଳିକା। ତେଣୁ ତାଙ୍କ ପକ୍ଷେ ଗର୍ଭଧାରଣ କରିବା ଉଭୟ ଶାରୀରିକ ଏବଂ ମାନସିକ ସ୍ତରରେ କୁପ୍ରଭାବ ପକାଇବ। ଆହୁରି ମଧ୍ୟ ଏହା ପୀଡ଼ିତାଙ୍କ ଭବିଷ୍ୟତ ଜୀବନ, ଶିକ୍ଷା ଉପରେ ପ୍ରଭାବ ପକାଇବ। ପୀଡ଼ିତାଙ୍କୁ ସାମାଜିକ ସମସ୍ୟା ମଧ୍ୟ ସାମ୍ନା କରିବାକୁ ପଡ଼ିବ। ଯଦି ପୀଡ଼ିତା ପିଲା ଜନ୍ମ ଦିଅନ୍ତି ସେହି ପିଲାଟି ମଧ୍ୟ ସାମାଜିକ କଳଙ୍କ ମୁଣ୍ଡାଇବ।

ଯଦିଓ କମିଟି ଗର୍ଭ ନଷ୍ଟ ପାଇଁ ଅନୁମୋଦନ କରିନାହାନ୍ତି କିନ୍ତୁ ଯଦି ପୀଡ଼ିତାଙ୍କର ଗର୍ଭ ନଷ୍ଟ କରାଯାଏ ତାହେଲେ ତାଙ୍କ ପ୍ରତି କୌଣସି ପ୍ରକାର ବିପଦର ଆଶଙ୍କା ରହିଛି ବୋଲି ସେ ସଂକ୍ରାନ୍ତରେ କିଛି ଉଲ୍ଲେଖ କରିନାହାନ୍ତି। ଏସବୁକୁ ବିଚାରକୁ ନେଇ ହାଇକୋର୍ଟ ପୀଡ଼ିତାଙ୍କର ଗର୍ଭ ନଷ୍ଟ ପାଇଁ ଅନୁମତି ପ୍ରଦାନ କରିଛନ୍ତି। ତେବେ ଗର୍ଭ ନଷ୍ଟ କରିବା ପୂର୍ବରୁ ମେଡିକାଲ ବୋର୍ଡ ପୀଡ଼ିତାଙ୍କଠାରୁ ଏକ ଲିଖିତ ଘୋଷଣାନାମା ନେବେ ଯେ ସେ ଗର୍ଭନଷ୍ଟ କରିବାକୁ ଚାହାନ୍ତି ଏବଂ ଏହା ତାଙ୍କ ସହମତି କ୍ରମେ କରାଯାଉଛି। ଏହି ଘୋଷଣାନାମା ପୀଡ଼ିତାଙ୍କ ଅଭିଭାବକଙ୍କଠାରୁ ନେବା ଠିକ୍ ହେବ ବୋଲି ହାଇକୋର୍ଟ ମତ ଦେଇଛନ୍ତି।

Comment