ଓଡ଼ିଶାଲାଇଭ୍ ବ୍ୟୁରୋ

  • ମା’ ଆଗେଇଲେ ଦେଶ ଆଗେଇବ: ନବୀନ
  • ପଞ୍ଚାୟତରୁ ସଂସଦ, ସବୁଠି ମହିଳା ସଶକ୍ତିକରଣ ପାଇଁ ହେବ ଲଢ଼େଇ
  • ମା’ମାନଙ୍କ ଅଧିକାର ଏକା ବିଜେଡି ହିଁ ଲଢ଼େଇ କରୁଛି, ଆଗକୁ ବି କରିବ: ନବୀନ

୨୪ ବର୍ଷରେ ପାଦ ଦେଇଛି ବିଜେଡି। ଶନିବାର ଭୁବନେଶ୍ଵରସ୍ଥିତ ଦଳର ମୁଖ୍ୟ କାର୍ଯ୍ୟାଳୟଠାରେ ଦଳର ନେତା ଏବଂ କର୍ମୀମାନେ ଦଳର ୨୪ତମ ପ୍ରତିଷ୍ଠା ଦିବସ ପାଳନ କରୁଛନ୍ତି। ଏହି ଉତ୍ସବରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ସାମିଲ ହୋଇ ଦଳୀୟ ନେତା ଏବଂ କର୍ମୀମାନଙ୍କୁ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି।

ଏହି ଅବସରରେ ଦଳୀୟ କର୍ମୀମାନଙ୍କୁ ସମ୍ଵୋଧନ କରି ନବୀନ କହିଛନ୍ତି ଯେ, ନାରୀ ସଶକ୍ତିକରଣକୁ ବିଜେଡି ସବୁବେଳେ ଗୁରୁତ୍ଵ ଦେଇଆସିଛି। ବିଜୁ ବାବୁଙ୍କ ଭାଷାରେ ମା’ମାନେ ହେଉଛନ୍ତି ସମାଜ ଚକର ଅଖ। ସେମାନଙ୍କ ବିନା ପ୍ରଗତିର ରଥ ଆଗକୁ ବଢ଼ିପାରିବ ନାହିଁ। ଏଣୁ ୧୯୯୨ରେ ବିଜୁ ବାବୁ ମହିଳାମାନଙ୍କ ପାଇଁ ପଞ୍ଚାୟତ, ସହରାଞ୍ଚଳ ବ୍ୟବସ୍ଥା ଏବଂ ସରକାରୀ ଚାକିରିରେ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କରି ସାରା ଦେଶରେ ଇତିହାସ ସୃଷ୍ଟି କରିଥିଲେ।ନବୀନ ଆହୁରି ମଧ୍ୟ କହିଛନ୍ତି ଯେ, ବିଜେଡି କଥାରେ ନୁହେଁ କାମରେ ବିଶ୍ଵାସ କରେ। ତେଣୁ ବିଜୁ ବାବୁଙ୍କ ଆଦର୍ଶରେ ଚାଲୁଥିବା ଏହି ଦଳ ସବୁବେଳେ ନାରୀ ସଶକ୍ତିକରଣ ଉପରେ ଗୁରୁତ୍ଵ ଦେଇଆସିଛି। ବିଜୁ ଜନତା ଦଳ ହେଉଛି ଏକମାତ୍ର ଆଞ୍ଚଳିକ ଦଳ, ଯିଏ ବିଧାନସଭା, ରାଜ୍ୟସଭା ଏବଂ ଲୋକସଭାରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ପାଇଁ ଦାବି କରିଆସିଛି, ଆଗକୁ ମଧ୍ୟ ରଖିବ।

ଦେଶର ଅନ୍ୟ ରାଜନୈତିକ ଦଳଗୁଡ଼ିକୁ ଟାର୍ଗେଟ କରି ନବୀନ କହିଛନ୍ତି ଯେ, ନିର୍ବାଚନ ଆସିଲେ ଅନ୍ୟ ଦଳମାନେ ସେମାନଙ୍କ ନିର୍ବାଚନୀ ଇସ୍ତାହାରରେ ନାରୀ ସଶକ୍ତିକରଣ କଥା ରଖିଥାନ୍ତି। ନିର୍ବାଚନ ସରିଲା ପରେ ସେମାନଙ୍କର ପ୍ରତିଶ୍ରୁତି ଭୁଲି ଯାଆନ୍ତି। କିନ୍ତୁ ବିଜୁ ଜନତା ଦଳ ପ୍ରଥମରୁ ହିଁ ମା’ମାନଙ୍କ କଥା କହିଆସିଛି, ସେମାନଙ୍କ ଅଧିକାର ପାଇଁ ଲଢ଼ିଛି। ତେଣୁ ଏବେଠାରୁ ବିଧାନସଭା, ଲୋକସଭା, ରାଜ୍ୟସଭାର ପ୍ରତିଟି ଅଧିବେସନରେ ବିଜେଡି ଜାତୀୟ ଦଳମାନଙ୍କୁ ମା’ମାନଙ୍କ ହକ୍ କଥା ମନେପକାଇ ଦେବ।

ଓଡ଼ିଶାରେ ଏବେ ପ୍ରାୟ ୮୦ ଲକ୍ଷ ମହିଳା ମିଶନ ଶକ୍ତିରେ ସାମିଲ ହୋଇ ସେମାନଙ୍କ ଦାୟିତ୍ଵକୁ ସୁଚାରୁ ରୂପେ ତୁଲାଉଛନ୍ତି। ଏବାବଦରେ କହି ନବୀନ ଓଡ଼ିଶାର ପ୍ରତିଟି ନାରୀମାନଙ୍କ ପ୍ରଶଂସା କରିଛନ୍ତି। ତେଣୁ ମା’ମାନଙ୍କ ପାଇଁ ବିଜେଡିର ଏହି ଲଢ଼େଇ ଆଗାମୀ ଦିନରେ ଆନ୍ଦୋଳନର ରୂପ ନେବ। ଯେ ପର୍ଯ୍ୟନ୍ତ ମା’ମାନଙ୍କୁ ସେମାନଙ୍କର ଅଧିକାର ନମିଳିଛି ଦଳ ସେପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରଖିବ ବୋଲି ନବୀନ କହିଛନ୍ତି।

ଏହି ଉତ୍ସବରେ ବିଜୁ ଜନତା ଦଳର ଅନେକ ବିଧାୟକ, ନେତା ଏବଂ କର୍ମୀମାନେ ଯୋଗଦେଇଥିଲେ।

Comment